କ୍ରୀଡ଼ାରେ ଜୁଆ ଆଇନସିଦ୍ଧ ହେବ!

ନୂଆଦିଲ୍ଲୀ : କ୍ରିକେଟ ସମେତ ଭାରତୀୟ କ୍ରୀଡ଼ାରେ ଜୁଆ ଏବଂ ବାଜିକୁ ଆଇନସିଦ୍ଧ କରାଯାଉ। ଏହା ଉପରେ ଟିକସ ମଧ୍ୟ ଧାର୍ଯ୍ୟ କରାଯାଉ। ଆବଶ୍ୟକ ପଡ଼ିଲେ ଅଧିକ ରାଜସ୍ୱ ସଂଗ୍ରହ ପାଇଁ ଏଥିରେ ବିଦେଶୀ ପୁଞ୍ଜି ବିନିଯୋଗ ନିମନ୍ତେ ବ୍ୟବସ୍ଥା କରାଯାଉ। ତେବେ ମ୍ୟାଚ୍‌ ଫିକ୍ସିଂ ଏବଂ ଧୋକାବାଜି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଭାରତର ବିଧି ଆୟୋଗ (ଲ’ କମିସନ) ଆଜି କେନ୍ଦ୍ର ସରକାରଙ୍କୁ ଏଭଳି ସୁପାରିସ କରି ଏକ ରିପୋର୍ଟ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଦେଶରେ ଜୁଆ ଓ ବାଜିକୁ ସଂପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ। ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଏକମାତ୍ର ବାଟ ହେଉଛି ଏହାକୁ ଆଇନସିଦ୍ଧ କରାଯାଉ। ଏହାର ସୁନିୟନ୍ତ୍ରଣ ପାଇଁ ପ୍ୟାନ୍‌ କାର୍ଡ ଏବଂ ଆଧାର ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ କୁହାଯାଇଛି। ଏହାଦ୍ୱାରା କଳାଧନକୁ ରୋକାଯାଇପାରିବ ଏବଂ ସରକାରଙ୍କୁ ବିପୁଳ ରାଜସ୍ୱ ମିଳିଯିବ। ଅନ୍ୟ ଦେଶଗୁଡ଼ିକର ଉଦାହରଣ ରଖି ଆୟୋଗ କହିଛନ୍ତି ଚୀନ ଲଟେରି ଜରିଆରୁ ୨୦୧୩ ମସିହାରେ ୫୧ ବିଲିଅନ୍‌ (ପ୍ରାୟ ୩୫୦ କୋଟି) ରାଜସ୍ୱ ଆଦାୟର କୀର୍ତିମାନ କରିଥିଲା। ଭାରତରେ ଏଭଳି କରାଗଲେ ଆୟକର ଆଦାୟ ସହିତ ଜିଏସ୍‌ଟି ଜରିଆରେ ମଧ୍ୟ ବିପୁଳ ରାଜସ୍ୱ ଆଦାୟ ହୋଇପାରିବ। ଯାହାକୁ ପରବର୍ତୀ ସମୟରେ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଲଗାଯାଇପାରିବ।

ଏଥିପାଇଁ ସରକାରଙ୍କୁ ପାର୍ଲାମେଣ୍ଟ୍‌ରେ ଏକ ମଡେଲ୍‌ ଆଇନ ଆଣିବାକୁ ପଡ଼ିବ। ସମ୍ବିଧାନର ୨୪୯ କିମ୍ବା ୨୫୨ ଧାରାରେ ମିଳିଥିବା କ୍ଷମତାର ପ୍ରୟୋଗ କରି ସରକାର ନୂଆ ଆଇନ ପ୍ରଣୟ କରନ୍ତୁ। ସେହିଭଳି ଜୁଆକୁ ‘ଉପଯୁକ୍ତ’ ଏବଂ ‘କ୍ଷୁଦ୍ର’ ଭାବେ ଦୁଇଟି ବର୍ଗରେ ବିଭକ୍ତ କରିବାକୁ ମଧ୍ୟ ଆୟୋଗ ସୁପାରିସ୍‌ କରିଛନ୍ତି। ଉପଯୁକ୍ତ ବର୍ଗରେ ଉଚ୍ଚ ଆୟଶ୍ରେୀୟ ବ୍ୟକ୍ତି ଏବଂ କ୍ଷୁଦ୍ରରେ ସ୍ୱଳ୍ପ ଆୟକାରୀଙ୍କୁ ରଖାଯାଇପାରିବ ବୋଲି ଆୟୋଗ କହିଛନ୍ତି।

ସମ୍ବନ୍ଧିତ ଖବର