‘ଦେଶର ନ୍ୟାୟପାଳିକାରେ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ ସଂଗୀନ୍ ଷଡ୍ଯନ୍ତ୍ର ଚାଲିଛି; ନ୍ୟାୟପାଳିକାର ସ୍ୱାଧୀନତା ସଙ୍କଟରେ’: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ‘ଦେଶର ନ୍ୟାୟପାଳିକାରେ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବୃହତ୍ତର ଓ ସଂଗୀନ୍ ଷଡ୍ଯନ୍ତ୍ର ଚାଲିଛି। ଖାଲି ଏତିକି ନୁହେଁ ନ୍ୟାୟପାଳିକାର ସ୍ୱାଧୀନତା ଏବେ ବିପନ୍ନ ଓ ସଙ୍କଟରେ’ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଅଭିଯୋଗ କରିବା ସହ ଏଥିନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ବିରୋଧରେ ସୁପ୍ରିମ୍ କୋର୍ଟର ଜନୈକା ମହିଳା କର୍ମଚାରୀ ଏକ ଯୌନ ବ୍ୟଭିଚାର ମାମଲା ଆଗତ କରିବା ଏବଂ ଏହି ଅଭିଯୋଗ କେତେକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହାକୁ ନେଇ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଅରୁଣ ମିଶ୍ର ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ନିଜ ତରଫରୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ସ୍ୱତନ୍ତ୍ର ଶୁଣାଣି କରି ଏପରି ମତବ୍ୟକ୍ତ କରିଛନ୍ତି। ଏଥିସହ ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଏହି ସ୍ୱତନ୍ତ୍ର ଖଣ୍ଡପୀଠ କୌଣସି ନିର୍ଦ୍ଦେଶ ବା ରାୟ ପ୍ରଦାନ କରିବା ପରିବର୍ତ୍ତେ ନିଜ ବୁଦ୍ଧି ଓ ବିବେକ ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଭାବେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନିଜେ ବିଚାର କରିବାକୁ ଗଣମାଧ୍ୟମଗୁଡ଼ିକୁ ଆହ୍ଵାନ ଦେଇଛନ୍ତି ଏବଂ ଏହାକୁ ଗଣମାଧ୍ୟମର ବିଚାର ଉପରେ ଛାଡ଼ି ଦେଇଛନ୍ତି। କାରଣ, ଏହି ଘଟଣା ନ୍ୟାୟପାଳିକାର ସମ୍ମାନ ଓ ସ୍ୱାଧୀନତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଥିବାରୁ ଅଦାଲତ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଏହି ସ୍ୱତନ୍ତ୍ର ଖଣ୍ଡପୀଠର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ସ୍ପଷ୍ଟ କରି ଦେଇଛନ୍ତି।
ଏହି ମାମଲାର ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇ କହିଲେ ଯେ ଏସବୁ କେବଳ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ପଙ୍ଗୁ କରିଦେବା ଉଦ୍ଦେଶ୍ୟରେ ଏକ ହୀନ ଚକ୍ରାନ୍ତ। ଆଗତ ଅଭିଯୋଗ ସଂପୂର୍ଣ୍ଣ ଅବିଶ୍ୱାସ୍ୟ। ଏ ଅଭିଯୋଗ ଏତେ ହୀନ ଯେ ଏହାକୁ ଅସ୍ୱୀକାର କରି ମୁଁ ମୋ ନିଜକୁ ଛୋଟ କରିବାକୁ ସୁଦ୍ଧା ଉଚିତ ମଣୁ ନାହିଁ। ମୁଁ ଦେଶବାସୀଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ଦେଶର ନ୍ୟାୟପାଳିକା ଏବେ ଘୋର ସଙ୍କଟରେ। ଏହି ମାମଲାର ଶୁଣାଣି ପାଇଁ ମୁଁ ଏଇ ସ୍ୱତନ୍ତ୍ର ଖଣ୍ଡପୀଠରେ ବସିଛି ମୋର ଦାୟିତ୍ୱ ନିର୍ବାହ ପାଇଁ। ଏବଂ ସଂପୂର୍ଣ୍ଣ ଭୟହୀନ ଓ ବିନା ପକ୍ଷପାତରେ ମୁଁ ମୋ ଦାୟିତ୍ୱ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ନିର୍ବାହ କରିବି। ମୁଁ ଖାଲି ଏତିକି କହିବି ଯେ ଯେଉଁ ମହିଳା ମୋ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ପଛରେ ଏକ ବିରାଟ ଶକ୍ତି କାର୍ଯ୍ୟ କରୁଛି। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସଂପୃକ୍ତା ମହିଳାଙ୍କ ବିରୋଧରେ ପୂର୍ବରୁ ଦୁଇଟି ଫୌଜଦାରୀ ମାମଲା ପୁଲିସ୍ ନିକଟରେ ବିଚାରଧୀନ ରହିଛି। ତେଣୁ, ଜଣେ ମହିଳାଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଥିବା ସତ୍ତ୍ୱେ ସେ ସୁପ୍ରିମ୍ କୋର୍ଟରେ ନିଯୁକ୍ତି ପାଇ ସୁପ୍ରିମ୍ କୋର୍ଟ ମଧ୍ୟକୁ ପ୍ରବେଶ କଲେ କିପରି ତାହାର ତଦନ୍ତ ଗଣମାଧ୍ୟମ କରୁ। ଆସନ୍ତା ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବାକୁ ଥିବା ବେଳେ ମୋ ବିରୋଧରେ ସଂପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଷଡଯନ୍ତ୍ର ରଚାଯାଇ ଏହି ମାମଲା ଆଗତ କରାଯାଇଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇ।