ଆନ୍ଦୋଳନରୁ ଓହରିଲେ ଚାଷୀ

ଅଧିକାଂଶ ଦାବି ପୂରଣ ହେଲା, ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିଲା

ନୂଆଦିଲ୍ଲୀ: ଚାଷୀମାନଙ୍କ ୧୧ ଦଫା ଦାବି ମଧ୍ୟରୁ ଅଧିକାଂଶ ପୂରଣ ‌କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି। ସେହିଭଳି ରାଜଧାନୀ ଦିଲ୍ଲୀ ମଧ୍ୟରେ ପ୍ରବେଶ କରିବା ଲାଗି ମଧ୍ୟ ସେମାନଙ୍କୁ ଅନୁମତି ମିଳିଛି। ଫଳରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଅବସାନ ଘଟିଛି। ମଙ୍ଗଳବାର ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମ‌ାରେ ୩୦,୦୦୦ରୁ ଊର୍ଦ୍ଧ୍ବ ଚାଷୀ ୧୧ ଦଫା ଦାବି ନେଇ ପହଞ୍ଚିଥିଲେ। ‘କିଷ‌ାନ କ୍ରାନ୍ତି ପଦଯାତ୍ରା’ରେ ସାମିଲ ହୋଇ ସେମାନେ ହରିଦ୍ବାରରୁ ସେପ୍ଟେମ୍ବର ୨୩ରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ମଙ୍ଗଳବାର ସେମାନଙ୍କୁ ଦିଲ୍ଲୀ-ୟୁପି ସୀମାରେ ରୋକାଯାଇଥିଲା। ଏମିତି କି ସେମାନଙ୍କୁ ରୋକିବା ଲାଗି ପୁଲିସ ପକ୍ଷରୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା। କଂଗ୍ରେସ ଓ ଆପ୍ ସମେତ ଅନେକ ବିରୋଧୀ ଦଳ ଘଟଣାକୁ ନିନ୍ଦା କରିଥିଲେ। ଏମିତି କି ଏନ୍‌ଡିଏ ସହଯୋଗୀ ଜେଡିୟୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ସମାଲୋଚନା କରିଥିଲା। ଡିସିପି ପଙ୍କଜ ସିଂହଙ୍କ କହିବାନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପାଖାପାଖି ୫,୦୦୦ ଚାଷୀଙ୍କୁ ଦିଲ୍ଲୀ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିଥିଲା।

ସମ୍ବନ୍ଧିତ ଖବର