ଫେସବୁକ୍‌ରେ ନକଲି ପରିଚୟ ଦେଇଥିଲେ ମେଜର ଗୋଗଇ

ଶ୍ରୀନଗର: ଜଣେ କଶ୍ମୀର ଯୁବତୀଙ୍କ ସହ ହୋଟେଲ୍‌ରୁ ଧରା ପଡ଼ିବା ପରେ ଭାରତୀୟ ସେନାର ମେଜର ଲିତୁଲ ଗୋଗଇ ଏବେ ତଦନ୍ତର ସାମ୍ନା କରୁଛନ୍ତି। ଆଜି ଜମ୍ମୁ କଶ୍ମୀର ପୁଲିସ ଗୋଗଇଙ୍କ ବିରୋଧରେ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ମେଜର ଗୋଗଇ ଉକ୍ତ କଶ୍ମୀରୀ ଯୁବତୀଙ୍କୁ ଭେଟିବାପାଇଁ ଫେସବୁକ୍‌ରେ ଜଣେ ମୁସଲିମ୍‌ ଯୁବକ ଭାବେ ନକଲି ପରିଚୟ ଦେଇଥିଲେ। ପୁଲିସ ଆଜି ଶ୍ରୀନଗର ଅଦାଲତରେ ଦାଖଲ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ସେ ମଧ୍ୟ ଅନ୍ୟ ଜଣେ ଯବାନ ସମୀର ମଲ୍ଲଙ୍କ ସହ ମିଶି ଶ୍ରୀନଗରର ଏକ ହୋଟେଲ୍‌ରେ କଶ୍ମୀରୀ ଯୁବତୀଙ୍କ ସହ ରହିବାପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ବଡ଼ଗାମ ଜିଲ୍ଲାର ଉଭୟ ଗୋଗଇ ଏବଂ ସମୀର ସେମାନଙ୍କୁ ରୁମ୍‌ ନମିଳିବାଦ୍ୱାରା ହୋଟେଲ୍‌ ଷ୍ଟାଫ୍‌ଙ୍କ ସହ ଗଣ୍ଡଗୋଳ କରିବାପରେ ପୁଲିସ ଏଥିରେ ହସ୍ତକ୍ଷେପ କରି ଉଭୟ ଗୋଗଇ ଏବଂ କଶ୍ମୀର ଯୁବତୀଙ୍କୁ ଅଟକ ରଖିଥିଲା। ପୁଲିସ କୋର୍ଟରେ ଉପସ୍ଥାପନ କରିଥିବା ରିପୋର୍ଟରୁ ଜଣାଯାଇଛି ଯେ ମେଜର ଗୋଗଇ ଫେସବୁକ୍‌ରେ ନିଜକୁ ଉବେଦ୍‌ ଅରମାନ୍‌ ଭାବେ ପରିଚୟ ଦେଇଥିଲେ। ନକଲି ପରିଚୟରେ ସେ କଶ୍ମୀରୀ ଯୁବତୀଙ୍କ ସହ ବନ୍ଧୁତା କରିଥିଲେ। ଉଭୟ ଗୋଗଇ ଏବଂ ସମୀର ମଧ୍ୟ ସେମାନଙ୍କ ସେଲ ଫୋନ୍‌ ନମ୍ବର ମଧ୍ୟ ଫେସବୁକ୍‌ରେ ସେୟାର କରିଥିଲେ। ଏହାପରେ ଯୁବତୀ ଜଣଙ୍କ ତାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ ଏବଂ ପରେ ସେମାନଙ୍କ ଗାଡ଼ିରେ ହୋଟେଲ୍‌କୁ ଯାଇଥିଲେ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁନ୍‌ ୪ ତାରିଖରେ ହେବ ବୋଲି ଶ୍ରୀନଗର ଜିଲ୍ଲା କୋର୍ଟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର