ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ୱେବସାଇଟ ହ୍ୟାକ୍‌, ସଂଦେହରେ ଚୀନ

ନୂଆଦିଲ୍ଲୀ: ଦିନକୁ ଦିନ ଚୀନ ପଟୁ ବିପଦର ଆଶଙ୍କା ବଢିଚାଲିଛି । କେବଳ ସାମରିକ କ୍ଷେତ୍ର ନୁହେଁ ସାଇବର କ୍ଷେତ୍ରରେ ମଧ୍ୟ ବିପଦ ବଢିଚାଲିଛି । ଏକ ଚିନ୍ତାଜନକ ଘଟଣାକ୍ରମରେ ଭାରତର ସବୁଠୁ ସୁରକ୍ଷିତ ୱେବସାଇଟ କୁ ଚାଇନିଜ୍‌ ହ୍ୟାକରମାନେ ହ୍ୟାକ କରିବାରେ ସକ୍ଷମ ହୋଇଛନ୍ତି । ଏହା ଫଳରେ ଭାରତୀୟ ପ୍ରତିରକ୍ଷା ୱେବସାଇଟ ଟି ଡାଉନ ହୋଇଯାଇଛି  । ୱେବସାଇଟ ରେ (https://mod.gov.in) ଲଗଇନ କଲେ ଚାଇନିଜ୍‌ ଭାଷା ବା ମାଣ୍ଡାରିନରେ କିଛି ଲେଖା ଦେଖାଯାଉଛି । ଏହା ସହିତ ଏରର୍‌ ମଧ୍ୟ ଦେଖାଦେଉଛି । ଏହାକୁ ନେଇ ସୁରକ୍ଷା ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

 

ଚୀନର ମୋବାଇଲ ଓ ଟେଲିକମ ସାମଗ୍ରୀ ଭାରତୀୟ ବଜାରକୁ ଏକରକମ ଅକ୍ତିଆର କରିସାରିଛି । ଏହା ଦ୍ୱାରା ଭାରତୀୟଙ୍କ ଉପରେ ନଜର ରଖିବା ଚୀନ ପାଇଁ ସହଜ ହୋଇଯାଇଛି । ଚୀନର ହ୍ୟାକରମାନେ ଯେକୌଣସି ସମୟରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଆଶଙ୍କା ବଢିଚାଲିଛି । ଚୀନ ଦିନକୁ ଦିନ ସାଇବର ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଏଦିଗରେ ମଧ୍ୟ ଭାରତକୁ ପ୍ରସ୍ତୁତ ହେବାର ସମୟ ଆସିଯାଇଛି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।ଏ ନେଇ ସରକାର ଅବଗତ ଅଛନ୍ତି ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଖୁବଶୀଘ୍ର ୱେବସାଇଟ ସ୍ୱାଭାବିକ ହୋଇଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ସମ୍ବନ୍ଧିତ ଖବର