ଏସ୍‌ପି ଝିଅକୁ ଡିଏସ୍‌ପି ପିତାଙ୍କ ସାଲ୍ୟୁଟ୍‌

ହାଇଦ୍ରାବାଦ : ପ୍ରତ୍ୟେକ ପିତାମାତା ଚାହାନ୍ତି ନିଜ ସନ୍ତାନ ବଡ଼ ସଫଳତା ପାଉ ଏବଂ ସମାଜରେ ପ୍ରତିପତ୍ତି ହାସଲ କରୁ। ଏହାଦ୍ୱାରା ସେମାନଙ୍କ ଜୀବନ ସାର୍ଥକ ହେଲା ବୋଲି ସେମାନେ ଭାବନ୍ତି। ସେହିଭଳି ଜୀବନରେ ସଫଳତା ହାସଲ କରିଥିବା ଆଉ କିଛି ପିତାମାତା ସେମାନଙ୍କ ସନ୍ତାନଙ୍କୁ ଆହୁରି ଉଚ୍ଚ ସୋପାନରେ ଦେଖିବାକୁ ଇଚ୍ଛା ରଖନ୍ତି। କିଛି ଲୋକଙ୍କ ଏଭଳି ଇଚ୍ଛା ବି ପୂରଣ ହେଉଥିବା ଅନେକ ନଜିର ରହିଛି। କିନ୍ତୁ ନିକଟରେ ତେଲେଙ୍ଗାନାରେ ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାହା ସବୁ ପିତାମାତାଙ୍କ ଭାଗ୍ୟରେ କ୍ୱଚିତ୍‌ ଦେଖିବାକୁ ମିଳେ। ୩୦ ବର୍ଷ ଧରି ପୁଲିସ ଚାକିରି କରି ଡିଏସ୍‌ପି ହୋଇଥିବା ଜଣେ ପିତା ନିଜ ଏସ୍‌ପି ଝିଅକୁ ସାଲ୍ୟୁଟ୍‌ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଡିଏସ୍‌ପି ଏ ଆର୍‌ ଉମାମହେଶ୍ୱର ଶର୍ମା ପୁଲିସ ବିଭାଗରେ ୩୦ ବର୍ଷ ଧରି କାର୍ଯ୍ୟ କରି ନିକଟରେ ପଦୋନ୍ନତି ପାଇଥିଲେ। ତାଙ୍କ ଝିଅ ସିନ୍ଧୁ ଶର୍ମା ଏବେ ଏସ୍‌ପି। ଗତକାଲି ଟିଆର୍‌ଏସ୍‌ର ଏକ ଜନସମାବେଶରେ ଦୁଇଜଣଙ୍କର ଡ୍ୟୁଟି ପଡ଼ିଥିଲା। ସଂଯୋଗବଶତଃ ଉଭୟେ ସାମ୍ନାସାମ୍ନି ହୋଇଥିଲେ।

ଏହି ସମୟରେ ପିତା ଉମାମହେଶ୍ୱର ନିଜ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ଏସ୍‌ପି ଝିଅ ସିନ୍ଧୁଙ୍କୁ ସାଲ୍ୟୁଟ୍‌ କରିଥିଲେ। ଏଥିରେ ତାଙ୍କ ମନ ଆଦୌ ବିଚଳିତ ହୋଇନଥିଲା। ବରଂ ଛାତି କୁଣ୍ଢେମୋଟ ହୋଇଯାଇଥିଲା। ଏଥିରେ ସିନ୍ଧୁ ଆଶ୍ଚର୍ଯ୍ୟ ହୋଇଥିଲେ ବି ବରିଷ୍ଠତା ଦୃଷ୍ଟିରୁ ପିତାଙ୍କ ଏହି ସାଲ୍ୟୁଟ୍‌କୁ ସେ ଗ୍ରହଣ କରିଥିଲେ।

ତେଲେଙ୍ଗାନାର ଜାଗତିୟାଲ୍‌ ଜିଲ୍ଲାରେ ଏସ୍‌ପି ଭାବେ ଦାୟିତ୍ୱ ସମ୍ଭାଳୁଥିବା ସିନ୍ଧୁ ଟିଆର୍‌ଏସ୍‌ ସଭାସ୍ଥଳକୁ ଆସିଥିଲେ। ଜିଲ୍ଲା ପୁଲିସ୍‌ର କାର୍ଯ୍ୟକୁ ତଦାରଖ କରୁଥିଲେ। ଉଲ୍ଲେଖଯୋଗ୍ୟ, ଡିଏସ୍‌ପି ଶର୍ମା ଆସନ୍ତା ବର୍ଷ ଅବସର ଗ୍ରହଣ କରିବାକୁ ଥିବା ବେଳେ ତାଙ୍କ ଝିଅ ସିନ୍ଧୁ ହେଉଛନ୍ତି ୨୦୧୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ। ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଶର୍ମା ନିଜ ଝିଅ ସିନ୍ଧୁଙ୍କୁ ମଧ୍ୟ ଜଣେ ପୁଲିସ ଅଧିକାରୀ ଭାବେ ଦେଖିବାକୁ ଚାହୁଥିଲେ। ସେଥିପାଇଁ ତାଙ୍କୁ ମୂଳରୁ ପ୍ରସ୍ତୁତ କରିଥିଲେ। ପିତାଙ୍କ ପ୍ରେରଣା ଯୋଗୁ ସିନ୍ଧୁ ଆଜି ଆଇପିଏସ୍‌ ର‍୍ୟାଙ୍କ୍‌ର ଜଣେ ପୁଲିସ ଅଧିକାରୀ ହୋଇପାରିଛନ୍ତି।

ଏ ସଂକ୍ରାନ୍ତରେ ଡିଏସ୍‌ପି ଉମାମହେଶ୍ୱର ଶର୍ମା କୁହନ୍ତି, ପ୍ରଥମ ଥର ପାଇଁ କର୍ତ୍ତବ୍ୟରେ ଥିବା ବେଳେ ଆମେ ପରସ୍ପରକୁ ଭେଟିଥିଲୁ। ତେଣୁ ବରିଷ୍ଠତା ଦୃଷ୍ଟିରୁ ସିନ୍ଧୁଙ୍କୁ ସାଲ୍ୟୁଟ୍‌ କରିବା ମୋର କର୍ତ୍ତବ୍ୟ। ତେବେ ଘରେ ଆମେ ବାପଝିଅଙ୍କ ଭଳି ରହିଥାଉ।

ସମ୍ବନ୍ଧିତ ଖବର