ବେକାରି ୪୫ ବର୍ଷରେ ସର୍ବାଧିକ

ନିତି ଆୟୋଗର ସଫେଇ ତଥ୍ୟ ଚୂଡ଼ାନ୍ତ ନୁହେଁ

0 778

ନୂଆଦିଲ୍ଲୀ : ଦେଶରେ ବେକାରି ହାର ଗତ ୪୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ୨୦୧୭-୧୮ ବର୍ଷରେ ଦେଶରେ ବେକାରି ହାର ୬.୧ ପ୍ରତିଶତ ଛୁଇଁଛି। ବିମୁଦ୍ରୀକରଣ ପରେ ସରକାରଙ୍କ ପକ୍ଷରୁ ବେକାରି ଆକଳନ ନେଇ ଏହା ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନଏସଏସଓ)ର ପ୍ରଥମ ରିପୋର୍ଟ। ପୂର୍ବରୁ ଏହି ରିପୋର୍ଟ ପ୍ରସ୍ତୁତ ହୋଇ ସାରିଥି‌ବାବେଳେ ସରକାର ଏହାକୁ ପ୍ରକାଶ କରି ନଥିଲେ। କିନ୍ତୁ ଏହି ରିପୋର୍ଟ ଆଜି ଏକ ଇଂରାଜୀ ଦୈନିକ ବିଜନେସ୍ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶରେ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଛି।

ବର୍ଷକୁ ଦୁଇ କୋଟି ଚାକିରି ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦୀ ସରକାରଙ୍କ ପାଇଁ ଏନ୍‌ଏସ୍‌ଏସ୍‌ଓର ତଥ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଜାତୀୟ ପରିସଂଖ୍ୟାନ ଆୟୋଗ ଏହି ସାମୟିକ ଶ୍ରମ ଶକ୍ତି ସର୍ଭେ ବା ପିରିୟଡିକ୍ ଲେବର ଫୋର୍ସ ସର୍ଭେ (ପିଏଲ୍‌ଏଫଓ) ରିପୋର୍ଟକୁ ମଞ୍ଜୁରି ଦେଇ ସାରିଥିଲେ ମଧ୍ୟ ସରକାର ଏହାକୁ ପ୍ରକାଶ କରିବା ବିଳମ୍ବ କରିଥିଲେ। ଏହି କାରଣରୁ ନିକଟ‌ରେ ଜାତୀୟ ପରିସଂଖ୍ୟାନ ଆୟୋଗର କାମଚଳା ଅଧ୍ୟକ୍ଷ ପି. ସି. ମୋହନନ୍‌ଙ୍କ ସମେତ ଅନ୍ୟ ଜଣେ ସଦସ୍ୟ ଜେ ମୀନାକ୍ଷୀ ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି। ଡିସେମ୍ବରରେ ଏହି ତଥ୍ୟ ପ୍ରକାଶ ପାଇବାକୁ ଥିଲେ ମଧ୍ୟ ସରକାର ବିଳମ୍ବ କରିବାରୁ ଏହା ସେମାନଙ୍କୁ ବ୍ୟଥିତ କରିଥିଲା ବୋଲି ଶ୍ରୀ ମୋହନନ୍ କହିଥିଲେ। ଏପରିକି ପଛୁଆ ସିରିଜ୍ ଜିଡିପି ତଥ୍ୟରେ ଅନ୍ୟ ସରକାରୀ ଏଜେନ୍ସିର ହସ୍ତକ୍ଷେପ ରହିଥିଲା ବୋଲି ଶ୍ରୀ ମୋହନନ୍ ଦର୍ଶାଇଥିଲେ।

୨୦୧୭ ଜୁଲାଇରୁ ୨୦୧୮ ଜୁନ ମଧ୍ୟରେ ଏନଏସଏସଓ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ଏହା ହେଉଛି ବେକାରି ସମ୍ପର୍କିତ ପ୍ରଥମ ସରକାରୀ ରିପୋର୍ଟ।

ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ ବେକାରି ହାର ପୂର୍ବେ ୧୯୭୨-୭୩ରେ ଏଭଳି ଉଚ୍ଚସ୍ତରରେ ରହିଥିଲା। ତେବେ ୨୦୧୧-୧୨ରେ ବେକାରି ହାର ୨.୨ ପ୍ରତିଶତକୁ ହ୍ରାସ ପାଇଥିଲା‌ ବୋଲି ଏନ୍‌ଏସ୍‌ଏସ୍‌ଓ ତଥ୍ୟରୁ ଜଣାଯାଇଛି।

ତେବେ ୨୦୧୭-୧୮ରେ ସମୁଦାୟ ଲୋକଙ୍କ ମଧ୍ୟରେ ଯୁବ ବର୍ଗଙ୍କ ବେକାରି ହାର ବହୁ ଅଧିକ ରହିଛି। ଗ୍ରାମାଞ୍ଚଳର ପୁରୁଷ ଯୁବକ (୧୫ରୁ ୨୯ ବର୍ଷ)ଙ୍କ ମଧ୍ୟରେ ବେକାରି ହାର ୨୦୧୧-୧୨ରେ ୫ ପ୍ରତିଶତ ଥିବାବେଳେ ୨୦୧୭-୧୮ରେ ଏହା ୧୭.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବୟସ ବର୍ଗର ମହିଳାଙ୍କ ବେକାରି ହାର ୨୦୧୧୧-୨ରେ ୪.୮ ପ୍ରତିଶତ ଥିବାବେଳେ ୨୦୧୭-୧୮ରେ ଏହା ୧୩.୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଗ୍ରାମାଞ୍ଚଳର ଶିକ୍ଷିତ ମହିଳାଙ୍କ ମଧ୍ୟରେ ‌ବେକାରି ହାର ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୯.୭ ପ୍ରତିଶତରୁ ୧୫.୨ ପ୍ରତିଶତରେ ରହିଥିବାବେଳେ ୨୦୧୭-୧୮ରେ ଏହା ୧୭.୩ ପ୍ରତିଶତକୁ ବଢ଼ିଯାଇଛି।

ଉଲ୍ଲେଖ ଥାଉ କି ଭାରତୀୟ ଅର୍ଥନୀତିର ଅନୁଧ୍ୟାନ କରୁଥିବା ସଂସ୍ଥା ବା ସିଏମଆଇଇ କହିଥିଲା ଯେ, ବିମୁଦ୍ରୀକରଣ କାର୍ଯ୍ୟକାରୀ ହେବାର ପ୍ରଥମ ୪ ମାସ ମଧ୍ୟରେ ଦେଶରେ ୧୫ ଲକ୍ଷ ଚାକିରି ଚାଲିଯାଇଥିଲା।

ନିତି ଆୟୋଗର ସଫେଇ ତଥ୍ୟ ଚୂଡ଼ାନ୍ତ ନୁହେଁ

ନୂଆଦିଲ୍ଲୀ : ବେକାରି ସମ୍ପର୍କରେ ଆଜି ଏକ ଇଂରାଜୀ ବିଜ୍‌ନେସ୍ ସମ୍ବାଦପତ୍ରରେ ପକାଶ ପାଇଥିବା ରିପୋର୍ଟକୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହେବା ପରେ ନିତି ଆୟୋଗ ଏହା ଉପରେ ସଫେଇ ଦେଇଛି। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତ ଏ ନେଇ ମୁହଁ ଖୋଲିଛନ୍ତି। ସେମାନେ କହିଛନ୍ତି ବେକାରି ସମ୍ପର୍କିତ ତଥ୍ୟର ପ୍ରସ୍ତୁତି ଏବେ ବି ଚାଲିଛି। ଏହା ଚୂଡ଼ାନ୍ତ ହୋଇନାହିଁ। ଏହାରା ପ୍ରସ୍ତୁତି ଚାଲିଥିବାରୁ ସରକାର ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିନାହାନ୍ତି। ‌‌ରିପୋର୍ଟ ଚୂଡ଼ାନ୍ତ ହେଲେ ତାହାକୁ ପ୍ରକାଶ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଏବେ ତଥ୍ୟ ସଂଗ୍ରହ ପଦ୍ଧତି ଭିନ୍ନ ରହିଛି। ନୂଆ ସର୍ଭେରେ କମ୍ପ୍ୟୁଟର ସହାୟତାରେ ବ୍ୟକ୍ତିଗତ ସାକ୍ଷାତକାର ନିଆଯାଉଛି। ଦୁଇଟି ତଥ୍ୟ ସେଟ୍‌କୁ ତୁଳନା କରିବା ଠିକ୍ ନୁହେଁ। ଏହି ତଥ୍ୟ ଯାଞ୍ଚ ହୋଇନାହିଁ। ତେଣୁ ଏହି ରିପୋର୍ଟକୁ ଚୂଡ଼ାନ୍ତ ରିପୋର୍ଟ ବୋଲି ବ୍ୟବହାର କରିବା ଠିକ୍ ନୁହେଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.