ନୂଆଦିଲ୍ଲୀ: କଥାରେ ଅଛି ଜଣେ ନାରୀ ପାଇଁ ମାତୃତ୍ବ ଲାଭ ହିଁ ଜୀବନର ସବୁଠାରୁ ବଡ଼ ସଫଳତା। ନାରୀଟିଏ ଯେତେବେଳେ ପତ୍ନୀରୁ ମାଆ ସାଜେ ଖାଲି ସେ କାହିଁକି ପୂରା ପରିବାରରେ ଖେଳିଯାଏ ଖୁସିର ଲହରୀ। ହେଲେ ବିଡ଼ମ୍ବନାର କଥା ହେଉଛି ମହାମାରୀ କରୋନା ଭାଇରସ୍ ଦାଉରୁ ଦୁଃଖରେ ବଦଳୁଛି ଖୁସିର ମୁହୂର୍ତ୍ତ। ପିଲାଟିଏ ସଂସାରକୁ ଆସିଲେ ପରିବାର ଲୋକ ଖୁସି ହେବା ବଦଳରେ ବଢୁଛି ମୁଣ୍ଡବିନ୍ଧା।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ପରେ ପରେ ସ୍ବାସ୍ଥ୍ୟ ସେବାକୁ ଆଉ ଭରସା ନାହିଁ। ବିଶେଷ କରି ଗର୍ଭବତୀ ମହିଳାମାନଙ୍କ ପାଇଁ କାଳ ସାଜିଛି କରୋନା। ରାଜ୍ୟରୁ ନେଇ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଗର୍ଭବତୀ ମହିଳାଙ୍କ ଅସୁବିଧାର ଚିତ୍ର। କରୋନା ପାଇଁ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦେଇ ଅନେକ ଡାକ୍ତର ଏପରିକି ଗର୍ଭବତୀଙ୍କୁ ସ୍ପର୍ଶ ବି ଟିକେ କରୁନାହାନ୍ତି। ଈଶ୍ବରଙ୍କ ଭରସାରେ ଜନ୍ମ ହେଉଛନ୍ତି ଶହ ଶହ ଶିଶୁ।
ଏମିତି ବି ଘଟୁଛି ପ୍ରସବ ପୂର୍ବରୁ କରାଯାଉଥିବା ପରୀକ୍ଷାରେ କରୋନା ପଜିଟିଭ୍ ବାହାରୁଛନ୍ତି ପ୍ରସୂତୀ। ପ୍ରସବ ପାଇଁ ଠିକ୍ ହୋଇଥିବା ହସ୍ପିଟାଲ୍ରେ ଆଉ ମିଳୁନାହିଁ ଜାଗା। ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣେ ମହିଳାଙ୍କ ବଡ଼ ଭାଇ କୁହନ୍ତି, ‘ଆମେ ଅନେକ ବେସରକାରୀ ହସ୍ପିଟାଲ୍ରେ ଭର୍ତ୍ତି ପାଇଁ ଚେଷ୍ଟା କରି ମଧ୍ୟ କେହି ଭର୍ତ୍ତି କରାଇଲେ ନାହିଁ। ଏପରିକି ଏକ ହସ୍ପିଟାଲ୍ ୫ ଲକ୍ଷ ଟଙ୍କା ଦାବି କଲା। ତା’ ପୂର୍ବରୁ ଆମକୁ ୩ ଘଣ୍ଟା ଅପେକ୍ଷା କରାଇଲା। ଶେଷରେ ଆମେ ମୋ ଭଉଣୀକୁ ଧରି ସରକାରୀ ପରିଚାଳିତ ଏଲ୍ଏନ୍ଜେପି ହସ୍ପିଟାଲ୍କୁ ନେଇଗଲୁ। ସେଠାରେ ଏପରି ପରିବେଶରେ ପ୍ରସୂତୀଙ୍କୁ ରଖାଗଲା ଜଣେ ସୁସ୍ଥ ମଣିଷ ବି ଅସୁସ୍ଥ ହୋଇଯିବ।
ଅନେକ କୋଭିଡ୍ ପଜିଟିଭ୍ ମହିଳା ନିଜ ପରିବାର ଲୋକଙ୍କ ଅନୁପସ୍ଥିତରେ ପିଲାକୁ ଜନ୍ମ ଦେଉଛନ୍ତି, ଯାହାକି ଅତ୍ୟନ୍ତ କଷ୍ଟାଦାୟକ। ଏପରିକି ପିଲାଟିକୁ ଜନ୍ମ ଦେବା ପରେ ପରେ ହିଁ ମାଆଠାରୁ ପିଲାକୁ ଦୂରେଇ ନେଇ ପୃଥକ ଭାବେ ରଖାଯାଉଛି। ଦୀର୍ଘ ସମୟ ଧରି ନିଜ ପିଲାର ଭଲ ମନ୍ଦର ଖବର ଟିକେ ବି ପାଇ ପାରୁନାହାନ୍ତି ଅନେକ ମାଆ। ଯେଉଁ ସମୟରେ କି ହସ୍ପିଟାଲ୍ କର୍ମୀମାନେ ଗର୍ଭବତୀମାନଙ୍କୁ ପରିବାରର ଅନୁଭବ ଦେବା କଥା ସେହି ସମୟରେ କରୋନା ଭୟରେ ଅଣଦେଖା କରୁଛନ୍ତି ଅନେକ ସ୍ବାସ୍ଥ୍ୟ କର୍ମୀ। ତା ସତ୍ତ୍ବେ ବି ହାରୁଛି କରୋନା ଓ ଜିତିଛୁ ମାତୃତ୍ବ। ମାଆ କେବେ ହାରେ କି?
କେବଳ ଗର୍ଭବତୀ କାହିଁକି, କର୍କଟ ଓ ହୃଦ୍ ରୋଗୀମାନେ ବି କରୋନା ପାଇଁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂରା ବିଶ୍ବରେ ଭାରତରେ ମାତୃ ମୃତ୍ୟୁ ହାର ୧୫ ପ୍ରତିଶତ। ଉଭୟ ସଂକ୍ରମିତ ଓ ସଂକ୍ରମିତମୁକ୍ତ ମହିଳାଙ୍କୁ ଭପଯୁକ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପ୍ରତ୍ୟେକ ହସ୍ପିଟାଲ୍ର କର୍ତ୍ତବ୍ୟ।
ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏପରି ଅନେକ ମାଆ ଦେଖିବାକୁ ମିଳିଛନ୍ତି ଯିଏକି କରୋନା ଭାଇରସ୍ ପାଇଁ ଅବହେଳିତ। ଗୋଟିଏ ପଟେ କରୋନା ଭାଇରସ ଦ୍ବାରା ସଂକ୍ରମିତ ହେବାର ଭୟ ଅନ୍ୟ ପଟେ ଡାକ୍ତରୀ ଯତ୍ନ ମିଳିବାର ଆଶଙ୍କାର କବଳିତ ସେମାନେ। ତଥାପି ସେମାନେ ଜିତୁଛନ୍ତି, କରୋନା ହାରୁଛି। ପ୍ରତିକୂଳ ପରିସ୍ଥିତିରେ ବହୁ ଅସୁବିଧା ଭିତରେ ବି ସେମାନେ ସନ୍ତାନକୁ ଭୂମିଷ୍ଠ କରାଉଛନ୍ତି। କେଉଁଠି ଟ୍ରେନଡବାରେ ତ କେଉଁଠି ପୁଲିସଗାଡ଼ିରେ ପୁଣି କେଉଁଠି ରାସ୍ତାକଡ଼ରେ ମହିଳାମାନେ ଶିଶୁକୁ ଜନ୍ମ ଦେଉଛନ୍ତି। କରୋନା ଭୟରେ ସଙ୍ଗରୋଧରେ ଥିବା ମହିଳା ବି ସୁସ୍ଥ ଶିଶୁ ଜନ୍ମ ଦେଉଛନ୍ତି।
ବିହାର ବାସିନ୍ଦା ପାୟଲ କୁମାରୀ ଏହାର ସଦ୍ୟତମ ଉଦାହରଣ। ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ପାୟଲ୍ ଝାରସୁଗୁଡ଼ାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେଲେଙ୍ଗାନାର ହାଇଦ୍ରାବାଦଠାରୁ ବିହାରର ଦାନାପୁର ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ସ୍ବାମୀଙ୍କ ସହ ଯାତ୍ରା କରୁଥିବା ଗର୍ଭବତୀ ପାୟଲ୍ଙ୍କର ଟ୍ରେନରେ ଆରମ୍ଭ ହୋଇଥିଲ ପ୍ରସବ ଯନ୍ତ୍ରଣା । ତାଙ୍କୁ ନିକଟସ୍ଥ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ସଙ୍ଗେସଙ୍ଗେ ଷ୍ଟେସନରୁ ପୁଲିସ ଭ୍ୟାନରେ ଡାକ୍ତରଖାନା ନିଆଗଲା। ସୌଭାଗ୍ୟକୁ ପୁଲିସ ଭ୍ୟାନରେ ଥିଲେ ମହିଳା ପୁଲିସ ଅଧିକାରୀ ସାବିତ୍ରୀ ବଳ। ତାଙ୍କ ତତ୍ତ୍ବାବଧାନରେ ଡାକ୍ତରଖାନା ଯିବା ରାସ୍ତାରେ ସେଇ ଭ୍ୟାନରେ ହିଁ ସେ ଜନ୍ମ ଦେଲେ ଏକ ଶିଶୁ କନ୍ୟାକୁ ।
ତେଲେଙ୍ଗାନାର କାଜିପେଟରୁ ନିଜ ରାଜ୍ୟକୁ ଫେରୁଥିବା ହେମା କାନ୍ତିଙ୍କ କାହାଣୀ ବି ଠିକ୍ ସେହିପରି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ବଲାଙ୍ଗୀର ଆସୁଥିବା ହେମାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ତେବେ ଗର୍ଭବତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ କର୍ତ୍ତୃପକ୍ଷ ଟ୍ରେନ୍କୁ ଟିଟିଲାଗଡ଼ ରେଳଷ୍ଟେସନରେ ଅଟକାଇବା ପରେ ଟିଟିଲାଗଡ଼ ରେଳ ବିଭାଗର ମେଡିକାଲ ଅଧିକାରୀଙ୍କ ଉପସ୍ଥିତିରେ ରେଳଡବାରେ ହିଁ ହେମା ଏକ କନ୍ୟା ସନ୍ତାନକୁ ସୁରକ୍ଷିତ ଭାବେ ଜନ୍ମ ଦେଲେ।
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କମେଇମୁଣ୍ଡା ଗାଁର ଧୁବଲେ ନାଗ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଲକ୍ଡାଉନ୍ରେ ସେ ଫସି ରହିଥିଲେ। ପତ୍ନୀ କୁନ୍ତି ନାଗ ଗର୍ଭବତୀ ଥିବାରୁ ସେ ଚିନ୍ତିତ ଥିଲେ। ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରାଇ ଶୁକ୍ରବାର ସେ ଟ୍ରେନ୍ରେ ଗାଁକୁ ଫେରୁଥିଲେ। ହଠାତ ବଲାଙ୍ଗୀର ଷ୍ଟେସନ ପାଖାପାଖି କୁନ୍ତିଙ୍କ ପ୍ରସବ ବେଦନା ବଢ଼ି ଯାଇଥିଲା। ଏହାପରେ ସେ ଟ୍ରେନରେ ହିଁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।
ତେବେ ସୁକାନ୍ତିଙ୍କ (ଛଦ୍ବନାମ) କାହାଣୀ ଟିକେ ଅଲଗା। ସେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ପରିବାର ସହ ଗୁଜୁରାଟର ଅହମ୍ମଦାବାଦରୁ ଓଡ଼ିଶା ଫେରିଥିଲେ। ଏହାପରେ ତାଙ୍କୁ ଗାଁ ନିକଟବର୍ତ୍ତୀ ପୁରୀ ଜିଲ୍ଲାର ଏକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଏ ସବୁ ଭିତରେ ସୁକାନ୍ତି ସଂଗରୋଧ କେନ୍ଦ୍ରରେ ହିଁ ଗତ ୧୯ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।