ପ୍ରଧାନ ବିଚାରପତିଙ୍କ ସମର୍ଥନରେ ସୁପ୍ରିମକୋର୍ଟ କର୍ମଚାରୀ ସଂଘ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସମର୍ଥନରେ ସୁପ୍ରିମକୋର୍ଟର କର୍ମଚାରୀ ଓ ଅଧିକାରୀମାନେ ଅଦ୍ଭୂତପୂର୍ବ ସମର୍ଥନ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତୃତ୍ୱରେ ବିଭିନ୍ନ ବିରୋଧୀ ଦଳ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଣିଥିବା ମହାଭିଯୋଗ ନୋଟିସ୍‌କୁ ସେମାନେ କଡ଼ା ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡୁ ସୋମବାର ଦିନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଏହି ମହାଭିଯୋଗ ନୋଟିସ୍‌କୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ କର୍ମଚାରୀ ସଂଘ ବିଚାରପତିଙ୍କ ପ୍ରତି ସାର୍ବଜନୀନ ଭାବେ ଏଭଳି ସମର୍ଥନ ବ୍ୟକ୍ତ କରିଛି। ସୋମବାର ଦିନ ସୁପ୍ରିମକୋର୍ଟ େଓ୍ଵଲଫେୟାର ଆସୋସିଏସନ୍‌ ଏନେଇ ଏକ ପ୍ରସ୍ତାବ ଆଗତ କରି ସାଂସଦମାନଙ୍କ ପଦକ୍ଷେପକୁ ନିନ୍ଦା କରିଥିଲେ। ଏମ୍ପ୍ଲଇଜ୍‌ େଓ୍ଵଲଫେୟାର ଆସୋସିଏସନ୍‌ର ସଭାପତି ବି ଏ ରାଓଙ୍କ କହିବା ଅନୁଯାୟୀ ସୁପ୍ରିମ୍‌ କୋର୍ଟ କର୍ମଚାରୀ ସଂଘର ପ୍ରତ୍ୟେକ ସଦସ୍ୟ ପ୍ରଧାନ ବିଚାରପତିଙ୍କ ପଛରେ ଦୃଢ଼ ଭାବେ ରହିଛନ୍ତି।

ପ୍ରସ୍ତାବରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁମାନେ ନ୍ୟାୟପାଳିକାରେ ବିଶ୍ୱାସ ରଖୁଛନ୍ତି ସେମାନଙ୍କ ପାଇଁ ଏହା ପରୀକ୍ଷାର ସମୟ। ଏଭଳି ଏକ ମୁହୂର୍ତ୍ତରେ ଆସୋସିଏସନ୍‌ ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ବିଚାରପତିଙ୍କ ସହ ନିଷ୍ଠାର ସହ ରହିଛି ବୋଲି ପ୍ରସ୍ତାବରେ କୁହାଯାଇଛି। ସୁପ୍ରିମକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ସମେତ ଏମ୍ପ୍ଲଇଜ୍‌ େଓ୍ଵଲଫେୟାର ଆସୋସିଏସନ୍‌ରେ ୨୪୦୦ କର୍ମଚାରୀ ସାମିଲ ଅଛନ୍ତି। ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ଓ ସୁପ୍ରିମକୋର୍ଟର ଆଡଭୋକେଟ୍‌ ଅନ୍‌ ରେକର୍ଡ ଆସୋସିଏସନ୍‌ ମହାଭିଯୋଗ ନୋଟିସ୍‌ ସମ୍ପର୍କରେ କୌଣସି ପ୍ରକାର ପ୍ରସ୍ତାବ ପାରିତ କରିନାହାନ୍ତି। ଅପରପକ୍ଷେ ବାର୍‌ କାଉନସିଲ୍‌ ଅଫ ଇଣ୍ଡିଆ ମଧ୍ୟ ଏହି ମାମଲାରେ କୌଣସି ପ୍ରକାର ବୟାନ ଜାରି କରିନାହିଁ।

ସମ୍ବନ୍ଧିତ ଖବର