୨୫ ସପ୍ତାହର ଗର୍ଭକୁ ନଷ୍ଟ କରିବା ପାଇଁ ଚାହୁଁଥିବା ନାବାଳିକାଙ୍କ ଡାକ୍ତରୀ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଏମ୍ସକୁ ଏକ ମେଡିକାଲ ବୋର୍ଡ ଗଠନ କରି ୧୫ ବର୍ଷୀୟ ଅନ୍ତସତ୍ତ୍ୱା ନାବାଳିକାଙ୍କ ମେଡିକାଲ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯିଏକି ନିଜ ଭୃଣକୁ ନଷ୍ଟ କରିବା ପାଇଁ ଆବେଦନ କରିଛନ୍ତି।

ବିଚାରପତି ଏସ୍‌.ମୁରଲୀଧର ଓ ଆଇଏସ୍‌ ମେହଟ୍ଟାଙ୍କ ଖଣ୍ଡପୀଠ କହିଛନ୍ତି, ଏମ୍ସକୁ ଏହି ମାମଲା ନେଇ ଡିସେମ୍ବର ୨୨ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମେଡିକାଲ ଟର୍ମିନେସନ୍‌ (ଏମ୍‌ଟିପି) ଅଧିନିୟମର ଧାରା ୩ (୨) (ବି) ଅନୁଯାୟୀ ୨୦ ସପ୍ତାହରୁ ଅଧିକ ଦିନ ହୋଇଥିବା ଭୃଣ ନଷ୍ଟ କରାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ନାବାଳିକାଙ୍କ ଗର୍ଭଧାରଣ ୨୫ ସପ୍ତାହ ହୋଇଯାଇଛି। ତେଣୁ ଗର୍ଭପାତ କରିବାରେ ଅସୁବିଧା ହୋଇପାରେ ବୋଲି ଡାକ୍ତରୀଦଳ କହିଛନ୍ତି।

ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, ନାବାଳିକା ତାଙ୍କ ଗର୍ଭପାତ କରିବାକୁ ଚାହୁଁଛନ୍ତି ବୋଲି ଆବେଦନ କରିଛନ୍ତି। ନାବାଳିକାଙ୍କ ଓକିଲ କମଲେଶ କୁମାର ମିଶ୍ରା ଦାବି କରି କହିଛନ୍ତି, ନାବାଳିକା ପୁଲିସ ଚାପରେ ପ୍ରଥମେ ନିଜର ନିଷ୍ପତ୍ତି ବଦଳାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗର୍ଭପାତ କରିବାର ନିଷ୍ପତ୍ତି ନେଇଥିଲେ। କାରଣ ସେ ତାଙ୍କର ପାଠପଢ଼ାକୁ ଆଗକୁ ଜାରି ରଖିବା ପାଇଁ ଚାହାନ୍ତି। ତେଣୁ ପିଲା ଜନ୍ମ ପରେ ସେ ଆଉ ନିଜର ପାଠପଢ଼ା ଉପରେ ଧ୍ୟାନ ଦେଇ ପାରିବେ ନାହିଁ।

ଖଣ୍ଡପୀଠ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତିକୁ ଦେଖି କୌଣସି ସମୟ ନଷ୍ଟ ନ କରି ଏମ୍ସର ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଏକ ମେଡିକାଲ ବୋର୍ଡ ଗଠନ କରି ତତ୍କାଳ ଯୁବତୀଙ୍କ ମେଡିକାଲ ଯାଞ୍ଚ କରାଯାଉ। ଏହି ଯାଞ୍ଚ ରିପୋର୍ଟ ଡିସେମ୍ବର ୨୨ ଦିନ ମେଡିକାଲ ବୋର୍ଡ ଅଦାଲତରେ ଦାଖଲ କରିବେ। ଏହି ଦିନ ଅନ୍ତସତ୍ତ୍ୱା ନାବାଳିକା ନିଜ ପିତା-ମାତାଙ୍କ ସହିତ ଉପସ୍ଥିତ ରହିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ବିଚାରପତି କୌଣସି ବି ନିଷ୍ପତ୍ତି ପାରିତ ହେବା ପୂର୍ବରୁ ଅନ୍ତସତ୍ତ୍ୱା ନାବାଳିକା ନିଜର ନିଷ୍ପତ୍ତିକୁ ଯେପରି ପରିବର୍ତ୍ତନ ନକରନ୍ତି ସେନେଇ ବି ନିର୍ଦ୍ଦେଶ ଦେଇଛନ୍ତି। କାରଣ ଡିସେମ୍ବର ୮ ତାରିଖରୁ ନେଇ ଏଯାବତ୍‌ ନାବାଳିକା ତିନିଥର ନିଜର ବୟାନ ପରିବର୍ତ୍ତନ କରିସାରିଲେଣି।

ସୂଚନାଯୋଗ୍ୟ, ୧୫ବର୍ଷୀୟ ନାବାଳିକା ଜଣେ ଯୁବକଙ୍କ ସହିତ ଘର ଛାଡି ଚାଲି ଯାଇଥିଲେ। ଯୁବକଙ୍କ ସହିତ କିଛିଦିନ ରହିବା ପରେ ବିବାହ ମଧ୍ୟ କରି ନେଇଥିଲେ। ପୁଲିସ ନଭେମ୍ବର ୨୭ରେ ନାବାଳିକାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ମଧ୍ୟ କରିଥିଲା।

ପ୍ରଥମେ ଯୁବତୀ ତାଙ୍କ ପିତା-ମାତାଙ୍କ ପାଖକୁ ଯିବାକୁ ଚାହୁଁ ନ ଥିଲା। ତେଣୁ ତାଙ୍କୁ ପ୍ରେୟାସ ଜୁଭିନାଇଲ୍‌ ଆଡ ସେଣ୍ଟକୁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ପିତା-ମାତାଙ୍କ ପାଖକୁ ଫେରି ଆସିଥିଲେ। ଡିସେମ୍ବର ୮ ତାରିଖରେ ସେ ସିଡବ୍ଲୁସିଙ୍କ ପାଖକୁ ଆସି ନିଜର ଗର୍ଭନଷ୍ଟ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ଏମ୍ସର ଜଣେ ଡାକ୍ତରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯୁବତୀ ୧୫ବର୍ଷ ବୟସରେ ଅନ୍ତସତ୍ତ୍ୱା ହେବା ସହିତ ତାଙ୍କର ଗର୍ଭ ଧାରଣକୁ ୨୫ ସପ୍ତାହ ହୋଇଥିବା ବେଳେ ଗର୍ଭପାତ କରିବା ବିପଦ ରହିଛି ବୋଲି ଡାକ୍ତର କହିଥିଲେ। ଏହାପରେ ନାବାଳିକା ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର