ଦୁଷ୍କର୍ମ ଅଭିଯୋଗ ଆଗତ କରିବାରେ ବିଳମ୍ବ ଅର୍ଥ ନୁହେଁ ଯେ ପୀଡ଼ତା ଜଣକ ମିଛ କହୁଛି; ବମ୍ବେ ହାଇକୋର୍ଟ

ମୁମ୍ବାଇ: ଦୁଷ୍କର୍ମ ମାମଲା ସଂପର୍କରେ ଅଭିଯୋଗ କରିବାରେ କୁଣ୍ଠା ପ୍ରକାଶ କରିବା ବା ଏସଂପର୍କରେ ପୋଲିସ୍‌ରେ ଅଭିଯୋଗ ଆଗତ କରିବାରେ ବିଳମ୍ବ କରିବାର ଅର୍ଥ ନୁହେଁ ଯେ ପୀଡ଼ତା ଜଣକ ମିଛ କହୁଛି ବା ଦୁଷ୍କର୍ମ ସଂପର୍କରେ ମିଥ୍ୟା ଅଭିଯୋଗ ଆଣୁଛି। ହୁଏତ, ତ ଏହା ଅନ୍ୟ କେଉଁଠାରେ ଘଟିଥାଉ ପାରେ; ମାତ୍ର ଭାରତୀୟ ସମାଜରେ ଏବଂ ଭାରତୀୟ ମହିଳାମାନଙ୍କ କ୍ଷେତ୍ରରେ ଆଦୌ ସମ୍ଭବପର ନୁହେଁ ବୋଲି ବମ୍ବେ ହାଇକୋର୍ଟ ଶକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଏକ ଗଣଦୁଷର୍ମ ମାମଲାରେ ତଳକୋର୍ଟ ମୁମାଇର ଚାରିଜଣ ଦୁଷ୍କର୍ମକାରୀଙ୍କୁ ଦେଇଥିବା ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିରରଣୀରୁ ପ୍ରକାଶ, ବିଗତ ୨୦୧୨ ମସିହା ମାର୍ଚ୍ଚ ୧୫ ତାରିଖରେ ଜଣେ ମହିଳା ନାସିକ୍‌ର ତ୍ରୟେମ୍ବକେଶ୍ୱରରୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଫେରୁଥିବା ବେଳେ ଦତ୍ତାତ୍ରୟ କୋର୍ଡେ, ଗଣେଶ ପରଦେଶୀ, ପିଣ୍ଟୁ କସ୍‌କର୍‌ ଓ ଗଣେଶ ଜୋଲ ନାମକ ଚାରିଜଣ ଅପରାଧୀ ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଗୁରୁତର ଆହତ କରିଥିଲେ। ଘଟଣା ଘଟିବାର ଦୁଇଦିନ ପରେ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ଚାରି ଅପରାଧୀ ଦତ୍ତାତ୍ରୟ କୋର୍ଡେ, ଗଣେଶ ପରଦେଶୀ, ପିଣ୍ଟୁ କସ୍‌କର୍‌ ଓ ଗଣେଶ ଜୋଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁମ୍ବାଇର ଏକ ସେସନ୍ସ କୋର୍ଟ ଏହି ମାଲାର ବିଚାର କରି ୨୦୧୩ ଅପ୍ରେଲ ମାସରେ ଘଟଣାରେ ସଂପୃକ୍ତ ଚାରି ଅପରାଧୀଙ୍କୁ ୧୦ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ତେବେ, ସେସନ୍ସ କୋର୍ଟର ଏହି ରାୟକୁ ବିରୋଧ କରି ଦଣ୍ଡାଦେଶ ପାଇଥିବା ସଂପୃକ୍ତ ଚାରି ଅପରାଧୀ ବମ୍ବେ ହାଇକୋର୍ଟରେ ଏକ ମାମଲା ଆଗତ କରିଥିଲେ। ସେମାନେ, ଦର୍ଶାଇଥିଲେ ଯେ ଯେହେତୁ ମହିଳା ଜଣକ ଅଭିଯୋଗ ଆଗତ କରିବାରେ ଦୁଇଦିନ ବିଳମ୍ବ କରିଛନ୍ତି, ସେଥିପାଇଁ ତାଙ୍କ ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ। ହେଲେ, ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏ.ଏମ୍‌ ବାବର ଏମାମଲାର ବିଚାରକାଳରେ କହିଛନ୍ତି ଯେ ଯେହେତୁ ପୀଡ଼ିତା ମହିଳା ଜଣକ ଏକ ରଣକ୍ଷଣଶୀଳ ପରିବାରର ଛାଡ଼ପତ୍ର ପାଇଥିବା ଜଣେ ବିବାହିତା ମହିଳା, ସେଥିପାଇଁ ସେ ସାମାଜିକ କଳଙ୍କକୁ ଡରି ଦୁଷ୍କର୍ମ ଅଭିଯୋଗ ଆଣିବାରେ ଦୁଇଦିନ ବିଳମ୍ବ କରିଥାଇ ପାରନ୍ତି; ହେଲେ ଏହାର ଅର୍ଥ ନୁହେଁ ଯେ ତାଙ୍କ ସହ ଦୁଷ୍କର୍ମ ଦୁର୍ଘଟଣା ଘଟିନାହିଁ। କାରଣ, ଜଣେ ଭାରତୀୟ ନାରୀ ପାଇଁ ଚରିତ୍ର ଠାରୁ ବଡ଼ କଥା ଆଉକିଛି ନାହିଁ। ତେଣୁ, କୌଣସି ବି ଭାରତୀୟ ମହିଳା ନିଜ ଚରିତ୍ରକୁ କଳଙ୍କିତ କରି ଗଣଦୁଷ୍କର୍ମ ପରି ମିଥ୍ୟା ଅଭିଯୋଗ ଆଣିବା କୌଣସି ଭାରତୀୟ ନାରୀ ପକ୍ଷରେ ଅସମ୍ଭବ। ତେଣୁ, ଜଷ୍ଟିସ୍‌ ବାବର ଆଗତ ମାମଲାଟିକୁ ଖାରଜ କରିଦେବା ସହ ସେସନ୍ସ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।

ସମ୍ବନ୍ଧିତ ଖବର