ମାଗଣାରେ ବିରିୟାନି ନ ଦେବାରୁ ରେସ୍ତୋରାଁ କର୍ମଚାରୀଙ୍କୁ ପିଟିଲେ ଡିଏମ୍‌କେ ନେତା

ଚେନ୍ନାଇ: ମାଗଣାରେ ବିରିୟାନି ନ ଦେବାରୁ ଚେନ୍ନାଇର ଜଣେ ରେସ୍ତୋରାଁ କର୍ମଚାରୀଙ୍କୁ ଦୁଇ ଜଣ ଡିଏମ୍‌କେ ସଦସ୍ୟ ମାଡ଼ ଦେଉଥିବାର ଭିଡିଓ ଭାଇରାଲ୍‌ ହେବା ପରେ ବୁଧବାର ଦିନ ଦଳର ସାଧାରଣ ସଚିବ ଅନ୍‌ବଝଗନ୍‌ ସେମାନଙ୍କୁ ସାମୟିକ ଭାବେ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଯୁବ ସଂଗଠନର ସଚିବ ଯୁବରାଜ ଏବଂ ଦେଓ୍ଵିକର୍‌।

ଡିଏମ୍‌କେ ବିବୃତିରେ ଉଲ୍ଲେଖ କରାଯାଇଛି: ମାଗଣାରେ ବିରିୟାନି ନ ଦେବାରୁ ସେମାନେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ବିଶୃଙ୍ଖଳି ଆଚରଣ ଯୋଗୁଁ ସେମାନଙ୍କୁ ନିଲମ୍ବିତ କରାଯାଇଛି।

ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ ଚେତାବନୀ ଦେଇ ଟୁଇଟ୍‌ କରି କହିଛନ୍ତି ଯେ ଏ ଭଳି ବିଶୃଙ୍ଖଳାକୁ ବରଦାସ୍ତ କରି ହେବ ନାହିଁ। ଦଳକୁ ବଦନାମ କରୁଥିବା ଯେ କୌଣସି ସଦସ୍ୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦଳର ଅଧ୍ୟକ୍ଷ ଏମ୍‌ କରୁଣାନିଧି ଅସୁସ୍ଥ ହୋଇ ଡାକ୍ତରଖାନାରେ ପଡ଼ିଥିବା ବେଳେ ଏ ଭଳି ଘଟଣା ଘଟିଛି।

ଜୁଲାଇ ୨୮ ତାରିଖ ଦିନ ଯୁବରାଜ ଓ ଅନ୍ୟମାନେ ବିରୁଗବକ୍କମ୍‌ ଠାରେ ଥିବା ସାଲେମ ଆର୍‌ ଆର୍‌ ଅନ୍‌ବୁ ବିରିୟାଣି ରେସ୍ତୋରାଁକୁ ଯାଇଥିଲେ।
ଦୋକାନ ବନ୍ଦ ହୋଇ ଗଲାଣି ବୋଲି କର୍ମଚାରୀ ଜଣକ କହିବାରୁ ସେଠାରେ ବିବାଦ ଉପୁଜି ଥିଲା।

ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି, ଯୁବରାଜ କାଉଣ୍ଟର୍‌ ପଛରେ ବସିଥିବା ହୋଟେଲ୍‌ କ୍ୟାସିୟର୍‌ଙ୍କ ସହ ଯୁକ୍ତି କରୁଛନ୍ତି। ପରେ ପରେ ସେ କ୍ୟାସିୟର୍‌ଙ୍କୁ ଚଟକଣା ମାରୁଥବା ଦେଖା ଯାଉଛି। ଅଟକାଇବାକୁ ଉଦ୍ୟମ କରୁଥିବା ଜଣେ େଓ୍ଵଟର୍‌ଙ୍କୁ ମଧ୍ୟ ସେ ଚଟକଣା ମାରୁଛନ୍ତି।

ମାଡ଼ ଖାଇ ଆହତ ହୋଇଥିବା ସେ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର