ମଣିପୁର ବିଧାନସଭା ବାଚସ୍ପତି ହିପ୍‌ହି କଂଗ୍ରେସରୁ ଇସ୍ତଫା ଦେଇ ମିଶିଲେ ବିଜେପିରେ

ଇମ୍ଫାଲ୍‌ (ମଣିପୁର): ମଣିପୁର ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି। ମଣିପୁର ବିଧାନସଭାରେ ବାଚସ୍ପତି ଥିବା କଂଗ୍ରେସ ବିଧାୟକ ହିପ୍‌ହି ଆଜି ଉଭୟ କଂଗ୍ରେସ ଓ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଧାନସଭାର ଉପ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି ଏବଂ ତାହା ଗୃହୀତ ହୋଇଯାଇଛି ବୋଲି ହିପ୍‌ହି ଗଣମାଧ୍ୟମକୁ କହିଛନ୍ତି। ହିପ୍‌ହି ୧୯୭୨ରୁ ୧୯୮୯ ମଧ୍ୟରେ ମଣିପୁରର ତୁଇପାଙ୍ଗ ବିଧାନସଭା କ୍ଷେତ୍ରରୁ ସାତଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତ ୨୦୧୩ ନିର୍ବାଚନରେ ମଣିପୁରରୁ ପାଲକ୍‌ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ବାଚସ୍ପତି ହୋଇଥିଲେ। ତେବେ, ଆସନ୍ତା ନିର୍ବାଚନରେ କଂଗ୍ରେସ ପାଲକ୍‌ ବିଧାନସଭା କ୍ଷେତ୍ରରୁ ହିପ୍‌ହିଙ୍କୁ ଦଳୀୟ ପ୍ରାର୍ଥୀ ନକରି ତାଙ୍କ ବଦଳରେ ମଣିପୁରରେ ଦଳର ସାଧାରଣ ସଂପାଦକ ଥିବା କେ ଟି ରୋଖ୍‌ଓ୍ଵାଙ୍କୁ ଟିକେଟ ପ୍ରଦାନ କରିବା ଘଟଣାରେ ନିଜର ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ମଧ୍ୟ ତାଙ୍କୁ ପାଲକ୍‌ ବିଧାନସଭା କ୍ଷେତ୍ରରୁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। କାରଣ, ପାଲକ୍‌ ବିଧାନସଭା କ୍ଷେତ୍ରରୁ ବିଜେପି ଏପର୍ଯ୍ୟନ୍ତ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିନାହିଁ।

ସମ୍ବନ୍ଧିତ ଖବର