ଲାସ୍‌ ଭେଗାସ୍‌ ସ୍ତବ୍ଧ, ହତ୍ୟକାରୀର ଉଦ୍ଦେଶ୍ୟ ଜଣାପଡ଼ୁନି

ମିନିଟ୍‌ ପ୍ରତି ୪ ଶହରୁ ୬ ଶହ ରାଉଣ୍ଡ ଗୁଳି ଚଳାଇଥିଲା ପାଡୋକ୍‌

ଲାସ୍‌ ଭେଗାସ  : ଲାସ୍‌ ଭେଗାସରେ ଗତକାଲି ଘଟିଥିବା ଆମେରିକା ଇତିହାସର ସବୁଠାରୁ ଭୟାନକ ଗୁଳିକାଣ୍ଡରେ ସହରବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଥିବା ବେଳେ  ଆକ୍ରମଣକାରୀ  ଷ୍ଟିଫେନ୍‌ ପାଡୋକ୍‌ କେଉଁ ଉଦ୍ଦେଶ୍ୟରେ ଏତେବଡ଼ ଗଣସଂହାର ଘଟାଇଲା ତାହାର କାରଣ ଜଣାପଡ଼ିନାହିଁ। ହୋଟେଲ ରୁମ୍‌ରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ପାଡୋକ୍‌ ନିକଟରୁ ୨୩ଟି ହ୍ୟାଣ୍ଡ୍‌ଗନ, ୧୦ଟି ରାଇଫଲ୍‌୍‌,  ୧ ହଜାର ରାଉଣ୍ଡ ଗୁଳି ଏବଂ ବିସ୍ଫୋରକ ମିଳିଛି।

ସେଠାରୁ ଏଭଳି କିଛି ମେସିନ୍‌ ମିଳିଛି ଯାହା ସହାୟତାରେ ପାଡୋକ୍‌  ମିନିଟ୍‌ ପ୍ରତି ୪ ଶହରୁ ୬ ଶହ ରାଉଣ୍ଡ ଗୁଳି ଚଳାଇବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି।   ଅତ୍ୟାଧୁନିକ ସ୍ୱୟଂ ଚାଳିତ ବନ୍ଧୁକରୁ ହଜାର ହଜାର ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିବା ପାଡୋକ ପୁଲିସ କାର୍ଯ୍ୟାନୁଷ୍ଠାନ ପୂର୍ବରୁ  ପ୍ରାୟ ୨ ହଜାର ରାଉଣ୍ଡ ଗୁଳି ଚଳାଇ ସାରିଥିଲା। ହୋଟେଲ ରୁମ୍‌ରୁ ଆଉ ୧ ହଜାର ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି । ପାଡୋକ୍‌ ବିରୋଧରେ ପୂର୍ବରୁ କୌଣସି ପୁଲିସ ରେକର୍ଡ ନଥିବା ବେଳେ ପାଡୋକର ପିତା ବିରୋଧରେ ଏକାଧିକ ମାମଲା ରହିଛି। ସେ ୧୯୬୧ ମସିହାରେ ବ୍ୟାଙ୍କ୍‌ ଡକାୟତିରେ ସଂପୃକ୍ତ ଥିବା ଏବଂ ଏଫ୍‌୍‌ବିଆଇ ଦ୍ୱାରା ଗିରଫ ହୋଇ ଦୀର୍ଘ ବର୍ଷ ଜେଲ୍‌ରେ ରହିଥିବା ଜଣାପଡ଼ିଛି। ଷ୍ଟିଫେନ୍‌ ପାଡୋକ୍‌ର ଭାଇ ଏରିକ୍‌ ପାଡୋକ କହିଛନ୍ତି ଯେ ଏହି ଘଟଣାରେ ପରିବାର ଲେକେ ସ୍ଥାଣୁ ପାଲଟିଯାଇଛନ୍ତି। ଏଭଳି କାହିଁକି ଘଟିଲା ସେ ସଂପର୍କରେ କେହି କିଛି ବୁଝି ପାରୁନାହାନ୍ତି।

ପୁଲିସ ଷ୍ଟିଫେ୍‌ନ ପାଡୋକ ବ୍ୟବହାର କରୁଥିବା ପ୍ରତ୍ୟେକ ସାମଗ୍ରୀ, ବାସଗୃହରୁ ଜବତ ଦସ୍ତାବିଜ ଏବଂ କଲ୍‌  ରେକର୍ଡ ଆଦି ଯାଞ୍ଚ କରିଥିଲେ ମଧ୍ୟ ଆକ୍ରମଣର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ।  ମୃତକଙ୍କ ପାଇଁ ଆଜି ସହରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ସଂଗୀତଜ୍ଞ ଓ କଳାକାର ଏଥିରେ ସାମିଲ ହୋଇଥିଲେ। ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନାରେ ସୋସିଆଲ ମିଡିଆ ଭରିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରାର୍ଥନା ସଭା ଆୟୋଜନ ହୋଇଛି । ଆମେରିକାରେ ବନ୍ଧୁକ ସଂସ୍କୃତି ଏବେ ଭୟାନକ ବିପଦ ହୋଇ ଦେଖାଦେଇଥିବାରୁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏ ବାବଦରେ ଗୁରୁତ୍ୱର ସହ ଚିନ୍ତା କରିବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର