‘ଗଙ୍ଗା ବଞ୍ଚାଅ’ ଦାବି ନେଇ ଦୀର୍ଘ ୧୧୧ ଦିନ ଆମରଣ ଅନଶନରେ ବସିବା ପରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ପରିବେଶବିତ୍ ଜିଡି ଅଗ୍ରଓ୍ଵାଲ
ଡେରାଡୁନ୍: ଗଙ୍ଗା ବଞ୍ଚାଅ ଆନ୍ଦୋଳନର ଯୋଦ୍ଧା ମହାନ୍ ପରିବେଶବିତ ଜିଡି ଅଗ୍ରଓ୍ଵାଲ, ‘ଗଙ୍ଗା ବଞ୍ଚାଅ’ ଦାବିକୁ ନେଇ ଦୀର୍ଘ ୧୧୧ ଦିନ କାଳ ଆମରଣ ଅନଶନରେ ବସିବା ପରେ ଶେଷରେ ଆଜି ଅପରାହ୍ଣରେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗଙ୍ଗା ବଞ୍ଚାଅ ପାଇଁ ନିଜର ସମଗ୍ର ଜୀବନ କାଳକୁ ଉତ୍ସର୍ଗ କରି ଆସିଥିବା ମହାନ୍ ପରିବେଶବିତ୍ ଜିଡି ଅଗ୍ରଓ୍ଵାଲ ହେଉଛନ୍ତି କାନପୁର ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଜଣେ ଅବସରପ୍ରାପ୍ତ ପ୍ରଫେସର।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ଜୀବନରେଖା ରୂପେ ବିବେଚିତ ପବିତ୍ର ଗଙ୍ଗା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ସହ ‘ଗଙ୍ଗା ବଞ୍ଚାଅ’ ଦାବି ଧରି ପରିବେଶବିତ୍ ପ୍ରଫେସର ଅଗ୍ରଓ୍ଵାଲ ଗତ ଜୁନ୍ ୨୨ ତାରିଖରୁ ଆମରଣ ଅନଶନରେ ବସିଥିଲେ। ହେଲେ, ପ୍ରଫେସର ଅଗ୍ରଓ୍ଵାଲଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରି ନଥିଲେ। ଜୁନ୍ ୨୨ରୁ ଆମରଣ ଅନଶନରେ ବସିଥିବା ପ୍ରଫେସର ଅଗ୍ରଓ୍ଵାଲଙ୍କ ସ୍ୱାସ୍ଥାବସ୍ଥା ଅତ୍ୟନ୍ତ ବିଗିଡ଼ି ଯିବାପରେ ତାଙ୍କୁ ଅକ୍ଟୋବର ୯ ତାରଖରେ ଋଷିକେଶସ୍ଥିତ ଏଏମ୍ଏସ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ପ୍ରଫେସର ଅଗ୍ରଓ୍ଵାଲ ଆଜି ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦାଘାତରେ ପ୍ରଫେସର ଅଗ୍ରଓ୍ଵାଲଙ୍କ ପରଲୋକ ଘଟିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।