ତେଜ ପ୍ରତାପଙ୍କ ବାହାଘର ବେଳେ ବିଶୃଙ୍ଖଳା; ଲୋକେ ଲୁଟି ନେଲେ ଖାଦ୍ୟ ଓ ବାସନ

ପାଟନା: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବାହାଘର ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରି ଉତ୍ସୃଙ୍ଖଳ ଲୋକେ କର୍ଡନ୍‌ ଭାଙ୍ଗି ଭିଆଇପି ଏବଂ ମିଡିଆବାଲାଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଉଠି ଯାଇ ସେଠାରୁ ଖାଦ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।

ଆର୍‌ଜେଡି ଏମ୍‌ଏଲ୍‌ଏ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କ ସହ ଯାଦବଙ୍କ ବାହାଘର ଅନୁଷ୍ଠିତ ହୋଇଛି।

ବିବାହ ଅନୁଷ୍ଠାନରେ ସମବେତ ହଜାର ହଜାର ଲୋକଙ୍କ ପାଇଁ ଆବଶ୍ୟକ ପ୍ରସ୍ତୁତି ହୋଇଥିଲା।

ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟା ବରଣମାଳା ଅଦଳ ବଦଳ କରିବା କ୍ଷଣି ଥୋକେ ଲୋକ କର୍ଡନ ଭାଙ୍ଗି ଖାଦ୍ୟ ସାମଗ୍ରୀ ଲୁଟ୍‌ କରିଥିଲେ। ଏହି ଲୋକମାନେ ଆର୍‌ଜେଡି ଲୋକ ବୋଲି କେତେକ କହୁଛନ୍ତି।

ଚାହୁଁ ଚାହୁଁ ସମଗ୍ର ପରିସର ଚୀନା ବାସନ ଟୁକୁରା ପଡ଼ିବା ସହ ଟେବୁଲ ଚେୟାର ଓଲଟି ପଡ଼ିଥିବାର ଦେଖାଯାଇଥିଲା। ବିଶୃଙ୍ଖଳ ଜନତାଙ୍କୁ ସେଠାରୁ ହଟାଇବାକୁ ଦଳର କେତେକ ନେତା ଠେଙ୍ଗା ଧରି ଗୋଡ଼ାଇବାର ବୃଥା ଉଦ୍ୟମ କରିଥିଲେ।

କେତେକ କ୍ୟାମେରାମ୍ୟାନ୍‌ଙ୍କ ସମେତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯିବା ସହ ସେମାନଙ୍କ ଉପକରଣ ଭାଙ୍ଗି ଦିଆଯାଇଛି।

କ୍ୟାଟରର୍‌ମାନେ କହିଛନ୍ତି କି, ଲୋକେ ସେମାନଙ୍କର ବାସନକୁସନ ଏବଂ ଅନ୍ୟାନ୍ୟ ଉପକରଣ ନେଇଯାଇଛନ୍ତି।

ପୂର୍ବରୁ ଆୟୋଜକମାନେ କହିଥିଲେ କି, ପ୍ରାୟ ୭୦୦୦ ଲୋକଙ୍କ ପାଇଁ ଖାଦ୍ୟପାନୀୟ ହୋଇଛି। କିନ୍ତୁ ଏତେ ଗୁଡ଼ାଏ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯଥେଷ୍ଟ ଧ୍ୟାନ ଦିଆଯାଇ ନ ଥିବା ମନେହେଉଥିଲା।

ସମ୍ବନ୍ଧିତ ଖବର