କେରଳ ବନ୍ୟାରେ ୩୨୪ ମୃତ; ପୁଣି ପ୍ରବଳ ବର୍ଷାର ଆଶଙ୍କା ନେଇ ରେଡ୍‌ ଆଲର୍ଟ ଜାରି

କୋଚି (କେରଳ): କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆଜି ସୁଦ୍ଧା ୩୨୪ ଜଣଙ୍କର ମୁତ୍ୟୁ ହୋଇ ସାରିଲାଣି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ଭିଜୟନ୍‌। ଚଳିତ ପ୍ରଳୟଙ୍କରୀ ବନ୍ୟାରେ ରାଜ୍ୟର ହଜାର ହଜାର ଲୋକ ବାସ ଶୂନ୍ୟ ହୋଇଥିବା ବେଳେୂ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିର ଫସଲ ଉଜୁଡ଼ି ଯାଇଛି। ରାଜ୍ୟକୁ ସଡ଼କ ପଥ, ରେଳ ପଥ ଓ ଆକାଶ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ କେରଳ ଏବେ ଏକରକମ ସଂପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ପୁଣିଥରେ ସମଗ୍ର କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯିବା ପରେ ରାଜ୍ୟରେ ବନ୍ୟା ଦୁର୍ଗତଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି।

ବିଗତ ଏକ ଶତାବ୍ଦୀ ମଧ୍ୟରେ କେରଳ ଏପରି ପ୍ରଳୟଙ୍କରୀ ବନ୍ୟାର ସାମନା କରି ନଥିବା କୁହା ଯାଉଥିବା ବେଳେ ଆଜି ସୁଦ୍ଧା ବନ୍ୟାରେ ୩୨୪ ଜଣଙ୍କର ପ୍ରାଣହାନୀ ଘଟି ସାରିଲାଣି। ୨,୨୩,୧୩୯ ଜଣ ବନ୍ୟା ଦୁର୍ଗତ ୧୫୬୮ଟି ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବା ବେଳେ ଏବେବି ଆହୁରି ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ଥାଇ ସାହାଯ୍ୟକୁ ଅନାଇ ରହିଛନ୍ତି।

ସେନା ବାହିନୀର ୧୬ଟି ଟିମ୍‌, ନୈସେନାର ୨୮ଟି ଟିମ୍‌ ଓ ଏନ୍‌ଡିଆର୍‌ଏଫ୍‌ର ୩୯ଟି ଟିମ୍‌ ଏବେ ବନ୍ୟାକ୍ଲୀଷ୍ଟ କେରଳରେ ଦିନରାତି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଲାଗିଛନ୍ତି। ତେବେ, କେରଳରେ ଲାଗି ରହିଥିବା ଲଗାଣ ବର୍ଷା ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ଘୋର ବାଧା ପହଞ୍ଚାଇଛି। କୋଷ୍ଟ ଗାର୍ଡ ମଧ୍ୟ ରାଜ୍ୟର ଉଦ୍ଧାର ରିଲିଫ୍‌ କାର୍ଯ୍ୟରେ ନିଜକୁ ସାମିଲ କରିଛି। କେରଳର ଏ ଦୁର୍ଗତି ସମୟରେ କେରଳକୁ ଦେଶର ସବୁଆଡ଼ୁ ସାହାଯ୍ୟର ବଢ଼ାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ପି. ଭିଜୟନ୍‌।

ସମ୍ବନ୍ଧିତ ଖବର