ଲକ୍ଷ୍ନୌ : ବିବାଦୀୟ ଦମ୍ପତ୍ତିଙ୍କୁ ପାସପୋର୍ଟ ଜାରି କଲେ ସରକାର

ଲକ୍ଷ୍ନୌ : ଲକ୍ଷ୍ନୌରେ ଥିବା ଆଞ୍ଚଳିକ ପାସପୋର୍ଟ ଅଫିସରେ ଗତ ମାସରେ ତାନଭି ସେଠଙ୍କ ପାସପୋର୍ଟକୁ ନେଇ ହୋଇଥିବା ବିବାଦରେ ଏକ ନୂଆ ମୋଡ ଆସିଛି । ଏକ ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ପାସପୋର୍ଟ ଅଧିକାରୀ ବିକାଶ ମିଶ୍ର ଆବଶ୍ୟକତାଠାରୁ ଅଧିକ ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ବିଭାଗୀୟ ତଦନ୍ତ ପରେ ଉକ୍ତ ଦମ୍ପତ୍ତିଙ୍କ ପାସପୋର୍ଟକୁ ମଂଜୁର କରାଯାଇଛି । ଲକ୍ଷ୍ନୌର ଆଞ୍ଚଳିକ ପାସପୋର୍ଟ ଅଧିକାରୀ ପିୟୁଷ ବର୍ମା କହିଛନ୍ତି ଯେ ଉକ୍ତ ଦମ୍ପତ୍ତିଙ୍କର ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ଆହୁରି ମଧ୍ୟ ନୂଆ ନିୟମ ଅନୁସାରେ ଭାରତର ଯେ କୌଣସି ସ୍ଥାନରେ ପାସପୋର୍ଟ ଆବେଦନ କରିହେବ । ଏସବୁକୁ ଦୃଷ୍ଟିରେ ରଖି ସେମାନଙ୍କୁ ପାସପୋର୍ଟ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଜୁନ ୨୦ରେ ମହମ୍ମଦ ଅନସ ସିଦ୍ଦିକୀ ଓ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ପାସପୋର୍ଟ ଅଫିସରେ ଅଧିକାରୀ ବିକାଶ ମିଶ୍ର ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ କହିଥିଲେ । ଏହି ଅଭିଯୋଗକୁ ଟ୍ଵିଟ କରି ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୟାଗ୍‌ କରିଥିଲେ । ଏହାକୁ ନେଇ ବିବାଦ ଦେଖାଯିବା ପରେ ମିଶ୍ରଙ୍କୁ ତରବରିଆ ଭାବେ ବଦଳି କରାଯାଇଥିଲା ।

ସମ୍ବନ୍ଧିତ ଖବର