ୟୁପିରେ ସ୍ଥିତି ସୁଦୃଢ଼ କରିବ କଂଗ୍ରେସ

ସବୁ ଜିଲ୍ଲା କମିଟିର ହେବ ପୁନର୍ଗଠନ, କ’ଣ ରହିବ ପ୍ରିୟଙ୍କାଙ୍କ ଦାୟିତ୍ବ?

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ଉତ୍ତରପ୍ରଦେଶ‌ରେ କଂଗ୍ରେସକୁ ସବୁଠୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟରେ ୮୦ ଲୋକସଭା ଆସନରେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ନିର୍ବାଚନ ଜିତିବାରେ ସକ୍ଷମ ହୋଇଥିଲା। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆମେଥି ଆସନ ମଧ୍ୟ ଦଳ ନିଜ କବ୍‌ଜାରେ ରଖିପାରି ନାହିଁ। ଦଳ ବଡ଼ ଧରଣର ବିପର୍ଯ୍ୟୟ ସାମ୍ନା କରିବାର ମାସକ ପରେ ଏବେ ବିଭିନ୍ନ ରାଜ୍ୟରେ କଂଗ୍ରେସର ସାଂଗଠନିକ ଶକ୍ତି ସୁଦୃଢ଼ କରିବାପାଇଁ ପ୍ରୟାସ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶରେ ତୃଣମୂଳ ସ୍ତରରେ ଦଳୀୟ କର୍ମୀମାନଙ୍କୁ ସକ୍ରିୟ କରିବାପାଇଁ କଂଗ୍ରେସ ଉତ୍ତରପ୍ରଦେଶରେ ସମସ୍ତ ଜିଲ୍ଲା କମିଟି ଗୁଡ଼ିକୁ ଭାଙ୍ଗି ଦେଇଛି। ଏହି କମିଟି ଗୁଡ଼ିକର ପୁନର୍ଗଠନ ହେବ। ଲୋକସଭା ନିର୍ବାଚନରେ ଦଳ ଯେଉଁ କ୍ଷତି ସହିଛି ତାହାର ପୁନଃ ସମୀକ୍ଷା କରିବାପାଇଁ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି। ଏହି କମିଟି ୨୦୧୯ ଲୋକସଭା ନିର୍ବାଚନରେ ଦଳ ମଧ୍ୟରେ ‌ଯେଉଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ତାହାର ସମୀକ୍ଷା କରିବ। ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ କଂଗ୍ରେସ କର୍ମୀମାନଙ୍କୁ ଚେତାବନୀ ଦେଇ କହିଥିଲେ, ଯେଉଁମ‌ାନେ ଦଳ ପାଇଁ କାର୍ଯ୍ୟ କରିନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ ଏକ ବିବୃତି ଜାରି କରି କହିଛନ୍ତି ଯେ ଉତ୍ତରପ୍ରଦେଶରେ ଦଳୀୟ କମିଟି ଗୁଡ଼ିକର ପୁନର୍ଗଠନ ନିଷ୍ପତ୍ତିକୁ ଏଆଇସିସି ମଂଜୁରି ଦେଇ ସାରିଛି। ତେବେ ପୂର୍ବ ଉତ୍ତରପ୍ରଦେଶରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଦାୟିତ୍ବ ବଦଳିବ କି ପୂର୍ବବତ୍‌ ସମାନ ରହିବ ‌ସେନେଇ ଏବେ ପ୍ରଶ୍ନ ଉଠିଛି।
ଉତ୍ତରପ୍ରଦେଶରେ ଆଗକୁ ୧୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଏହି ସବୁ ଆସନରେ ବିଜୟ ପାଇଁ ଉଦ୍ୟମ ଆରମ୍ଭ କରିଛି। ଦଳ ନିର୍ବାଚନୀ ପ୍ରସ୍ତୁତି କରିବାପାଇଁ ୨ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି। କଂଗ୍ରେସ ନେତା ଅଜୟ କୁମାର ଲାଲ୍ଲୁ ଉତ୍ତରପ୍ରଦେଶ ପୂର୍ବରେ ସାଂଗଠନିକ ପରିବର୍ତ୍ତନ ଦାୟିତ୍ବ ‌ନେଇଛନ୍ତି। ଉତ୍ତରପ୍ରଦେଶ ପୂର୍ବ ଏବଂ ପଶ୍ଚିମ ପାଇଁ ଦାୟିତ୍ବରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଦିଆ ‌ନିକଟରେ ଏକ ସମୀକ୍ଷା ‌ବୈଠକ କରିବାପରେ ଦଳରେ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର