ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପ‌େର ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ଫୋକସ୍ ରାଜ୍ୟ ମାନ୍ୟତା ଦାବି କଲା ଓଡ଼ିଶା

ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବାକୁ ନେଇ ଆଜି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଲୋକସଭାରେ ଜୋରଦାର୍ ଢଙ୍ଗରେ ଦାବି ଉପସ୍ଥାପନ କରାଯାଇଛି। ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ପ୍ରଦାନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ୧୭ ମିନିଟ୍‌ର ଭାଷଣରେ ପିନାକୀ ମିଶ୍ର କହିଥିଲେ ଗତ ୬ ବର୍ଷରେ ଓଡ଼ିଶାକୁ ୪ଟି ପ୍ରଳୟଙ୍କାରୀ ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇଲିନ, ହୁଡହୁଡ୍, ତିତ୍‌ଲି, ଫନି ବାତ୍ୟା ଯୋଗୁଁ ଓଡ଼ିଶାର ଅନେକ ଧନସମ୍ପତ୍ତି ନଷ୍ଟ ହୋଇଛି। ନିର୍ବାଚନର ୧୦ ଦିନ ପରେ ଫନି ବାତ୍ୟା ପୁରୀକୁ ବିଶେଷ ଭାବେ ପ୍ରଭାବିତ କରିଛି ଓ ଏହା ୫୦-୬୦ ବର୍ଷ ପଛକୁ ଚାଲିଯାଇଛି। ପୁନଃନିର୍ମାଣ ଓ ପୁନଃବିକାଶ କାର୍ଯ୍ୟର ଆବଶ୍ୟକତା ରହିଛି। ଫନି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରାଥମିକ ଆକଳନ‌େର ୧୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସେ କହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଅଭିଭାଷଣରେ ଫନି ବାତ୍ୟାର ଆଗୁଆ ସୂଚନା ଯୋଗୁଁ ଧନ ଓ ଜୀବନ ବଞ୍ଚାଇ ଦିଆଯାଇପାରିଥିଲେ ବୋଲି ଉଲ୍ଲେଖ କରିଥିଲେ। ଏନେଇ ପିନାକୀ ମିଶ୍ର ତାଙ୍କ ଭାଷଣରେ ଓଡ଼ିଶା ସରକାର ୪୮ ଘଣ୍ଟା ଭିତରେ ୧୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରି ପାରିଥିଲେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ ତଥା ହଜା‌େର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହାର ଲାଭ ଓଡ଼ିଶାକୁ ମିଳିଛି । ତେଣୁ ପ୍ରଧାନମନ୍ତ୍ରୀ ଧନ୍ୟବାଦର ପାତ୍ର ବୋଲି ପିନାକୀ କହିଥିଲେ। ସେ କହିଥିଲେ ବର୍ତ୍ତମାନ ସ୍ଥିତିରେ ବାତ୍ୟା ପୀଡ଼ିତଙ୍କ ପାଇଁ ୫ ଲକ୍ଷ ଗୃହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଯୋଗାଇଦେବାର ଆବଶ୍ୟକତା ରହିଛି। ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ। ଓଡ଼ିଶାକୁ ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଯୋଜନାରେ ସ୍ବତନ୍ତ୍ର ସହାୟତା ଯୋଗାଇ ଦିଆଯାଉ ବୋଲି ପିନାକୀ ଦାବି କରିଥିଲେ। ପିନାକୀ ତାଙ୍କ ଭାଷଣରେ କହିଥିଲେ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଓଡ଼ିଶା ପ୍ରତି ଐତିହାସିକ ଅନ୍ୟାୟ ହୋଇଆସୁଛି। ଓଡ଼ିଶା ରାଜ୍ୟ ଗଠନ ହେବାର ୮୩ ବର୍ଷ ବିତିଯାଇଛି। ଆମେ ବହୁତ ଧୈର୍ଯ୍ୟ ଧରିଛୁ ଓ କଷ୍ଟ ସହିଛୁ। ଆଉ ଆମ ଧୈର୍ଯ୍ୟର ପରୀକ୍ଷା କରନାହିଁ, ଆମକୁ ଆମର ହକ୍ ଆମକୁ ଦିଅ ବୋଲି ପିନାକୀ କହିଥିଲେ।

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପିନାକୀ ମିଶ୍ର ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଉପରେ ମଧ୍ୟ କେନ୍ଦ୍ର ସରକାରଙ୍କର ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଟେଲିଫୋନ ସାନ୍ଦ୍ରତା, ବ୍ୟାଙ୍କିଂ ନେଟଵର୍କ, ରାସ୍ତା ଓ ରେଲୱେ ନେଟଵର୍କ ଭଳି ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ସ୍ବତନ୍ତ୍ର ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି। ସେ ପୁଣି କହିଥିଲେ ରେଳବାଇକୁ ଓଡ଼ିଶା ପ୍ରତ୍ୟେକ ବର୍ଷ ୨୦ ହଜାର କୋଟି ଟଙ୍କା ରାଜସ୍ବ ଦେଉଥିବା ବେଳେ ଓଡ଼ିଶାରେ ‌ରେଳବାଇ କେବଳ ୧୦୦୦ରୁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ମହିଳା ସଂରକ୍ଷଣ ବିଲ୍‌କୁ ଗୃହୀତ କରିବା ପାଇଁ ସେ କହିଥିଲେ ଏବଂ ଏହି ପରିପ୍ରେକ୍ଷୀରେ କହିଥିଲେ ଓଡ଼ିଶାରୁ ବିଜେଡିର ୫ ଜଣ ଓ ବିଜେପିର ୨ ମହିଳା ସଂସଦ ଜିତିଛନ୍ତି, ଯାହା ମହିଳା ସଂରକ୍ଷଣ ପଦକ୍ଷେପକୁ ଦର୍ଶାଉଛି। ଏହି ଅବସରରେ ପିନାକୀ ନିକଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ବାରା ହାଇକୋର୍ଟ ବିଚାରପତିମାନଙ୍କ ଅବସର ବୟସ ବୃଦ୍ଧି କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ପତ୍ର ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ହାଇକୋର୍ଟରେ ବିଚରାଧିନ ମାମଲାର ବୋଝ ଦିନକୁ ଦିନ ବଢୁଥିବାରୁ ଏ ଦିଗରେ ପ୍ରଧାନ ବିଚାରପତିଙ୍କ ପତ୍ରର ଗୁରୁତ୍ବ ରହିଥିବାର ସେ କହିଥିଲେ।

ଓଡ଼ିଶାରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ସରକାର ଗଠନ କରିଛନ୍ତି। ବିଜେଡି ନିର୍ବାଚନ ଇସ୍ତାହାରରେ କହିଥିଲା କେନ୍ଦ୍ରରେ ଯେଉଁ ସରକାର ଆସିବ ଆମେ ତାଙ୍କୁ ଗଠନମୂଳକ ସହଯୋଗ ପ୍ରଦାନ କରିବୁ। ତେଣୁ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାର୍ଯ୍ୟ କରିବା ଉଚିତ ବୋଲି ପିନାକୀ ତାଙ୍କ ଭାଷଣରେ କହିଥିଲେ।

ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ାଯାଉ
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବା ପାଇଁ ସେ ଦାବି କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନୈତିକ ନେତା ପୂର୍ବରୁ ଦାବି କରି କରିଆସିଛନ୍ତି। ଚାଷୀମାନଙ୍କ ପ୍ରସଙ୍ଗରେ ଉଲ୍ଲେଖ କରି ପ୍ରସନ୍ନ କହିଥିଲେ ଚାଷୀ ଆତ୍ମହତ୍ୟା ଭଳି ପ୍ରସଙ୍ଗ ଗୁଡ଼ିକର ଉପଯୁକ୍ତ ଅଧ୍ୟୟନ କରାଯିବା ସହି ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରାଯାଉ। ଓଡ଼ିଶାର କାଳିଆ ଯୋଜନାକୁ କେନ୍ଦ୍ର ଅନୁସରଣ କରିବାକୁ ମଧ୍ୟ ସେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମହାନଦୀ ପ୍ରଦୂଷଣ ଦୂରୀକରଣକୁ ନେଇ ଉଲ୍ଲେଖ ରହିଥିବାରୁ ସେ ପ୍ରଶଂସା କରିଥିଲେ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରସନ୍ନ ତାଙ୍କର ଭାଷଣରେ ଉଲ୍ଲେଖ କରିଥିଲେ।

ଯୋଜନାର ନାଁ ବଦଳାଇ ବିଜେପି ବାହାବା ନେଉଛି
ନୂଆଦିଲ୍ଲୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ବିରୋଧରେ କଂଗ୍ରେସରେ ଲୋକସଭା ନେତା ଅଧୀର ରଂଜନ ଚୌଧୁରୀ ପ୍ରବଳ ବର୍ଷିଛନ୍ତି। ଅଧୀର କହିଛନ୍ତି ବିଜେପି ୨୦୧୯ ନିର୍ବାଚନରେ ପୁଣିଥରେ କ୍ଷମତାକୁ ଫେରିବାରେ ସକ୍ଷମ ହେଲା। ଏହାର କାରଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠୁ ବଡ଼ ସେଲ୍ସମ୍ୟାନ୍‌ ଥିଲେ। କିନ୍ତୁ କଂଗ୍ରେସ ନିର୍ବାଚନରେ ଏହାର ଉତ୍ପାଦ ବିକ୍ରି କରିବାରେ ବିଫଳ ହେଲା। ବିଜେପି ସରକାର ରାଜନୈତିକ ‌ଚୋରି ଅଭ୍ୟାସ ଆରମ୍ଭ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କୁ ମନେ ପକାଇ ଅଧୀର ତାଙ୍କ ଦେଢ଼ ଘଣ୍ଟାର ଭାଷଣରେ କଂଗ୍ରେସ ସରକାର ଦ୍ବାରା ଆରମ୍ଭ ‌ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ କହିଥିଲେ। ବିଜେପି କେବଳ କଂଗ୍ରେସ ଦ୍ବାରା ଆରମ୍ଭ ହୋଇଥିବା ୨୩ଟି ‌ଯୋଜନାରୁ ୧୯ଟିର ନାମ ପରିବର୍ତ୍ତନ କରି ବାହାବା ‌ନେଇଛି ବୋଲି ଚୌଧୁରୀ କହିଛନ୍ତି। ସ୍ବାଧୀନତା ପରଠାରୁ କଂଗ୍ରେସ ଦେଶ‌େର ବିକାଶର ମୂଳଦୁଆ ପକାଇଛି। କଂଗ୍ରେସ କିଛି କରିନାହିଁ, ବିଜେପି ହିଁ ସବୁ କରିଛି ବୋଲି ଯାହା କୁହାଯାଉଛି ତାହା କେବଳ ସତ୍ୟର ଉପହାସ। ଅନ୍ୟପକ୍ଷରେ ମୋଦୀଙ୍କୁ ବିବେକାନନ୍ଦଙ୍କ ସହିତ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତୁଳନା କରିବା ପରେ ଅଧୀର କହିଥିଲେ କାହିଁ ମା ଗଙ୍ଗା ଏବଂ ‘ଗନ୍ଦି ନାଳି’। ବିଜେପି ଅଧୀରଙ୍କର ଏଭଳି କଥାର ଦୃଢ଼ ବିରୋଧ କରିବା ପରେ ବିବାଦୀୟ ବୟାନକୁ ରେକର୍ଡରୁ ବାଦ୍ ଦେବାକୁ ବାଚସ୍ପତି ଓମ୍ ବିର୍ଲା କହିଥିଲେ। ଏହାପରେ ଅଧୀର କହିଥିଲେ ତାଙ୍କ ମନ୍ତବ୍ୟର ଭିନ୍ନ ଅର୍ଥ ବାହାର କରାଯାଉଛି। ତେବେ ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ ସେ ଏଥିପାଇଁ କ୍ଷମା ମାଗି ନେଉଛନ୍ତି।

ସମ୍ବନ୍ଧିତ ଖବର