ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ବାଙ୍ଗାଲୁରୁ : ଗତ ଜୁଲାଇ ୨୨ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଭାରତର ଚନ୍ଦ୍ରଯାନ-୨ ଦୁଇଦିନ ତଳେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଗତ କାଲି ଏହା ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ପଠାଇଛି । ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨୬୫୦ କିମି ଉଚ୍ଚରୁ ଏହି ଫଟୋ ଉଠାଇଛି ଚନ୍ଦ୍ରଯାନ-୨ । ଏହି ଫଟୋରେ ଚନ୍ଦ୍ରପୃଷ୍ଠ ଓ ସେଥିରେ ଥିବା ଗର୍ତ୍ତଗୁଡ଼ିକ ସ୍ପଷ୍ଟଭାବରେ ଦେଖାଯାଉଛି ।

ଏହି ଚିତ୍ରରେ ମଧ୍ୟ ମାର ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟର ମଧ୍ୟ ଦେଖାଯାଉଛି । ମାର ଓରିଏଣ୍ଟାଲ ହେଉଛି ସମତଳ ଅଭ୍ୟନ୍ତର ଥିବା ଏକ ବିଶାଳ ଗର୍ତ୍ତ ଯାହାକି ଅଗ୍ନୀ ଉଦଗୀରଣ ଦ୍ୱାରା ସୃଷ୍ଟି ହୋଇଛି । ଏହା ଚନ୍ଦ୍ରର ପଶ୍ଚିମପାର୍ଶ୍ୱରେ ଅବସ୍ଥିତ । ସେହିପରି ଆପୋଲୋ କ୍ରାଟନର ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଏକ ବିଶାଳ ଗୋଲେଇ ଭିତରେ ଥିବା ଖାଲୁଆ ଅଞ୍ଚଳ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା । ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ।

ସମ୍ବନ୍ଧିତ ଖବର