ବିଚାରପତି ନିଯୁକ୍ତି ମାମଲା : ପୁଣି କେନ୍ଦ୍ର ଓ ନ୍ୟାୟପାଳିକା ମୁହାଁମୁହିଁ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ମାମଲା ନେଇ ପୁଣିଥରେ ଆଜି କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମୁହାଁମୁହିଁ ହୋଇଛନ୍ତି। ଆଜି ସୁପ୍ରିମ୍‌ କୋର୍ଟରେ ମଣିପୁରର ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ବିଚାରପତି ଭାବେ କେତେ ଜଣଙ୍କ ସୁପାରିସ ଏବେ ବି ସରକାରଙ୍କ ନିକଟରେ ପଡ଼ି ରହିଛି ବୋଲି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏମ.ବି ଲୋକୁର ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପଳଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର;ା ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ ବୋଲି କହିଥିଲେ। ଏଥିରେ ବିରକ୍ତି ପ୍ରକାଶ କରି ଜଷ୍ଟିସ ଲୋକୁର କହିଥିଲେ ଯେ, ଏହି ପ୍ରସଙ୍ଗ ଉଠିବା ସମୟରେ ସରକାର ଏଭଳି ହିଁ ଉତ୍ତର ଦେଇଥାନ୍ତି। ବେଣୁଗୋପାଳ କହିଥିଲେ ଯେ, କେତେକ ହାଇକୋର୍ଟରେ ୪୦ଟି ପର୍ଯ୍ୟନ୍ତ ବିଚାରପତି ପଦବି ଖାଲି ଥିବା ବେଳେ କଲେଜିୟମ ୩-୪ ଜଣ ବିଚାରପତିଙ୍କ ନାମ ସୁପାରିସ କରୁଛନ୍ତି। ଯେଉଁଥିରେ ସରକାର ବିଚାରପତି ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ କରିପାରୁ ନାହାନ୍ତି ଓ ସରକାରଙ୍କୁ ଅଯଥାରେ ଦୋଷାରୋପ କରାଯାଉଛି। ଏଥିରେ ସରକାରଙ୍କ କ’ଣ ଭୁଲ ରହିଛି ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୯ ତାରିଖରେ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଏମ.ୟାକୁବ ମୀର ଏବଂ ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ରାମଲିଙ୍ଗମ ସୁଧାକରଙ୍କ ନାମ କଲେଜିୟମ ସୁପାରିସ କରିଥିଲେ। ଏନେଇ କାହିଁକି କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କରୁନାହାନ୍ତି ବୋଲି ଜଷ୍ଟିସ୍‌ ଲୋକୁର ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର