ଚୀନ୍‌ ନିର୍ମାଣ କରୁଛି ‘ଷ୍ଟାର୍‌ ଓ୍ଵାସ୍‌ର୍ ଗନ୍‌’; ୧ କିଲୋମିଟର୍‌ ଦୂରରୁ ଲକ୍ଷ୍ୟ ଭେଦ କରିବ

ନୂଆଦିଲ୍ଲୀ: ଏକ କିଲୋମିଟର୍‌ ଦୂରରୁ ଲକ୍ଷ୍ୟଭେଦ କରି ଏନର୍ଜି ବିମ୍‌ ଦ୍ୱାରା ମଣିଷ ଟିସ୍ୟୁ ମଧ୍ୟରେ ପ୍ରବେଶ କରି ପାରିବା ଭଳି ଏକ ବନ୍ଧୁକ ଚୀନ୍‌ ବିକଶିତ କରୁଛି ବୋଲି ଖବର ମିଳିଛି।

ଦକ୍ଷିଣ ଚୀନର ‘ମର୍ଣ୍ଣିଂ ପୋଷ୍ଟ୍‍’ ଖବର ଅନୁସାରେ, ‘ଜେଡ୍‌କେଜେଡ୍‌ଏମ୍‌-୫୦୦’ ନାମକ ସେ ବନ୍ଧୁକଟି ପ୍ରକୃତରେ ଏକ ଲେଜର୍‌ ଆସଲ୍‌ଟ୍‌ ରାଇଫଲ୍‌ ଯାହା ‘ଷ୍ଟାର୍‌ ଓ୍ଵାର୍ସ’ ସିନେମାର ଲାଇଟ୍‌ସ୍‌ଆବର୍‌ ଦୃଶ୍ୟରୁ ନକଲ କଲା ପରି ଦିଶୁଛି। କିନ୍ତୁ, ଏହା କଳ୍ପନା ନୁହେଁ ବାସ୍ତବ। ନିମିଷକରେ ଏହା ଚର୍ମ ଓ ଟିସ୍ୟୁକୁ ପୋଡ଼ି ଅଙ୍ଗାର କରି ପକାଇବ।

ଏ ବନ୍ଧୁକର ଓଜନ ପ୍ରାୟ ତିନି କିଲୋ ବୋଲି ଏହାକୁ ବିକଶିତ କରିଥିବା ବୈଜ୍ଞାନିକମାନେ କହିଛନ୍ତି। ଏହାର ଆକାର ପ୍ରକାର ଏକେ-ଫର୍ଟି ସେଭେନ୍‌ ପରି। ଏଥିରୁ ନିର୍ଗତ ହେବାକୁ ଥିବା ଏନର୍ଜି ବିମ୍‌ ଖାଲି ଆଖିକୁ ଦେଖା ଯିବ ନାହିଁ କିନ୍ତୁ, ଶହ ଶହ ମିଟର୍‌ ଦୂରେ ଥିବା ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳକୁ ଗତି କରି ପାରିବ। ଏହି ବିମ୍‌ ଶତ୍ରୁର ଚର୍ମ ଭେଦ କରି ଯନ୍ତ୍ରଣାଦାୟକ ମୃତ୍ୟୁ ଆଣିବ। ଲିଥିୟମ୍‌ ବ୍ୟାଟେରି ଚାଳିତ ଏହି ବନ୍ଧୁକକୁ ରିଚାର୍ଜ କରି ହେବ। ପ୍ରତି ଫାୟାର୍‌ର ସମୟ ଅବଧି ୨ ସେକେଣ୍ଡ। ଏଥିରୁ ୧୦୦୦ ଥର ଫାଇରିଙ୍ଗ୍‌ କରିହେବ। ଅଭିଯାନ ଅନୁସାରେ ଏହାକୁ କାର୍‌, ଡଙ୍ଗା ଏବଂ ଉଡ଼ାଜାହାଜରେ ନେଇ ହେବ।

ଜେଡ୍‌କେଜେଡ୍‌ଏମ୍‌-୫୦୦ର ବହୁଳ ଉତ୍ପାଦନ ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରଥମ ଛେକରେ ଉତ୍ପାଦିତ ବନ୍ଧୁକ ଆତଙ୍କବାଦ ବିରୋଧୀ ଅଭିଯାନରେ ବ୍ୟବହାର କରାଯିବ।

ପ୍ରତି ବନ୍ଧୁକର ମୂଲ୍ୟ ୧୫, ୦୦୦ ଆମେରିକୀୟ ଡଲାର୍‌ ରଖାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର