ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା: କାର୍ତ୍ତି ସହ ଇନ୍ଦ୍ରାଣୀଙ୍କୁ ମୁହାଁମୁହିଁ ଜେରା

ମୁମ୍ବାଇ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଅଧିକାରୀମାନେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପଚରାଉଚୁରା ପାଇଁ ଦକ୍ଷିଣ ମୁମ୍ବାଇ ସ୍ଥିତ ବାଇକୁଲା କାରାଗାରକୁ ନେଇଥିଲେ। ସେଠାରେ ଆଇଏନ୍‌ଏକ୍ସ ମିଡିଆର ପୂର୍ବତନ ମାଲିକାଣୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସହ କାର୍ତ୍ତିଙ୍କର ମୁହାଁମୁହିଁ ଜେରା କରାଯାଇଥିଲା। ସୂଚନା ଥାଉ କି, ନିଜ ଝିଅ ଶୀନା ବୋରା ହତ୍ୟାକାଣ୍ଡ ସହ ଜଡ଼ିତ ଥିବା ଅଭିଯୋଗରେ ଇନ୍ଦ୍ରାଣୀ ଏବେ ବିଚାରାଧୀନ ବନ୍ଦୀ ଭାବେ ବାଇକୁଲା କାରାଗାରରେ ରହୁଛନ୍ତି।

ଉଲ୍ଲେଖଯୋଗ୍ୟ, ପି. ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲା ବେଳେ ପୁଅ କାର୍ତ୍ତିଙ୍କୁ ବ୍ୟବସାୟରେ ସାହାଯ୍ୟ କରିବା ଲାଗି ସେ ଇନ୍ଦ୍ରାଣୀଙ୍କ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ କହିଥିଲେ ବୋଲି ଇନ୍ଦ୍ରାଣୀ ଅଭିଯୋଗ କରିଥିଲେ। ଏପରିକି ଆଇଏନ୍‌ଏକ୍ସ ମିଡିଆ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ପାଇଁ ଅର୍ଥମନ୍ତ୍ରୀଙ୍କ ପୁଅକୁ ୧୦ ଲକ୍ଷ ଆମେରିକୀୟ ଡଲାର ଲାଞ୍ଚ ଦିଆଯାଇଥିଲା ବୋଲି ଇନ୍ଦ୍ରାଣୀ ଦର୍ଶାଇଥିଲେ। ଏହି ଦୁର୍ନୀତି ସହ ଜଡ଼ିତ ଥିବା ଅଭିଯୋଗରେ କାର୍ତ୍ତିଙ୍କୁ ଗତ ସପ୍ତାହରେ ସିବିଆଇ ଗିରଫ କରିଥିଲା। ଆଜି ତାଙ୍କୁ ଛଅ ଜଣ ସିବିଆଇ ଅଧିକାରୀ ନୂଆଦିଲ୍ଲୀରୁ ବିମାନ ଯୋଗେ ମୁମ୍ବାଇ ଆଣି ସକାଳ ୧୧ଟାରେ ବାଇକୁଲା କାରାଗାରରେ ପହଞ୍ଚିଥିଲେ। ସେଠାରେ ଏକ ସ୍ୱତନ୍ତ୍ର କୋଠରିରେ ଇନ୍ଦ୍ରାଣୀଙ୍କ ସହ କାର୍ତ୍ତିଙ୍କର ଅପରାହ୍ଣ ୩ଟା ୨୦ ଯାଏ ମୁହାଁମୁହିଁ ଜେରା କରାଯାଇଥିଲା। ପରେ କାର୍ତ୍ତିଙ୍କୁ ନୂଆଦିଲ୍ଲୀ ଫେରାଇ ନିଆଯାଇଛି।

ସମ୍ବନ୍ଧିତ ଖବର