ମୋଦୀଙ୍କୁ ସବୁବେଳେ ନିନ୍ଦା କରି କଂଗ୍ରେସ ଜିତି ପାରିବ ନାହିଁ : ଜୟରାମ ରମେଶ

ନୂଆଦିଲ୍ଲୀ : ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରିବା ବା ତାଙ୍କୁ ଏକଛତ୍ରବାଦୀ ଭାବେ ଚିତ୍ରଣ କରିବା ଦ୍ୱାରା କଂଗ୍ରେସକୁ କୌଣସି ଲାଭ ମିଳିବ ନାହିଁ । ତାଙ୍କର ଭଲ କାମ ମଧ୍ୟ ରହିଛି, ତାହାକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ।

ସେ କହିଛନ୍ତି ଯେ ୨୦୧୪-୨୦୧୯ ମଧ୍ୟରେ ସେ କେଉଁ ଭଲ କାମ କଲେ ଯେ ପ୍ରାୟ ୩୦ ପ୍ରତିଶତରୁ ଅଧିକ ଭୋଟର ତାଙ୍କୁ ପୁଣି ଭୋଟ ଦେଇ ଜିତାଇଲେ ତାହା ଆମକୁ ସ୍ୱୀକାର କରିବାକୁ ହେବ । ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାୟ ୩୭.୪ ପ୍ରତିଶତ ଭୋଟ ପାଇଥିବାବେଳେ ଏନଡିଏ ମୋଟ ୪୫ ପ୍ରତିଶତ ଭୋଟ ପାଇଥିଲା ।

ରାଜନୈତିକ ବିଶ୍ଳେଷକ କପିଲ ସତୀଶ କୋମିରେଡ୍ଡୀଙ୍କ ପୁସ୍ତକ ‘ଦି ମାଲେଭୋଲେଣ୍ଟ ରିପବ୍ଲିକ : ଏ ସର୍ଟ ହିଷ୍ଟରି ଅଫ ନ୍ୟୁ ଇଣ୍ଡିଆ’( ହିଂସ୍ର ଗଣତନ୍ତ୍ର : ନୂଆ ଭାରତର ସଂକ୍ଷିପ୍ତ ଇତିହାସ) ର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ମୋଦୀ ଲୋକଙ୍କ ମନକୁ ଛୁଇଁଲା ଭଳି କଥା କହୁଛନ୍ତି । ଏହା ହିଁ ତାଙ୍କର ଶକ୍ତି । ଏଗୁଡିକୁ ସ୍ୱୀକାର ନକଲେ ଆମେ ତାଙ୍କର ମୁକାବିଲା କରିପାରିବା ନାହିଁ ।

ସମ୍ବନ୍ଧିତ ଖବର