ଓ୍ଵାସିଂଟନ୍: ସାମ୍ବାଦିକ ଜମାଲ୍ ଖଶୋଗିଙ୍କୁ ହତ୍ୟା କରିଥିବା ସାଉଦି ଟିମ୍ର ସଦସ୍ୟମାନେ ଯୁକ୍ତରାଷ୍ଟ୍ର ଆମେରିକାରେ ତାଲିମ୍ ପାଇଥିଲେ ବୋଲି ‘ଓ୍ଵାସିଂଟନ୍ ପୋଷ୍ଟ୍’ ଖବରକାଗଜ ରିପୋର୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଉଦୀ ଶାସନର ସମାଲୋଚକ ଖଶୋଗିଙ୍କୁ ରିୟାଦ୍ରୁ ଯାଇଥିବା ୧୫ ଜଣିଆ ଟିମ୍ ଗତ ଅକ୍ଟୋବର ୨ ତାରିଖ ଦିନ ଇସ୍ତାନବୁଲ୍ସ୍ଥିତ ସାଉଦି କନ୍ସୁଲେଟ୍ ମଧ୍ୟରେ ହତ୍ୟା କରି ଖଣ୍ଡବିଖଣ୍ଡ କରି ପକାଇଥିଲେ। ତାଙ୍କର ଶବକୁ ଆଉ ଉଦ୍ଧାର କରାଯାଇ ପାରି ନ ଥିଲା।
ହତ୍ୟାକାଣ୍ଡ କଥା ଅସ୍ୱୀକାର କରି ସାଉଦି ଆରବ କହିଥିଲା କି, ନିୟନ୍ତ୍ରଣ ବାହାରେ ଥିବା ଏଜେଣ୍ଟ୍ମାନେ ଏ ଭଳି ଅଭିଯାନ ଚଳାଇଥିଲେ। କିନ୍ତୁ, ଏ ମାମଲାର ଅଧିକାଂଶ କଥା ରହସ୍ୟାବୃତ ରହିଲା।
ତୁର୍କୀ ଗୁଇନ୍ଦା କନ୍ସୁଲେଟ୍ରେ ଖଞ୍ଜିଥିବା ଏକ ଉପକରଣ ଦ୍ୱାରା ରେକର୍ଡ ହୋଇଥିବା ତଥ୍ୟକୁ ଭଲଭାବେ ଅନୁଧ୍ୟାନ କରି ଓ୍ଵାସିଂଟନ୍ ପୋଷ୍ଟର ସ୍ତମ୍ଭକାର ଡେଭିଡ୍ ଇଗ୍ନାଟାୟସ୍ କହିଛନ୍ତି ଯେ ଖଶୋଗିଙ୍କୁ ଅପହରଣ କରି ତାଙ୍କୁ ଅଟକ ରଖି ପଚରାଉଚୁରା କରିବାକୁ ସାଉଦି ଆରବ ନେବା ଲାଗି ଯୋଜନା ହୋଇଥିଲା।
ସେଥିରୁ ଆହୁରି ଜଣାପଡ଼ିଛି ଯେ ଖଶୋଗିଙ୍କୁ ଗୋଟାଏ ଉତ୍କଟ ନିଶାଯୁକ୍ତ ଇଞ୍ଜେକ୍ସନ୍ ଦିଆଯାଇଥିଲା। ତା’ପରେ ତାଙ୍କ ମୁଣ୍ଡଆଡୁ ଗୋଟାଏ ମୁଣା ଭର୍ତ୍ତି କରାଯାଇଥିଲା। ସେ ଚିତ୍କାର କରିଥିଲେ: ମୁଁ ନିଶ୍ୱାସ ନେଇ ପାରୁନି, ମୋତେ ଆଜ୍ମା। ଏମିତି କର ନାହିଁ। ପରେ ପରେ ସେ ମରି ଯାଇଥିଲେ।
ତା’ପରେ କିଛି ଗୋଟାଏ ଗଣଗଣିଆ ଶବ୍ଦ ଶୁଭୁଥିଲା। ବୋଧହୁଏ ଗୋଟାଏ ବୈଦ୍ୟୁତିକ କରତରେ ତାଙ୍କ ଶବ ଖଣ୍ଡବିଖଣ୍ଡ କରାଯାଇଥିଲା।
ଇଗ୍ନାଟିୟସ୍ କହନ୍ତି ସେ ସାକ୍ଷାତ୍ କରିଥିବା କେତେକ ଆମେରିକୀୟ ଓ ସାଉଦୀଙ୍କ ମତରେ ସାଉଦି ରାପିଡ୍ ଇଣ୍ଟର୍ଭେନ୍ସନ୍ ଗ୍ରୁପ୍ର କେତେକ ସଦସ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ତାଲିମ ନେଇଥିଲେ।