ନୂଆଦିଲ୍ଲୀ: ୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାଗୁଡ଼ିକ ମଧ୍ୟରୁ ୧୮୬ଟି ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ପୂର୍ବରୁ ଗଠିତ ହୋଇଥିବା କେନ୍ଦ୍ର ସରକାରଙ୍କ ଏସ୍ଆଇଟି ତଦନ୍ତ ପ୍ରକ୍ରିୟା ବନ୍ଦ କରିଦେଇଥିଲେ। ଆଜି କୋର୍ଟ ଏହି ମାମଲାଗୁଡ଼ିକର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଦଙ୍ଗା ପୀଡ଼ିତଙ୍କ ମଧ୍ୟରେ ନୂତନ ଆଶା ସଂଚାର ହୋଇଛି। ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟ ନିଜ ତତ୍ତ୍ୱାବଧାନରେ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିବେ। ଉକ୍ତ ଏସଆଇଟିର ପରିଚାଳନା କରିବେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି। ଏଥିସହ ଜଣେ ସେବା ନିଯୁକ୍ତ ପୁଲିସ ଅଧିକାରୀ ଏବଂ ଜଣେ ଅବସରପ୍ରାପ୍ତ ଡିଆଇଜି ସ୍ତରୀୟ ପୁଲିସ ଅଧିକାରୀ ଏସଆଇଟି ଅନ୍ତର୍ଭୁକ୍ତ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏସଆଇଟି ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ମାମଲାଗୁଡ଼ିକର ତଦନ୍ତ କରୁଥିଲେ। କିନ୍ତୁ ଉକ୍ତ ଏସଆଇଟି ମାମଲାଗୁଡ଼ିକଣ ସଠିକ୍ ତଦନ୍ତ ନକରି ଏହାକୁ ବନ୍ଦ କରିଦେବା ଫଳରେ ସଙ୍କଟ ଉପୁଜିଥିଲା। ଏବେ ସୁପ୍ରିମ୍ କୋର୍ଟ ନିଜସ୍ୱ ଏସ୍୍ଆଇଟି ତଦନ୍ତଭାର ନେବ ବୋଲି ଘୋଷଣା କରିବା ପରେ ଏ ବାବଦ ତଦନ୍ତ ଓ ଶୁଣାଣି ତ୍ୱରାନ୍ଵିତ ହେବ ବୋଲି ଆଶା କରାଯାଉଛି। ପୁର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଜଣେ ଶିଖ୍ ସୁରକ୍ଷା କର୍ମୀଙ୍କ ଦ୍ୱାରା ହତ୍ୟା ପରେ ଏହାକୁ ନେଇ ଦେଖା ଦେଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପାଖାପାଖି ୩,୦୦୦ ଜଣ ପ୍ରାଣ ହରାଇଥିଲେ। ଏହି ଶିଖ୍ ବିରୋଧୀ ଦଙ୍ଗା ମାମଲାର ତଦନ୍ତ ପାଇଁ ଫେବୃଆରୀ ୨୦୧୫ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରାଯାଇଥିଲା। କିନ୍ତୁ ଦୁଇବର୍ଷ ବିତିଯିବା ପରେ ଏସଆଇଟି ୨୦୧୭ ମସିହାରେ ଦର୍ଶାଇଥିଲେ ଯେ ଏହା ୧୨ଟି ମାମଲାରେ ଚାର୍ଜ ଫାଇଲ୍ କରିଛନ୍ତି ଏବଂ ୨୪୧ଟି ମାମଲା ବନ୍ଦ କରିଦେଉଛନ୍ତି। ତେବେ ଏସଆଇଟିର ଉକ୍ତ ୨୪୧ ମାମଲା ବନ୍ଦ କରିବା ନିଷ୍ପତ୍ତିକୁ ତର୍ଜମା କରିବାପାଇଁ ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୦୧୬ ତାରିଖରେ ଏକ ପ୍ୟାନେଲ ଗଠନ କରିଥିଲେ ଏବଂ ତିନି ମାସ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ଦେବାପାଇଁ କହିଥିଲେ। ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ଉକ୍ତ ପ୍ୟାନେଲ ୧୮୬ଟି ଶିଖ୍ ବିରୋଧୀ ମାମଲାର ପୁନଃତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବାପରେ କୋର୍ଟ ଉକ୍ତ ମାମଲାଗୁଡ଼ିକର ପୁନଃତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।