ସାବରିମାଲା ମନ୍ଦିରରେ ଶିଶୁମାନଙ୍କୁ ଢ଼ାଲ ଭାବରେ ବ୍ୟବହାର କରାଯାଉଛି, କେରଳ ସରକାର ଏହାକୁ ବନ୍ଦ କରିବେ

ତିରୁବନନ୍ତପୁରମ୍‌ : କେରଳରେ ଥିବା ସାବରିମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏହାକୁ ଆୟପ୍ପା ଭକ୍ତମାନେ ବିରୋଧ କରୁଛନ୍ତି। ସାବରିମାଲା ମନ୍ଦିରର ପରମ୍ପରାକୁ ସମର୍ଥନ କରୁଥିବା ଲୋକେ ଏହାର ବିରୋଧ କରି ଦର୍ଶନ ଲାଗି ଆସୁଥିବା ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କୁ ପୁରାଇ ଦେଉନାହାନ୍ତି। ଏବେ ଏଥିଲାଗି ଛୋଟ ଛୋଟ ପିଲାମାନଙ୍କୁ ଢ଼ାଲ ଭାବରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ବୁଧବାର ପିଲାମାନଙ୍କୁ ଢ଼ାଲ କରାଯାଉଥିବାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି କେରଳ ସାମାଜିକ ନ୍ୟାୟମନ୍ତ୍ରୀ କେ କେ ଶୈଲଜା ।

The Asian Age

ତାଙ୍କ କହିବା ଅନୁଯାୟୀ, ଏଭଳି ଆନ୍ଦୋଳନରେ ଛୋଟ ପିଲାମାନଙ୍କୁ ସାମିଲ କରି କିଶୋର ନ୍ୟାୟ ଅଧିନିୟମ ଏବଂ ବାଳ ଅଧିକାର ଅଧିନିୟମର ଉଲ୍ଲଙ୍ଘନ କରାଯାଉଛି । ସରକାର ଏଭଳି କାମକୁ ପ୍ରଶୟ ନ ଦେଇ ଏହାକୁ ବିରୋଧ କରିବା ସହ ଏଭଳି ଅପରାଧକୁ ବନ୍ଦ କରିବା ଦରକାର । ଅନେକ ପିଲା ନିଜ ନିଜ ମାତା-ପିତାଙ୍କ ସହ ତୀର୍ଥ ଯାତ୍ରାରେ ଏଠାକୁ ଆସୁଥିବା ବେଳେ ସେମାନଙ୍କୁ ଆନ୍ଦୋଳନରେ ସାମିଲ କରାଯାଉଛି । ପୂଜାପାଠ କରିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ପୂଜାପାଠ ବାହାନାରେ ଏଭଳି କାମ କରାଇବା ଅପରାଧ ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ଏଭଳି କାର୍ଯ୍ୟ ବନ୍ଦ ପାଇଁ କଡ଼ା ପଦକ୍ଷେପ ନେବା ଦରକାର ବୋଲି ସାମାଜିକ ନ୍ୟାୟମନ୍ତ୍ରୀ କେ କେ ଶୈଲଜା କହିଥିଲେ ।

ସମ୍ବନ୍ଧିତ ଖବର