ସ୍ୱୀକାର କଲା ଫେସ୍‌ବୁକ୍‌ : ୮.୭ କୋଟି ବ୍ୟବହାରକାରୀଙ୍କ ତଥ୍ୟ ଚୋରି

ଲୋକସଭା ନିର୍ବାଚନ ଉପରେ ଫେସ୍‌ବୁକ୍‌ର ନଜର

ଓ୍ଵାସିଂଟନ: ବ୍ରିଟେନ୍‌ର ରାଜନୈତିକ ତଥ୍ୟ ବିଶ୍ଳେଷକ କମ୍ପାନି କେମ୍ବ୍ରିଜ ଆନାଲିଟିକା ୮କୋଟି ୭୦ ଲକ୍ଷ ଲୋକଙ୍କ ତଥ୍ୟ ଚୋରି କରିଥିବା ନେଇ ଆଜି ଖୋଦ୍‌ ଫେସ୍‌ବୁକ୍‌ ସିିଇଓ ମାର୍କ ଜୁକରବର୍ଗ ସ୍ୱୀକାର କରିଛନ୍ତି। ଏମାନଙ୍କ ମଧ୍ୟରେ ୫ଲକ୍ଷ ୬୨ ହଜାର ୧୨୦ ଜଣ ଭାରତୀୟଙ୍କର ମଧ୍ୟ ତଥ୍ୟ ରହିଥିବା ଜଣାପଡ଼ିଛି। ମାତ୍ର ୩୩୫ ଜଣ ଭାରତୀୟ ଫେସ୍‌ବୁକ୍‌ ବ୍ୟବହାରକାରୀ କେମ୍ବ୍ରିଜ ଆନାଲିଟିକାର ଆପ୍‌ ଡାଉନଲୋଡ କରି ତଥ୍ୟ ଚୋରିରେ ସାମିଲ ହୋଇଥିଲେ ବୋଲି ଫେସ୍‌ବୁକ୍‌ ସ୍ୱୀକାର କରିଛି। ଯଦିଓ ଏହି ୩୩୫ଜଣ ବ୍ୟବହାରକାରୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଫେସ୍‌ବୁକ୍‌ ଦେଇନାହିଁ, ତଥାପି ଏହି ସଂଖ୍ୟା କେମ୍ବ୍ରିଜ ଆନାଲିଟିକା ଆପ୍‌ ବ୍ୟବହାରକାରୀଙ୍କର ମାତ୍ର ୦.୧ ପ୍ରତିଶତ ବୋଲି ଜଣାପଡ଼ିଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଫେସ୍‌ବୁକ୍‌କୁ ମାଗିଥିବା ରିପୋର୍ଟର ଜବାବ୍‌ ଦେଇ ଜୁକରବର୍ଗ ଏହି ଉତ୍ତର ଦେଇଛନ୍ତି। ତେବେ ଆସନ୍ତା ସୋମବାରଠାରୁ ଫେସ୍‌ବୁକ୍‌ରେ ହେବାକୁ ଯାଉଥିବା ସୁରକ୍ଷା ସମ୍ବନ୍ଧୀୟ ପରିବର୍ତ୍ତନରେ ବ୍ୟବହାରକାରୀଙ୍କୁ ନିଜ ତଥ୍ୟ ସୁରକ୍ଷିତ ରଖିବା ପାଇଁ ବିଶେଷଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। କେମ୍ବି୍ରଜ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱବିତ୍‌ ପ୍ରଫେସର ଡ.ଆଲେକଜାଣ୍ଡାର କୋଗାନ୍‌ଙ୍କ ଗ୍ଲୋବାଲ ସାଇନ୍ସ ରିସର୍ଚ ନାମକ ଏକ କମ୍ପାନି ମାଧ୍ୟମରେ କେମ୍ବ୍ରିଜ ଆନାଲିଟିକା ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କୁ ସ୍ୱତନ୍ତ୍ର ଆପ୍‌ ଇନ୍‌ଷ୍ଟଲ କରିବା ପାଇଁ ପ୍ରବର୍ତ୍ତାଇଥିଲା। ଏହି ତାଲିକାର ସର୍ବାଗ୍ରେ ଆମେରିକା ରହିଥିବା ବେଳେ ମୋଟ ତଥ୍ୟଚୋରିର ପ୍ରାୟ ୮୧ ପ୍ରତିଶତ ଅର୍ଥାତ୍‌ ୭ କୋଟି ଆମେରିକୀୟ ଲୋକଙ୍କ ତଥ୍ୟ ଚୋରି ହୋଇଛି।

ଓ୍ଵାସିଂଟନ, ୫/୪: ଗୋଟିଏ ପଟେ ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ୍‌ରୁ ତଥ୍ୟଚୋରି ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଭାରତର ବିଭିନ୍ନ ନିର୍ବାଚନ ଉପରେ ଆମେ ସତର୍କ ନଜର ରଖିଛୁ ବୋଲି ଆଜି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି। କେବଳ ଯେ,ଭାରତ ନୁହେଁ ବରଂ ଆମେରିକା ଓ ପାକିସ୍ତାନରେ ମଧ୍ୟ ଆଗକୁ ନିର୍ବାଚନ ହେବାକୁ ଯାଉଛି। ବାରମ୍ବାର ଫେସ୍‌ବୁକ୍‌ ତଥ୍ୟକୁ ଆଧାର କରି ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ନିର୍ବାଚନ ଏଜେଣ୍ଡା ପ୍ରସ୍ତୁତ କରୁଥିବାରୁ ଏଥିପ୍ରତି ତାଙ୍କ କମ୍ପାନି ବିଶେଷ ଭାବେ ଧ୍ୟାନ ଦେବ ବୋଲି ଜୁକରବର୍ଗ କହିଛନ୍ତି। ଏହି ନିର୍ବାଚନକୁ ଆଖିଆଗରେ ରଖି ଯେଭଳି ଭାବେ କୌଣସି ପ୍ରକାର ତଥ୍ୟ ଚୋରି ନହୁଏ ସେଥିପାଇଁ ଫେସ୍‌ବୁକ୍‌ ଏହାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଯାଉଥିବା ସେ କହିଛନ୍ତି। ମଧ୍ୟପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନ ଚଳିତବର୍ଷ ଥିବା ବେଳେ ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପରିବେଶକୁ ନେଇ ବିଦେଶରେ ମଧ୍ୟ ଏହାକୁ ଚର୍ଚ୍ଚା ଜୋର ଧରିଛି। ଏହି ସବୁ ତଥ୍ୟ ଚୋରିକୁ ରୋକିବା ପାଇଁ ଫେସ୍‌ବୁକ୍‌ ୩ ପ୍ରକାର ବ୍ୟବସ୍ଥା ଆପଣାଇଛି। ପ୍ରଥମଟି ହେଲା ମିଛ ଖବର ପ୍ରସାର କରୁଥିବା ବ୍ୟକ୍ତି , ଦ୍ୱିତୀୟରେ ନିର୍ବାଚନରେ ବିଭିନ୍ନ ପ୍ରକାର କୂଟନୀତି କରୁଥିବା ରାଜନୈତିକ ଦଳ ଓ ତୃତୀୟରେ କିଛି ଗଣମାଧ୍ୟମଙ୍କ କାର୍ଯ୍ୟକଳାପ ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଉଥିବା ଜୁକରବର୍ଗ କହିଛନ୍ତି। ଫେସ୍‌ବୁକ୍‌ର ସୁରକ୍ଷା ବୃଦ୍ଧି ପାଇଁ ୧୫ ହଜାର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିବା ଜୁକରବର୍ଗ କହିଛନ୍ତି।

ସମ୍ବନ୍ଧିତ ଖବର