ଯଦି ନେତାମାନେ ଭୋଟ ମାଗିବାକୁ ଜନତାଙ୍କ ଘରକୁ ଯାଇ ପାରୁଛନ୍ତି, ତେବେ ଜନତା କାହିଁକି ନେତାଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ପାରିବେ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଯଦି ନେତାମାନେ ଜନତାଙ୍କ ଘରକୁ ଯାଇ ଭୋଟ ମାଗି ପାରୁଛନ୍ତି; ତେବେ ଜନତାମାନେ ସେମାନଙ୍କ ଘର ବା କାର୍ଯ୍ୟାଳୟ ନିକଟକୁ ଆସି ପ୍ରତିବାଦ ବା ବିକ୍ଷୋଭ ପ୍ରଦର୍ଶନ କଲେ ଅସୁବିଧାଟା ରହିଲା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌ କୋର୍ଟ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ରାଜନେତା ମାନଙ୍କର ଘର ଓ କାର୍ଯ୍ୟାଳୟକୁ ପ୍ରତିବାଦକାରୀ ଓ ବିକ୍ଷୋଭକାରୀଙ୍କ କବଳରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସମଗ୍ର କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ଯେ କୌଣସି ପ୍ରକାରର ପ୍ରତିବାଦ ଓ ବିକ୍ଷୋଭ ସମାବେଶ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇବା ସହ ସ୍ଥାୟୀ ନିଷେଧାଦେଶ ଜାରି କରିଛନ୍ତି। ଯଦି କେହି ଦିଲ୍ଲୀରେ କୌଣସି ପ୍ରକାରର କୌଣସି ପ୍ରତିବାଦ ଓ ବିକ୍ଷୋଭ ସମାବେଶ କରିବାକୁ ଚାହୁଁଥାଏ, ତେବେ ସେ କେବଳ ରାମଲୀଳା ମଇଦାନରେ କରିପାରିବ ବୋଲି ସରକାର ବିଜ୍ଞପ୍ତି ଜାରି କରିଛନ୍ତି।

ତେବେ, ସରକାରଙ୍କର ଏପ୍ରକାରର ସ୍ଥାୟୀ ନିଷେଧାଦେଶ ଓ ବିଜ୍ଞପ୍ତିକୁ ବିରୋଧ କରି ଏହା ବିରୋଧରେ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ ହୋଇଥିଲା। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏ କେ ସିକ୍ରି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଗୁରୁବାର ଦିନ ଏହି ଯାଚିକାର ଶୁଣାଣି କରି କହିଛନ୍ତି ଯେ ନିର୍ବାଚନ କାଳରେ ଯଦି ରାଜନେତାମାନେ ଭୋଟ ମାଗିବା ପାଇଁ ଭୋଟର ବା ଜନତାଙ୍କ ଘରକୁ ଯାଇ ପାରୁଛନ୍ତି, ତେବେ ନିର୍ବାଚନ ପରେ ସେଇ ଭୋଟର ବା ଜନତା କାହିଁକି ପ୍ରତିବାଦ ବା ବିକ୍ଷୋଭ କରିବାକୁ ସେମାନଙ୍କ ଘର କିମ୍ବା କାର୍ଯ୍ୟାଳୟ ନିକଟକୁ ଆସି ପାରିବେ ନାହିଁ? ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ହେଉଛି ଜଣେ ନାଗରିକର ଏକ ସାମ୍ବିଧାନିକ ଅଧିକାର ବୋଲି ଖଣ୍ଡପୀଠ ମତ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ମେ ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର