ବିରଳ ସ୍ୱାପ୍‌ ଟ୍ରାନ୍ସପ୍ଲାଣ୍ଟେସନ:ପରସ୍ପରର ସ୍ୱାମୀଙ୍କୁ ବୃକକ୍‌ ଦାନ କରି ୨ ମହିଳା ସେମାନଙ୍କ ସ୍ୱାମୀଙ୍କୁ ବଞ୍ଚାଇଲେ

ହାଇଦ୍ରାବାଦ:ବୃକକ ପ୍ରତିବଦଳ( ସ୍ୱାପ୍‌ ଟ୍ରାନ୍‌ସପ୍ଲାଣ୍ଟେସନ) ଜରିଆରେ ଦୁଇଜଣ ମହିଳା ସେମାନଙ୍କ ସ୍ୱାମୀମାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଥିବା ଜଣାପଡ଼ିଛି। ଏପରି ଘଟଣା ବିରଳ ହୋଇଥିଲେ ମଧ୍ୟ ହାଇଦ୍ରାବାଦର ଦୁଇଟି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇଜଣ ବ୍ୟକ୍ତି ସେମାନଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି।
ବିଲ୍ଲା ମୁଲ୍ଲା (୪୫ ବର୍ଷ) ନାମକ କରିମନଗରର ଜଣେ ବ୍ୟକ୍ତି ତୁରନ୍ତ ବୃକକ୍‌ ପ୍ରତିରୋପଣ ପାଇଁ ଡେକାନ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ବି ପଦ୍ମା ସ୍ୱାମୀଙ୍କ ପାଇଁ ବୃକକ୍‌ ଦାନ କରିବାକୁ ପ୍ରସ୍ତୁତ ଥିବା ବେଳେ ବାଧକ ସାଜିଥିଲା ସେମାନଙ୍କ ରକ୍ତଗ୍ରୁପ। ବିଲ୍ଲାଙ୍କର ବି ପଜିଟିଭ୍‌ ରକ୍ତ ଗ୍ରୁପ୍‌ ଥିବା ବେଳେ ବି ପଦ୍ମାଙ୍କର ରକ୍ତଗ୍ରୁପ୍‌ ଥିଲା ଏ ପଜିଟିଭ। ତେଣୁ ବିଲାଙ୍କ ପାଇଁ ପଦ୍ମା ଡୋନର ହୋଇ ପାରି ନ ଥିଲେ। ଠିକ୍‌ ସେହିପରି କିମ୍‌ସ ହସ୍‌ପିଟାଲରେ ମଧ୍ୟ ଜଣେ ରୋଗୀ ବୃକକ୍‌ ପ୍ରତିରୋପଣ ପାଇଁଁ ଭର୍ତ୍ତି ହୋଇଥିଲେ। ଓ୍ଵାରଙ୍ଗଲର ମୂଳବାସିନ୍ଦା ବନତ ରାଜୁଙ୍କର ବୃକକ୍‌ ପ୍ରତିରୋପଣ ଜରୁରି ହୋଇପଡ଼ିବାରୁ ତାଙ୍କୁ କିମ୍‌ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।ତାଙ୍କ ପତ୍ନୀ ବି ସୁନୀତା ବୃକକ୍‌ ଦାନ କରିବାକୁ ପ୍ରସ୍ତୁତ ଥିଲେ। ତେବେ ବି ସୁନୀତାଙ୍କ ରକ୍ତ ଗ୍ରୁପ ବି ପଜିଟିଭ୍‌ ହୋଇଥିବା ବେଳେ ରାଜୁଙ୍କର ରକ୍ତଗ୍ରୁପ ଏ ପଜିଟିଭ୍‌ ଥିଲା। ତେଣୁ ବି ସୁନୀତା ମଧ୍ୟ ତାଙ୍କ ସ୍ୱାମୀଙ୍କୁ ବୃକକ୍‌ ଦାନ କରିବା ପାଇଁ ଅସମର୍ଥ ବୋଲି ଡାକ୍ତର କହିଥିଲେ। ତେବେ ଯେତେବେଳେ ଦୁଇ ଡାକ୍ତରଖାନାରେ ଡାକ୍ତର ଏହି କଥା ଜାଣିଲେ ସେମାନେ ସ୍ୱାପ୍‌ ଟ୍ର୍ରାନ୍ସପ୍ଲାଣ୍ଟ ଆଇନ ଜରିଆରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଥିଲେ। ଦକ୍ଷିଣ ଭାରତରେ ପ୍ରଥମ ଥର ପାଇଁ ଏକ ସ୍ୱାପ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତରମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଡେକାନ ହସ୍‌ପିଟାଲର ନେଫ୍ରୋଲୋଜି ବିଭାଗରଡାକ୍ତର ଡା.ଏନ ପବନ କୁମାର କହିଥିଲେ ଯେ ଏ ପ୍ରସଙ୍ଗରେ ସେ କିମ୍‌ସ ହସ୍‌ପିଟାଲରେ ଥିବା ତାଙ୍କ ବନ୍ଧୁ ଡା. ଇ ରବିଙ୍କ ସହିତ ଆଲୋଚନା କଲା ବେଳେ ସେଠାରେ ମଧ୍ୟ ସମାନ କାରଣ ଯୋଗୁଁ ଜଣେ ରୋଗୀଙ୍କର ବୃକକ୍‌ ପତିରୋପଣ ସମ୍ଭବ ହୋଇ ପାରୁ ନ ଥିବା କହିଥିଲେ।ତେଣୁ ଏ ନେଇ ସରକାରଙ୍କ ଅନୁମତି ନେଇ ଉଭୟ ଦମ୍ପତ୍ତିଙ୍କୁ ପ୍ରତିରୋପଣ ପ୍ରକ୍ରିୟା ସମ୍ପର୍କର ସଚେତନ କରାଯାଇଥିଲା। ତେବେ ଏହି ଦୁଇଟି ଅସ୍ତ୍ରୋପଚାର ସମାନ ସମୟରେ କରିବାକୁ ଆବଶ୍ୟକ ପଡ଼ୁଥିବାରୁ ଡାକ୍ତରମାନେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପରସ୍ପର ସମ୍ପର୍କ ରଖି ବିଲ୍ଲା ଓ ରାଜୁଙ୍କ ଠାରେ ବୃକକ୍‌ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପରେ ଉଭୟ ରୋଗୀ ଓ ସେମାନଙ୍କ ଡୋନରମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଓ ଉଭୟ ଖୁବ୍‌ ଶଘ୍ର ସୁସ୍ଥ ହେବେ ବୋଲିି ଡାକ୍ତରମାନେ ଆଶାବାଦୀ ଅଛନ୍ତି। ତେବେ ୨୦୧୪ ମସିହାରୁ ସ୍ୱାପ୍‌ ଟ୍ରାନ୍‌ସପ୍ଲାଣ୍ଟ ବ୍ୟବସ୍ଥାକୁ ଆଇନସମ୍ମତ କରାଯାଇଥିଲେ ମଧ୍ୟ ଡାକ୍ତରମାନଙ୍କ ମଧ୍ୟରେ ସଚେନତନା ନ ଥିବାରୁ ଏ ଦିଗରେ ବିଶେଷ ସଫଳତା ମିଳି ନାହିଁ ବୋଳି ଜଣେ ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର