ବିଚାରପତି ନିଯୁକ୍ତିରେ ଅଚଳାବସ୍ଥା :୧୨୩ଟି ସୁପାରିସ୍‌ ଲଟକିଛି

ଜଣେ ବିଚାରପତିଙ୍କ ନାମକୁ ୩ ଥର ଫେରାଇଥିଲେ ସରକାର:୨୦୧୪ରେ ସୁବ୍ରମଣ୍ୟମଙ୍କ ନାମକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ବଢ଼ୁଥିବା ବେଳେ ଏହାର ପ୍ରଭାବ ନ୍ୟାୟ ପ୍ରକ୍ରିୟା ଉପରେ ପଡ଼ୁଛି। ଦେଶର ୧୩ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିସ ହୋଇଥିବା ୧୨୩ ଜଣଙ୍କ ନାମ ଏବେ କେନ୍ଦ୍ର ସରକାର ଏବଂ ସୁପ୍ରିମ୍‌ କୋର୍ଟ କଲେଜିୟମରେ ଦୀର୍ଘ ୨ ବର୍ଷ ହେଲା ପଡ଼ି ରହିଛି। ବିଭିନ୍ନ ହାଇକୋର୍ଟରେ ଏବେ ମୋଟ ୪୦୩ ବିଚାରପତି ପଦବି ଖାଲି ପଡ଼ିଛି। ୨୮୦ଟି ପଦ ପାଇଁ ହାଇକୋର୍ଟମାନେ ନାମ ସୁପାରିସ କରିବାରେ ସକ୍ଷମ ହୋଇନାହାନ୍ତି। ସୁପ୍ରିମ୍‌୍‌ କୋର୍ଟ କଲେଜିୟମ ୪୩ଟି ସୁପାରିସକୁ ନେଇ କୌଣସି ନିର୍ଣ୍ଣୟ ନେଇପାରି ନଥିବା ବେଳେ କେନ୍ଦ୍ର ସରକାର କଲେଜିୟମ ସୁପାରିସ କରିଥିବା ୮୦ଟି ନାମକୁ ନେଇ କୌଣସି ଫଏସଲା କରିନପାରି ତାହାକୁ ପକାଇ ରଖିଛନ୍ତି। କୋର୍ଟରେ ମାମଲା ବୋଝ ବଢ଼ି ଚାଲିଥିବା ବେଳେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଏହି ସଙ୍କଟକୁ ଆହୁରି ଜଟିଳ କରିଛି।

ଉତ୍ତରାଖଣ୍ଡର ମୁଖ୍ୟ ବିଚାରପତି କେଏମ୍‌ ଯୋସେଫ୍‌୍‌ଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ ହୋଇଥିବା ସୁପାରିସକୁ ଆଜି କେନ୍ଦ୍ର ସରକାର ଫେରାଇ ଦେଇଥିବା ବେଳେ ପୂର୍ବରୁ ମଧ୍ୟ ଏଭଳି ଘଟଣାର ନଜିର ରହିଛି। ୨୦୧୪ ମସିହାରେ ପୂର୍ବ ସଲିସିଟର ଜେନେରାଲ ଗୋପାଳ ସୁବ୍ରମଣ୍ୟମଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ କଲେଜିୟମର ସୁପାରିସକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ସୁବ୍ରମଣ୍ୟମଙ୍କ ବାବଦରେ ତଦନ୍ତ କରାଯିବାକୁ ଆଇନ ମନ୍ତ୍ରାଳୟର ପଦକ୍ଷେପକୁ ସେତେବେଳେ ସୁପ୍ରିମ୍‌ କୋର୍ଟ କଲେଜିୟମ ସମାଲୋଚନା କରିଥିଲେ। ବିବାଦ ବଢ଼ିବା ପରେ ସୁବ୍ରମଣ୍ୟମ ନିଜେ ବିଚାରପତି ଦୌଡ଼ରୁ ଓହରି ଯାଇଥିବା ଘୋଷଣା କରିଥିଲେ।

ସୁପ୍ରିମ୍‌ କୋର୍ଟ କଲେଜିୟମ କୋଲାକାତା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ମହମ୍ମଦ ନିଜାମୁଦ୍ଦିନଙ୍କ ନାମ ୨୦୧୬ରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ। କେନ୍ଦ୍ର ସରକାର ୧୧ ନଭେମ୍ବର ୨୦୧୬ରେ ତାଙ୍କ ନାମକୁ ସ୍ୱୀକୃତି ଦେବାପାଇଁ ମନା କରିଦେଇଥିଲେ ଏବଂ ଏହି ପ୍ରସ୍ତାବକୁ କଲେଜିୟମକୁ ଫେରାଇ ଦେଇଥିଲେ। କଲେଜିୟମ ମହମ୍ମଦଙ୍କ ନାମକୁ ପୁଣି ୧୫ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ। ଏହାକୁ କେନ୍ଦ୍ର ସରକାର ୧ ମାର୍ଚ୍ଚ ୨୦୧୭ରେ ପୁଣି କଲେଜିୟମକୁ ଫେରାଇ ଦେଇଥିଲେ। ଏହାପରେ କଲେଜିୟମ ତୃତୀୟ ଥର ପାଇଁ ୭ ଏପ୍ରିଲ ୨୦୧୭ରେ ତାଙ୍କ ନାମକୁ ସୁପାରିସ କରିଥିଲେ ଏବଂ ସେବେଠାରୁ ଏହି ଫାଇଲ ଆଇନ ମନ୍ତ୍ରାଳୟରେ ପଡ଼ିଛି।

ସମ୍ବନ୍ଧିତ ଖବର