ନୂଆଦିଲ୍ଲୀ: ଖାଦ୍ୟ ପ୍ୟାକେଟ୍ରେ ଚିହ୍ନିତ ହେବା ପରି ବିଭିନ୍ନ ପ୍ରସାଧନ ସାମଗ୍ରୀ ଏବଂ ଟଏଲେଟ୍ରେ ବ୍ୟବହୃତ ଫେସ୍ଓ୍ଵାସ୍, ସାବୁନ୍, ସାମ୍ପୁ ଏବଂ ଟୁଥ୍ପେଷ୍ଟ୍ ଆଦିରେ ଖୁବ୍ ଶୀଘ୍ର ଲାଗିବ ସବୁଜ କିଂବା ଲାଲ୍ ବିନ୍ଦୁ। ଏଥିରୁ ଜଣାପଡ଼ିବ ସମ୍ପୃକ୍ତ ଜିନିଷଟି ନିରାମିଷ କି, ଆମିଷ ଉପାଦାନରୁ ପ୍ରସ୍ତୁତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ସର୍ବୋଚ୍ଚ ଡ୍ରଗ୍ ଆଡ୍ଭାଇଜରି ସଂସ୍ଥାନ ‘ଡ୍ରଗ୍ସ୍ ଟେକ୍ନିକାଲ୍ ଆଡ୍ଭାଇଜରି ବୋର୍ଡ’ (ଡିଟିଏବି) ନିକଟରେ ଏ ସମ୍ବନ୍ଧରେ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ‘ସେଣ୍ଟ୍ରାଲ୍ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ର (ସିଡିଏସ୍ସିଓ) ଜଣେ ଅଧିକାରୀ କହିଛନ୍ତି।
ସେ କହିଛନ୍ତି: ବିଭିନ୍ନ ପ୍ରସାଧନ ସାମଗ୍ରୀ ଏବଂ ସ୍ନାନାଗାରରେ ବ୍ୟବହୃତ ହେଉଥିବା ସାମଗ୍ରୀ ଆଦିର ଲେବଲ୍ରେ ବାଧ୍ୟତାମୂଳକ ଭାବେ ବାଦାମୀ/ଲାଲ୍/ସବୁଜ ରଙ୍ଗର ବିନ୍ଦୁ ଛାପିବାକୁ ଆସିଥିବା ଏକ ପ୍ରସ୍ତାବକୁ ‘ଡ୍ରଗ୍ସ୍ ଟେକ୍ନିକାଲ୍ ଆଡ୍ଭାଇଜରି ବୋର୍ଡ’ ବୁଧବାର ଦିନ ଅନୁମୋଦନ କରିଛନ୍ତି।
ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଆସନ୍ତା ଛଅ ମାସ ମଧ୍ୟରେ ଜାରି କରାଯିବ ବୋଲି ଆଶା କରାଯାଉଛି। ଭାରତରେ ବିକ୍ରୟ କରାଯାଉଥିବା ପ୍ୟାକେଟ୍ ଖାଦ୍ୟରେ ତାହାର ଉତ୍ସ ନିରାମିଷ କି, ଆମିଷ, ତାହା ସୂଚାଇବାକୁ ଲେବଲ୍ ଉପରେ ଉପରୋକ୍ତ ରଙ୍ଗର ବିନ୍ଦୁ ସବୁ ଛାପା ଯାଉଛି।