ଅଶାନ୍ତ ଜେରୁଜେଲମ: ଇସ୍ରାଏଲ ଗୁଳିମାଡ଼ରେ ୪୧ ମୃତ
ପାଲେଷ୍ଟାଇନବାସୀଙ୍କ ଉଗ୍ର ଆନ୍ଦୋଳନ:ଆମେରିକା ଦୂତାବାସ ସ୍ଥାନାନ୍ତରକୁ ନେଇ ହିଂସା
ଗାଜା: କିଛି ଦିନର ନିରବତା ପରେ ପୁଣିଥରେ ଜେରୁଜେଲମ ଅଶାନ୍ତ ହୋଇ ଉଠିଛି। ଆଜି ଆମେରିକା ପ୍ରଶାସନ ତେଲ୍ ଅବୀବ୍ରୁ ଜେରୁଜେଲମକୁ ଦୂତାବାସ ସ୍ଥାନାନ୍ତର କରିବାକୁ କେନ୍ଦ୍ର କରି ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଉପୁଜିଛି। ଗୋଟିଏ ପଟେ ପାଲେଷ୍ଟାଇନର ହଜାର ହଜାର ନାଗରିକ ଆମେରିକାର ଏହି ପଦକ୍ଷେପକୁ ବେଆଇନ ବୋଲି ଦର୍ଶାଇ ରାସ୍ତାକୁ ଓହ୍ଲାଇଥିବା ବେଳେ ଇସ୍ରାଏଲ ପକ୍ଷରୁ ଗୁଳି ଓ ବୋମା ମାଡ଼ କରାଯାଇଛି। ଗାଜାରେ ହୋଇଥିବା ଏହି ଗୁଳିମାଡ଼ରେ ୪୧ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଦୂତାବାସ ସ୍ଥାନାନ୍ତର କରାଯିବା ପୂର୍ବରୁ ଇସ୍ରାଏଲ ସରକାର ଚେତାବନୀ ଦେବା ସତ୍ତ୍ୱେ ହଜାର ହଜାର ଆନ୍ଦୋଳନକାରୀ ଗାଜା ସୀମାରେ ବିରୋଧ ପ୍ରଦର୍ଶନ କରିଥିଲେ। ଜେରୁଜେଲମରେ ନୂତନ ଦୂତାବାସର ଉଦ୍୍ଘାଟନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ସେଠାରେ କଡ଼ା ସୁରକ୍ଷା ବଳୟରେ ପହଞ୍ଚିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକାର ଏହି ପଦକ୍ଷେପକୁ ଐତିହାସିକ ବୋଲି କହି ଅନ୍ୟ ସବୁ ଦେଶ ମଧ୍ୟ ସେମାନଙ୍କର ଦୂତାବାସ ସ୍ଥାନାନ୍ତର କରନ୍ତୁ ବୋଲି ଇସ୍ରାଏଲ ସରକାର କହିଛନ୍ତି। ଗୋଟିଏ ପଟେ ୧୯୬୭ ମସିହାରେ ଇସ୍ରାଏଲ ଛଡ଼ାଇନେଇଥିବା ତାଙ୍କ ଅଧିକାରକୁ ଫେରାଇ ଦିଆଯାଉ ବୋଲି ଆନ୍ଦୋଳନକାରୀ ଦାବି କରୁଥିବା ବେଳେ ଆତଙ୍କବାଦୀ ସଂଗଠନ ହମାସ ନେତୃତ୍ୱରେ ଏପ୍ରକାର ବିଶୃଙ୍ଖଳା ସୃଷ୍ଟି କରାଯାଉଥିବା ଇସ୍ରାଏଲ ଅଭିଯୋଗ କରିଛି। ଜେରୁଜେଲମକୁ ଉଭୟ ପାଲେଷ୍ଟାଇନ ଓ ଇସ୍ରାଏଲ ସେମାନଙ୍କର ରାଜଧାନୀ ଭାବେ ମାନିଥାନ୍ତି। ଆମେରିକାର ଟ୍ରମ୍ପ ପ୍ରଶାସନ ଜେରୁଜେଲମକୁ ଇସ୍ରାଏଲ ରାଜଧାନୀ ଭାବେ ଘୋଷଣା କରି ସେଠାକୁ ଦୂତାବାସ ସ୍ଥାନାନ୍ତର କରାଯିବ ବୋଲି ଘୋଷଣା କରିବା ପରଠାରୁ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ସମୟ ମଧ୍ୟରେ ଇସ୍ରାଏଲ ଗୁଳିରେ ୫୦ରୁ ଉର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫ଶହରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି।
ଆମେରିକାର ଏହି ଦୂତାବାସ ସ୍ଥାନାନ୍ତରକୁ ଆରବ ଲିଗ ମଧ୍ୟ ବିରୋଧ କରିଛି। ପ୍ରାୟ ୧ ହଜାର ସୁରକ୍ଷାକର୍ମୀ ଓ ୮ଶହ ଅତିଥିଙ୍କ ଉପସ୍ଥିତିରେ ଇଭାଙ୍କା ଟ୍ରମ୍ପ ଏହି ନୂତନ ଦୂତାବାସର ଉଦ୍ଘାଟନ କରିଛନ୍ତି।