ବିସ୍ଫୋରଣ ନୁହେଁ; ଆଇଏସ୍‌ଆଇଏସ୍‌ର ୯ ଆତଙ୍କବାଦୀ ଖାଦ୍ୟ ଓ ପାନୀୟରେ ବିଷ ମିଶାଇ ରଚିଥାଆନ୍ତେ ହତ୍ୟାର ତାଣ୍ଡବ; ମହାରାଷ୍ଟ୍ର ଏଟିଏସ୍‌

ମୁମ୍ବାଇ/ ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ (ଇସ୍‌ଲାମିକ୍‌ ଷ୍ଟେଟ) ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ମହାରାଷ୍ଟ୍ର ଏଟିଏସ୍‌ (ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ) ଆଜି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଗିରଫ କରିବା ପରେ ସେମାନଙ୍କ ଠାରୁ ସେମାନଙ୍କ ଯୋଜନା ସଂପର୍କରେ ଶୁଣି ସୁରକ୍ଷା ବାହିନୀ ଆଖିରୁ ନିଦ ହଜିଯାଇଛି। ଏଟିଏସ୍‌ ହାତରେ ଗିରଫ ହୋଇଥିବା ଏହି ୯ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସେମାନଙ୍କର ଜେରା କାଳରେ ସ୍ୱୀକାର କରି କହିଛନ୍ତି ଯେ କୌଣସି ପ୍ରକାରର ବିସ୍ଫୋରଣ, ଆତ୍ମଘାତୀ ବିସ୍ଫୋରଣ ବା ସେହିପରି ଧରଣର ହାମ୍‌ଲା ପାଇଁ ସେମାନଙ୍କର ଯୋଜନା ନଥିଲା। ବରଂ ଏଥର ସେମାନେ ଖାଦ୍ୟ ଓ ପାନୀୟ ଜଳରେ ବିଷ ମିଶାଇ ଦେଶରେ ଗଣ ମୃତ୍ୟୁ ଘଟାଇ ରଚିଥାଆନ୍ତେ ହତ୍ୟାର ତାଣ୍ଡବ।

ତଦନ୍ତରୁ ଏଟିଏସ୍‌ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ୯ ଜଣ ଯାକ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ବେଶ୍‌ ଉଚ୍ଚଶିକ୍ଷିତ। ଏମାନଙ୍କ ମଧ୍ୟରୁ ଜଣେ ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମ୍‌ର ଜନୈକ ଘନିଷ୍ଠ ସହଯୋଗୀର ପୁଅ। ଏଥିସହ ପୁଲିସ୍‌ ସେମାନଙ୍କ ନିକଟରୁ ଅନେକ ପ୍ରକାରର ମାରାତ୍ମକ ବିଷ ସହ ଅନ୍ୟାନ୍ୟ ରସାୟନିକ ପଦାର୍ଥ ଥିବା ବୋତଲ ମଧ୍ୟ ଜବତ କରିବା ପରେ ଜେରା କାଳରେ ସେମାନେ ଦେଇଥିବା ବୟାନରେ ସତ୍ୟତା ଥିବା ଆଶଙ୍କା କରୁଛି ଏଟିଏସ୍‌।

ସର୍ବସାଧାରଣଙ୍କ ନିମନ୍ତେ ଆୟୋଜିତ ହେଉଥିବା ଭୋଜି ଖାଦ୍ୟ ବା ସର୍ବସାଧାରଣ ପିଇବା ପାଇଁ ରହୁଥିବା ପାନୀୟ ଜଳରେ ଏହି ଜହରକୁ ମିଶାଇ ତାଣ୍ଡବ ରଚିବା ପାଇଁ ଯୋଜନା ରଖିଥିବା ସ୍ୱୀକାର କରିଛନ୍ତି। ଏଥିପାଇଁ ସେମାନଙ୍କୁ ଅନ୍‌ଲାଇନ୍‌ ଜରିଆରେ ବ୍ୟାପକ ତାଲିମ୍‌ ମିଳିଥିବା ମଧ୍ୟ ସେମାନେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର