ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ପାଉଣା ବଢ଼ିଲା

ମାଗଣା ବୀମା ସୁବିଧା

ନୂଆଦିଲ୍ଲୀ: ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ସେମାନଙ୍କୁ ଅକ୍ଟୋବର ମାସରୁ ଅଧିକ ପାଉଣା ମିଳିବ। ଏହାସହିତ ମାଗଣାରେ ବୀମା ସୁବିଧା ମଧ୍ୟ ଯୋଗାଇ ଦିଆଯିବ। କୌଣସି ପ୍ରିମିୟମ୍‌ ନ ଦେଇ ସେମାନେ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ମାସକୁ ୩ ହଜାର ଟଙ୍କା ପାରିଶ୍ରମିକ ପାଉଥିବା କର୍ମୀଙ୍କୁ ୪ ହଜାର ୫୦୦ ଟଙ୍କା ଏବଂ ୨୨୦୦ ଟଙ୍କା ପାଉଥିବା କର୍ମୀଙ୍କୁ ୩୫୦୦ ଟଙ୍କା ଯୋଗାଇ ଦିଆଯିବ। ଏହାବ୍ୟତୀତ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ମଧ୍ୟ ୧୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଉଲ୍ଲେଖଥାଉ କି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପାରିଶ୍ରମିକ ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପୃଥକ୍‌ ପାଉଣା ପ୍ରଦାନ କରୁଛନ୍ତି। କମନ୍‌ ଆପ୍ଲିକେସନ୍‌ ସଫ୍ଟେଓ୍ଵର (ଆଇସିଡିଏସ୍‌-ସିଏଏସ୍‌) ଭଳି କୌଶଳ ବ୍ୟବହାର କରୁଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ୨୫୦ରୁ ୫୦୦ ଟଙ୍କାର ଭତ୍ତା ପାଇବେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା ଭଳି ବିଭିନ୍ନ ସାମାଜିକ ସୁରକ୍ଷା ସ୍କିମ୍‌ ଅଧୀନରେ ଦେଶର ଆଶା କର୍ମୀ ଓ ଅନ୍ୟ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ବୀମା ସୁବିଧା ଯୋଗାଇ ଦିଆଯିବ। କୌଣସି ଅଘଟଣ ଘଟିଲେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ। ଏଥିପାଇଁ ସେମାନଙ୍କଠାରୁ କୌଣସି ପ୍ରିମିୟମ୍‌ ଆଦାୟ କରାଯିବ ନାହିଁ। ଆଶା, ଏଏନ୍‌ଏମ୍‌ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ଏକ ଭିଡିଓ ଯୋଗାଯୋଗ ବେଳେ ପ୍ରଧାନମନ୍ତ୍ରୀ ଏହିସବୁ ଘୋଷଣା କରିଛନ୍ତି। ତାଙ୍କ କହିବାନୁଯାୟୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସଂଶୋଧିତ ପାରିଶ୍ରମିକ ଅକ୍ଟୋବର ମାସରୁ ଲାଗୁ ହେବ ଏବଂ ନଭେମ୍ବର ମାସରୁ ଏହା ସେମାନଙ୍କ ବେତନରେ ପ୍ରଦର୍ଶିତ ହେବ। ସେମାନଙ୍କ ନିମନ୍ତେ ଏହା ଦୀପାବଳି ଉପହାର ସଦୃଶ ହେବ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ମୂଳଦୁଆ ନିର୍ମାଣ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନବଜାତକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ସହିତ ପରିଷ୍କାର ଓ ପରିଚ୍ଛନ୍ନତା ବଜାୟ ରଖିବା ଲାଗି ଲୋକଙ୍କୁ ଉତ୍ସାହିତ କରୁଛନ୍ତି। ତାଙ୍କ କହିବାନୁଯାୟୀ ଚଳିତମାସ ୨୩ ତାରିଖରେ ଝାଡ଼ଖଣ୍ଡରୁ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ ହେବ। ଏଥିପାଇଁ ହିତାଧିକାରୀ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର