ଚୀନ ପାଇଲା ଋଷିଆର ଅତ୍ୟାଧୁନିକ ଏସ-୪୦୦, ଆସନ୍ତା ମାସରେ ପ୍ରଥମ ପରୀକ୍ଷଣ

ମସ୍କୋ : ଅତ୍ୟାଧୁନିକ କ୍ଷେପଣାସ୍ତ୍ର-ରୋଧୀ ବ୍ୟବସ୍ଥା ଏସ-୪୦୦ ଟ୍ରିୟମ୍ଫ କିଣିବାକୁ ନେଇ ଭାରତ ଉପରେ ଆମେରିକା ଚାପ ପ୍ରୟୋଗ କରୁଥିବାବେଳେ ଚୀନ ଇତି ମଧ୍ୟରେ ତାହାକୁ ପାଇସାରିଲାଣି । ଗତ ସପ୍ତାହରେ ଚୀନ ଋଷିଆଠାରୁ ପ୍ରଥମ ବ୍ୟାଚ୍‌ ଏସ-୪୦୦ ପାଇସାରିଛି । ଗତ କିଛି ମାସ ହେଲା ଏହାକୁ ଚଳାଇବାକୁ ଚୀନ ସେନାର ଏକ ଦଳ ଋଷିଆରେ ତାଲିମ ନେଉଥିଲେ । ଆସନ୍ତା ମାସରେ ଚୀନ ନିଜର ମିଲିଟାରୀ ଫାୟାରିଂ ରେଞ୍ଜରେ ଏହାର ପ୍ରଥମ ପରୀକ୍ଷଣ କରିବ । ଏସ-୪୦୦ ପାଇବାକୁ ଚୀନ ଗତ ୨୦୧୪ରେ ଋଷିଆ ସହିତ ଚୁକ୍ତି କରିଥିଲା । ଏସ-୪୦୦ ପାଇବାରେ ଚୀନ ଋଷିଆର ପ୍ରଥମ ଗ୍ରାହକ ପାଲଟିଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଭାରତ ମଧ୍ୟ ଏହି ବ୍ୟବସ୍ଥା ପାଇବାକୁ ସ୍ଥିତି ଧୀରେ ଧୀରେ ଅନୁକୂଳ ହେଉଛି । ମିଳିଥିବା ସୂଚନା ମୁତାବକ ଏସ-୪୦୦ ପାଇବା ପାଇଁ ଭାରତ ଓ ଋଷିଆ ମଧ୍ୟରେ ବୁଝାମଣା ଚୂଡାନ୍ତ ହୋଇସାରିଛି । ଆମେରିକାର ଚାପ ସତ୍ତ୍ୱେ ଏହି ଚୁକ୍ତିରୁ ଓହରିବାକୁ ଭାରତ ଚାହୁଁନାହିଁ । କାରଣ ଏସ-୪୦୦ ହେଉଛି ବିଶ୍ୱରେ ସର୍ବୋତ୍ତମ କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା । ଋଷିଆ ଏବେ ଏସ-୪୦୦କୁ ଚୀନକୁ ବିକିସାରିଛି । ଚୀନ ମାଧ୍ୟମରେ ପାକିସ୍ତାନ ମଧ୍ୟ ଏହାକୁ କିଣିବାକୁ ଇଚ୍ଛୁକ ଅଛି ।  ଭାରତ ଯଦି ଏହାକୁ ନକିଣେ ଋଷିଆ ନିଶ୍ଚିତଭାବେ ପାକିସ୍ତାନକୁ ବିକିବ ଯାହାକି ଭାରତ ଚାହୁଁନାହିଁ ।

ସମ୍ବନ୍ଧିତ ଖବର