ଚୀନର ଚକ୍ରାନ୍ତ : ପାକିସ୍ତାନର ଗ୍ଵାଦର ବନ୍ଦରରେ ଆଣବିକ ବୁଡ଼ାଜାହଜ ମୁତୟନ କରିବ

ନୂଆଦିଲ୍ଲୀ: ପାକିସ୍ତାନରେ ଚୀନ ପକ୍ଷରୁ ନିର୍ମାଣ କରାଯାଉଥିବା ଗ୍ଵାଦର ବନ୍ଦରକୁ ନେଇ ଭାରତ ସରକାର ପୂର୍ବରୁ ଅନେକ ଚିନ୍ତା ପ୍ରକଟ କରୁଥିଲେ । ଏହା ପଛରେ ଚୀନର କୌଣସି ଅର୍ଥନୈତିକ କାରଣ ନାହିଁ ବରଂ ସାମରିକ ଯୋଜନା ରହିଛି ବୋଲି ଭାରତ ଆଶଙ୍କା କରୁଥିଲା । ତେବେ ଏହା ପଛରେ କୌଣସି ସାମରିକ ଉଦ୍ଦେଶ୍ୟ ନାହିଁ ବୋଲି ଚୀନ ସଫେଇ ଦେଇଆସୁଥିଲା ।

କିନ୍ତୁ ଏବେ ଭାରତର ଏହି ଆଶଙ୍କା ସତ ପ୍ରମାଣିତ ହେବାକୁ ଯାଉଛି । କାରଣ ଚୀନ ପାକିସ୍ତାନର ଏହି ଗ୍ଵାଦର ବନ୍ଦରରେ ଆଣବିକ ବୁଡ଼ାଜାହଜ ମୁତୟନ କରିବାକୁ ଯୋଜନା କରୁଥିବା ଜଣାଯାଇଛି । ଏଥିଲାଗି ଉକ୍ତ ବନ୍ଦରରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଆରମ୍ଭ ହୋଇଛି । ନିକଟରେ ଚୀନର ଏକ ବୈଷୟିକ ପ୍ରତିନିଧିଦଳ ପାକିସ୍ତାନ ଆସି ବରିଷ୍ଠ ନୌସେନା ଅଧିକାରୀମାନଙ୍କୁ ଭେଟିଛନ୍ତି । ଏହି ବନ୍ଦର ଭାରତ ଉପକୂଳରୁ ବେଶୀ ଦୂରରେ ନଥିବାରୁ ଚୀନ ଭାରତୀୟ ନୌସେନାର କାର୍ଯ୍ୟକଳାପ ଉପରେ ନଜର ରଖିପାରିବ । କେବଳ ଏତିକି ନୁହେଁ ଚୀନ ପାକିସ୍ତାନ ଉପକୂଳରେ ୩ଟି ବୁଡ଼ାଜାହଜ ବେସ ସ୍ଥାପନ କରିବାକୁ ଯୋଜନା କରୁଛି ।

ଗୋଟିଏ ଆଣବିକ ବୁଡ଼ାଜାହଜର ଅର୍ଥ ହେଉଛି ଆଣବିକ ଶକ୍ତି ଦ୍ୱାରା ପରିଚାଳିତ ବୁଡ଼ାଜାହଜ । ଅର୍ଥାତ୍‌ ଏହା ପେଟ୍ରୋଲ ବଦଳରେ ଆଣବିକ ଶକ୍ତି ଦ୍ୱାରା ଚାଲିଥାଏ । ଜରୁରୀ ନୁହେଁ ଯେ ଏଥିରେ ଆଣବିକ ଅସ୍ତ୍ର ଥିବ ।

ଇରାନ ସୀମାରେ ଥିବା ଜିବାନି ବନ୍ଦରରେ ଏକ ନୌସେନା ହାର୍ବର ସ୍ଥାପନ କରୁଥିବା ଖବରକୁ ଚୀନ କିଛିଦିନ ତଳେ ଖଣ୍ଡନ କରିଥିଲା । କିନ୍ତୁ ଆମେରିକା ଗୁଇନ୍ଦା ସଂସ୍ଥା ମଧ୍ୟ ଏହି ଖବରକୁ ସତ୍ୟ ବୋଲି କହୁଛି ।

ସମ୍ବନ୍ଧିତ ଖବର