ପାର୍ଲାମେଣ୍ଟ୍ କ୍ୟାଣ୍ଟିନ୍ରେ ମିଳିବ ସବୁ ପ୍ରଦେଶର ଖାଦ୍ୟ
ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍ର ଶୀତକାଳୀନ ଅଧିବେଶନ ବାଦବିସମ୍ବାଦରେ ଆରମ୍ଭ ହୋଇଥିଲେ ବି ସାସଂଦମାନଙ୍କ ପାଇଁ ପ୍ରସ୍ତୁତ କରାଯିବ ଦେଶର ସବୁ ପ୍ରଦେଶର ବ୍ୟଞ୍ଜନ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରୁ ସମସ୍ତ ଅଞ୍ଚଳରୁ ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ପାର୍ଲାମେଣ୍ଟ୍ର ଉଭୟ ସଦନ ଗଠିତ ହୋଇଥିବାରୁ ଏବେ ସପ୍ତାହେ ଲେଖାଁ ସେଠାକାର କ୍ୟାଣ୍ଟିନ୍ରେ ମିଳିବ ପ୍ରତି ରାଜ୍ୟର ବ୍ୟଞ୍ଜନ। ପ୍ରଥମ ସପ୍ତାହରେ ପରିବେଷଣ କରାଯିବ ଗୁଜରାଟର ବ୍ୟଞ୍ଜନ।
ଆସନ୍ତା ସପ୍ତାହରେ ପରିବେଷଣ କରାଯିବ କଶ୍ମୀରର ସ୍ୱତନ୍ତ୍ର ବ୍ୟଞ୍ଜନ। ତା’ପର ସପ୍ତାହରେ ଓଡ଼ିଶାର ବ୍ୟଞ୍ଜନ ପରିବେଷଣ କରାଯିବାକୁ ବ୍ୟବସ୍ଥା ହୋଇଛି। ବଜେଟ୍ ଅଧିବେଶନ ପାଇଁ ଗୃହ ଖୋଲିଲେ ସାପ୍ତାହିକ ଭିତ୍ତିରେ ସମଗ୍ର ରାଜ୍ୟର ବ୍ୟଞ୍ଜନ ପରିବେଷଣ କରାଯିବ।
ମଙ୍ଗଳବାର ଦିନ ପାର୍ଲାମେଣ୍ଟ୍ କ୍ୟାଣ୍ଟିନ୍ର ରୋଷଶାଳାରେ ଜଳ ଯୋଗାଣରେ ବାଧା ଉପୁଜିବାରୁ ଉଭୟ ରୋଷେଇ ଏବଂ ପିଇବା ପାଇଁ ଆବଶ୍ୟକ ପାଣି ଅଭାବ ପଡ଼ିଥିଲା। ଘଣ୍ଟାଏ ପରେ ପାଣି ଟ୍ୟାଙ୍କର୍ ପହଞ୍ଚିବାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା।
ବିଭିନ୍ନ ରାଜ୍ୟର ଖାଦ୍ୟ ପରିବେଷଣ କରାଯିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟାଲ। ରେଳବାଇ କ୍ୟାଟରିଙ୍ଗ୍ ସର୍ଭିସ୍ ପାର୍ଲାମେଣ୍ଟ୍ର ଭୋଜନ ବ୍ୟବସ୍ଥା ଗ୍ରହଣ କରିଥିବାରୁ ପାର୍ଲାମେଣ୍ଟ୍ର କ୍ୟାଣ୍ଟିନ୍ ଏବଂ ସେଣ୍ଟ୍ରାଲ୍ ହଲ୍ରେ ପରିବେଷଣ କରାଯାଉଥିବା ନିୟମିତ ଭୋଜନ ମେନୁ ସହ ନୂଆ କିଛି ବ୍ୟବସ୍ଥା କରିବାକୁ ଗୋୟାଲ୍ ଚିନ୍ତା କରିଥିଲେ। ନୂତନ ବ୍ୟବସ୍ଥା କଥା ତାଙ୍କୁ ପଚରା ଯିବାରୁ ସେ କହିଲେ, ଟ୍ରେନ୍ର କ୍ୟାଟରିଙ୍ଗ୍ ବ୍ୟବସ୍ଥାର ଉନ୍ନତି କରିବା କଥା ଚିନ୍ତା କରିବା ବେଳେ ପାର୍ଲାମେଣ୍ଟ୍ର ଗତାନୁଗତିକ କ୍ୟାଟରିଙ୍ଗ୍ ବ୍ୟବସ୍ଥାରେ ନୂଆ କିଛି ଯୋଗ କରିବା କଥା ମନକୁ ଆସିଥିଲା।
ପରେ ଏ କଥା ସେ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କୁ କହିବାରୁ ଏହା ଉତ୍ତମ ପ୍ରସ୍ତାବ କହି ସେ ତୁରନ୍ତ ଆଗେଇ ଯିବାକୁ ଅନୁମତି ଦେଇଥିଲେ। ସ୍ୱତନ୍ତ୍ର ଭୋଜନ ପରିବେଷଣ ବ୍ୟବସ୍ଥା କରାଇବା ପାଇଁ ରେଳବାଇ ଦିଲ୍ଲୀରେ ଥିବା ସବୁ ରାଜ୍ୟର ହାଉସ୍ ସହ ଅନୁବନ୍ଧିତ ହୋଇଛି।
ଟ୍ରେନ୍ ଏବଂ ଷ୍ଟେସନ୍ମାନଙ୍କରେ ନୂଆ ନୂଆ ବ୍ୟଞ୍ଜନ ବ୍ୟବସ୍ଥା ମିଳିବାର ବ୍ୟବସ୍ଥା କରିବା ନିମନ୍ତେ ମଧ୍ୟ ଗୋୟାଲ୍ ଚିନ୍ତା କରୁଛନ୍ତି।