ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ : ଓଡ଼ିଶାରେ କମିଥିବା ବେଳେ ପଶ୍ଚିମବଙ୍ଗରେ ୧୦ ବର୍ଷର ରେକର୍ଡ଼ ଭାଙ୍ଗିଛି ବାଲ୍ୟବିବାହ
ନୂଆଦିଲ୍ଲୀ: ବାଲ୍ୟ ବିବାହ ନେଇ ଦେଶରେ ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ବାଲ୍ୟ ବିବାହ କ୍ଷେତ୍ରରେ ୧୦ ବର୍ଷର ରେକର୍ଡ଼ ଭାଙ୍ଗିଛି ପଶ୍ଚିମବଙ୍ଗ । ୨୦୦୫ ମସିହାରେ ବିହାରରେ ସର୍ବାଧିକ ବାଲ୍ୟ ବିବାହ ଘଟଣା ଘଟିଥିବାବେଳେ ଏବେ ବିହାରକୁ ପଛରେ ପକାଇଛି ପଶ୍ଚିମବଙ୍ଗ । ତେବେ ଆମ ରାଜ୍ୟ ଓଡ଼ିଶାରେ ବାଲ୍ୟବିବାହ ହ୍ରାସ ପାଇଥିବା ଏହି ରିପୋର୍ଟରୁ ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଲ୍ୟ ବିବାହ କ୍ଷେତ୍ରରେ ଜାତୀୟ ହାର ୧୧.୯% ଥିବାବେଳେ ବର୍ତ୍ତମାନ ପଶ୍ଚିମବଙ୍ଗର ହାର ୨୫.୬% ରହିଛି । ଅନ୍ୟପଟେ ୨୦୦୫ ମସିହାରେ ବିହାରରେ ୪୭.୮% ବାଲ୍ୟ ବିବାହ ହେଉଥିବାବେଳେ ବର୍ତ୍ତମାନ ଏହା ୧୯.୭%କୁ ହ୍ରାସ ପାଇଛି । ତଥାପି ଜାତୀୟ ବାଲ୍ୟ ବିବାହ ତୁଳନା ଠାରୁ ୭.୮% ଅଧିକ ରହିଛି । ସେହିଭଳି ଉତ୍ତରପ୍ରଦେଶ, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରଖଣ୍ଡ, ସିକିମ୍ , ମିଜୋରାମ ଏବଂ କେରଳ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବାଲ୍ୟ ବିବାହ ରେକର୍ଡ ପ୍ରଂଶନୀୟ ରହିଛି ।
ଅନ୍ୟପଟେ ଓଡ଼ିଶା ମଧ୍ୟ ବିଗତ ୧୦ ବର୍ଷର ଇତିହାସ ବଦଳାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ଗତ ୨୦୦୫ ମସିହାରେ ଓଡ଼ିଶାରେ ପ୍ରାୟ ୨୦.୩% ବାଲ୍ୟ ବିବାହ ହେଉଥିବା ବେଳେ ବର୍ତ୍ତମାନ ଏହା ହ୍ରାସ ପାଇ ୧୦%କୁ ଛୁଇଁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୧୫ରୁ ୧୮ ବର୍ଷ ମଧ୍ୟରେ ନାବାଳିକାମାନଙ୍କ ବିବାହ ହେଉଥିବା ନେଇ ସର୍ଭେ କରାଯାଇଥିବା ଏହି ରିପୋର୍ଟରେ ଓଡ଼ିଶା ମଧ୍ୟ ସଚେତନତା ଆପଣାଉଛି ।
ଦେଶରେ ବାଲ୍ୟ ବିବାହ ବିଶେଷ କରି ଗାଁ ମାନଙ୍କରେ ହେଉଥିବାବେଳେ ସହରୀ ଲୋକ ଏଥିପ୍ରତି ବେଶ୍ ସଚେତନ ଅଛନ୍ତି ବୋଲି ସର୍ଭେ ରିପୋର୍ଟ କହୁଛି । ସେହିଭଳି ଜଣେ ନାବାଳିକା ଗର୍ଭଧାରଣ କରିବା ବାଲ୍ୟ ବିବାହର ମୂଖ୍ୟ କାରଣ ହୋଇଥିବାବେଳେ ୧୫ରୁ ୧୯ ବର୍ଷ ବୟସର ଝିଅ ମାନଙ୍କ ମଧ୍ୟରୁ ପ୍ରତି ୩ଜଣରେ ଜଣେ ନାବାଳିକା ଗର୍ଭବତୀ ହେଉଛନ୍ତି ବୋଲି ସର୍ଭେ ରିପୋର୍ଟ କହୁଛି । ଏହି ପରିପ୍ରେକ୍ଷୀରେ ଗୋଆର ସ୍ଥାନ ପ୍ରଥମ ରହିଥିବାବେଳେ ଦ୍ୱିତୀୟରେ ମିଜୋରାମ ଏବଂ ତୃତୀୟରେ ମେଘାଳୟ ରହିଛି ।