ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲା, ଲସ୍କର ଆତଙ୍କବାଦୀ ଶେଖ୍‌ ସମୀରକୁ ମୃତ୍ୟୁଦଣ୍ଡ

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର କରିଥିବା ଲସ୍କର ଆତଙ୍କବାଦୀ ଅବଦୁଲ୍‌ ନଇମ୍‌ ଓରଫ ଶେଖ୍‌ ସମୀରକୁ ଆଜି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବନ୍‌ଗାଁ ମହକୁମା ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଶେଖ୍‌ ସମୀରକୁ ଗତ ମଙ୍ଗଳବାର ଦିନ ଅଦାଲତ ଦୋଷୀ ସାବ୍ୟସ୍ତ କରି ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ସମୀର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବାର ସକ୍ରିୟ ସଦସ୍ୟ ରହିଥିଲା। ଏପ୍ରିଲ ୨୦୦୭ରେ ପେ‌ଟ୍ରୋପୋଲ୍‌ ସୀମା ସ୍ଥିତ ଏକ ପରିତ୍ୟକ୍ତ ଘରୁ ଅନ୍ୟ ୩ ଜଣଙ୍କ ସହ ତାକୁ ବିଏସଏଫ୍‌ ଗିରଫ କରିଥିଲା। କୋଲକାତା ସିଆଇଡି ଜେରା ବେଳେ ସମୀର ଓ ତା’ର ସହଯୋଗୀମାନେ ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ରଚିଥିବା, ଅସ୍ତ୍ରଶସ୍ତ୍ର ଠୁଳ କରୁଥିବା ଜଣା ପଡ଼ିଥିଲା। ସେଖ୍‌ ସମୀର ପାକିସ୍ତାନର ରାୱଲପିଣ୍ଡିରୁ ବାଂଲାଦେଶ ରାଜଧାନୀ ଢାକା ଯାଇଥିଲା ଏବଂ ସେଠାରୁ ଭାରତରେ ଅନୁପ୍ରବେଶ ଯୋଜନା କରିଥିଲା। ୨୦୧୪ରେ ଶେଖ୍‌ ସମୀରକୁ ମୁମ୍ବାଇର ଏକ କୋର୍ଟରେ ହାଜର ପାଇଁ ନିଆଯାଉଥିବା ‌ବେଳେ ସେଠାରୁ ସେ ଫେରାର୍‌ ହୋଇ ଯାଇଥିଲା। ୨୦୧୭ରେ ଏନ୍‌ଆଇଏ ତାକୁ ଦିଲ୍ଲୀରୁ ଗିରଫ କରିଥିଲା। ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ରଚିଥିବା ଜଣାପଡ଼ିବା ପରେ ତା’ ବିରୋଧରେ ପୁଣି ମାମଲା ରୁଜୁ ହୋଇଥିଲା। ଏହାପରେ ସମୀରକୁ ତିହାର ଜେଲ୍‌ରେ ରଖାଯାଇଥିଲା। ଗତ ମଙ୍ଗଳବାର ତାକୁ ବନଗାଁ ମହକୁମା ଅଦାଲତରେ ହାଜର କରାଯାଇଥିଲା। ଆଜି ବିଚାରପତି ବିନୟ କୁମାର ପାଠକ୍‌ ତାକୁ ଫାଶୀଦଣ୍ଡ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର