ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲା: ଫାଶୀରେ ଝୁଲିବେ ୪ ଦୋଷୀ

ଜାନୁଆରି ୨୨ ପାଇଁ ଡେଥ୍‌ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କ ଡେଥ୍‌ ୱାରେଣ୍ଟ (ମୃତ୍ୟୁ ପରୱାନା) ଜାରି କରିଛନ୍ତି। ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍‌ରେ ସମସ୍ତ ୪ ଦୋଷୀ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ ସିଂହ ଏବଂ ପୱନ ଗୁପ୍ତାଙ୍କୁ ଏକ ସମୟରେ ଫାଶୀ ଦିଆଯିବ। ଏକାବେଳକେ ୪ ଜଣଙ୍କୁ ଫାଶୀ ଦଣ୍ଡ ଭାରତର ନ୍ୟାୟିକ ଇତିହାସରେ ପ୍ରଥମ ଘଟଣା ହେବ। ଦୀର୍ଘ ୭ ବର୍ଷର ଆଇନଗତ ସଂଘର୍ଷ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିବାକୁ ଯାଉଥିବାରୁ ନିର୍ଭୟାର ବାପାମା’ ସନ୍ତୋଷ ପ୍ରକାଶ କରିଛନ୍ତି। ୪ ଦୋଷୀଙ୍କୁ କୋର୍ଟ ମୃତ୍ୟୁ ପରୱାନା ଶୁଣାଇବା ପରେ ସମଗ୍ର ଦେଶରେ ରାୟକୁ ପ୍ରଶଂସା କରାଯାଇଛି। ତେବେ ଏହି ୧୪ ଦିନ ମଧ୍ୟରେ ଦୋଷୀମାନେ ରାୟ ବିରୋଧରେ ଯାହା ନ୍ୟାୟିକ ପଦକ୍ଷେପ ନେଇ ପାରିବେ ବୋଲି ପଟିଆଲା କୋର୍ଟର ଅତିରିକ୍ତ ସେସନ୍‌ସ ଜଜ୍‌ ସତୀଶ କୁମାର ଆରୋରା କହିଛନ୍ତି। ଅପରପକ୍ଷେ, ପଟିଆଲା କୋର୍ଟର ଏହି ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯିବ ବୋଲି ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏ.ପି. ସିଂହ କହିଛନ୍ତି। ବିଚାରପତି ଆଜି ରାୟ ଶୁଣାଇବା ବେଳେ ସମଗ୍ର କୋର୍ଟ ପରିସରରେ ନିରବତା ଛାଇ ଯାଇଥିଲା। ଫାଶୀ ଦଣ୍ଡ ପାଇଥିବା ମୁକେଶ ସିଂହ ନାମକ ଜଣେ ଦୋଷୀର ମା’ କୋର୍ଟ ଭିତ‌ରେ ଥିବା ନିର୍ଭୟାଙ୍କ ମା’ଙ୍କ ନିକଟକୁ ଦଉଡ଼ି ଯାଇଥିଲେ ଏବଂ ତାଙ୍କ ପୁତ୍ରଙ୍କ ଜୀବନ ଭିକ୍ଷା କରୁଥିବା ଦେଖାଯାଇଥିଲା। ତେବେ ବିଚାରପତି ଏଥିରୁ ତାଙ୍କୁ କ୍ଷାନ୍ତ ରହିବାକୁ କହିଥିଲେ।

ଭାରତର ନ୍ୟାୟିକ ଇତିହାସରେ ପ୍ରଥମ
୭ ବର୍ଷର ଆଇନଗତ ସଂଘର୍ଷର ଅନ୍ତ ହେବ
କୋର୍ଟଙ୍କ ରାୟକୁ ସାରା ‌ଦେଶରେ ପ୍ରଶଂସା

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ଦିଲ୍ଲୀରେ ଘଟିଥିବା ଏହି ଲୋମଟାଙ୍କୁରା ନିର୍ଭୟା ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ଓ କ୍ରୋଧ ସୃଷ୍ଟି କରିଥିଲା। ନିଜର ପୁରୁଷ ବନ୍ଧୁଙ୍କ ସହ ଜଣେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀ ଏକ ବସ୍‌ରେ ଫେରୁଥିବାବେଳେ ବସ୍‌ ଡ୍ରାଇଭର, ହେଲପର ସମେତ ୬ ଜଣ ଦୁର୍ବୃତ୍ତ ଉଭୟଙ୍କୁ ଲୁହା ରଡ଼ରେ ପ୍ରାଣାନ୍ତକ ଆକ୍ରମଣ କରିବା ସହ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କଲାବେଳେ ସେମାନେ ନୃଶଂସତା ଓ ବର୍ବରତାର ସମସ୍ତ ସୀମାକୁ ଟପି ଯାଇଥିଲେ। ଅତି ସଙ୍କଟାପନ୍ନ ଭାବେ ଉଦ୍ଧାର କରି ନିର୍ଭୟାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସିଙ୍ଗାପୁରର ଏଲିଜାବେଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୯ ତାରିଖ ଦିନ ନିର୍ଭୟାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଜଘନ୍ୟ ଘଟଣା ସେତେବେଳେ ସାରା ଦେଶକୁ ଏମିତି ଦୋହଲାଇ ‌େଦଇଥିଲା ଯେ ଅପରାଧୀମାନଙ୍କୁ ଧରି କଠୋରରୁ କଠୋରତମ ଶାସ୍ତି ଦେବାକୁ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇ ଆସିଥିଲେ। ଦିଲ୍ଲୀ ପୁଲିସ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରି ଘଟଣାର ୫ ଦିନ ମଧ୍ୟରେ ଜଣେ ନାବାଳକ ସମେତ ୬ ଜଣ ଯାକ ଅଭିଯୁକ୍ତଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଗିରଫ କରିବାକୁ ସମର୍ଥ ହୋଇଥିଲା। ତେବେ ସମସ୍ତେ ତିହାର ଜେଲ ହାଜତରେ ଥିବାବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ରାମ ସିଂ ୨୦୧୩ ମାର୍ଚ୍ଚ ୧୧ ତାରିଖରେ ଆତ୍ମହତ୍ୟା କରିଥିଲା। ସେହିବର୍ଷ ଅଗଷ୍ଟ ୩୧‌େର ନାବାଳକ ଅଭିଯୁକ୍ତକୁ ୩ ବର୍ଷ ଲାଗି ସୁଧାର ଗୃହକୁ ପଠାଇ ଦିଆଯାଇଥିବାବେଳେ ଅନ୍ୟ ୪ ଅଭିଯୁକ୍ତଙ୍କର ଫାଷ୍ଟ‌ଟ୍ରାକ୍ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ୨୦୧୩ ସେପ୍ଟେମ୍ବର ୪ ତାରିଖରେ ଦିଲ୍ଲୀର ଫାଷ୍ଟଟ୍ରାକ୍ କୋର୍ଟ ଏହି ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ପରେ ସେମାନେ ଏହି ରାୟ ବିରୋଧରେ ହାଇକୋର୍ଟକୁ ଯାଇଥିଲେ। ତେବେ ୨୦୧୪ ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ। ସେମାନେ ଏହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବାରୁ ସୁପ୍ରିମକୋର୍ଟ ମଧ୍ୟ ମାମଲାର ଶୁଣାଣି କରି ୨୦୧୭ ମାର୍ଚ୍ଚ ୨୭ରେ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ଜୁଲାଇ ଓ ଡିସେମ୍ବର ମାସରେ ଦୁଇ ଦୁଇ ଥର ସୁପ୍ରିମକୋର୍ଟରେ ସେମାନଙ୍କର ରିଭ୍ୟୁ ପିଟିସନ୍ ମଧ୍ୟ ଖାରଜ ହୋଇଥିଲା। ଶେଷରେ ରାଷ୍ଟ୍ରପତି ମଧ୍ୟ ରାଜକ୍ଷମା ଆବେଦନକୁ ଖାରଜ କରିଦେବାରୁ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ବାଟ ଫିଟିଥିଲା।

ଅପରପକ୍ଷ‌େର ନିର୍ଭୟା ମାମଲା ଦେଶରେ ଏଭଳି କ୍ରୋଧ ଓ ଜନ ଜାଗରଣ ସୃଷ୍ଟି କରିଥିଲା ଯେ ସରକାର ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଧିକ କଠୋର ଦଣ୍ଡ ଦେବା ପାଇଁ ସଂସଦରେ ଆଇନର ସଂଶୋଧନ କରିଥିଲେ। ୨୦୧୩ ମାର୍ଚ୍ଚ ୨୧ ତାରିଖରେ ଏଭଳି ଜଘନ୍ୟ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇ ପାରିବ ବୋଲି ଆଇନ ଗୃହୀତ ହୋଇଥିଲା। ଆଜି ପଟିଆଲା କୋର୍ଟ ଫାଶୀ ଦଣ୍ଡ ପାଇଁ ଦିନ ଧାର୍ଯ୍ୟ କରିବା ପରେ ନିର୍ଭୟାଙ୍କ ମା’ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଳମ୍ବ ହେଉ ପଛେ ତାଙ୍କ ଝିଅକୁ ନ୍ୟାୟ ମିଳିଛି। ଏହି ରାୟ ଦେଶର ମହିଳାମାନଙ୍କ ନୈତିକ ମନୋବଳ ବୃଦ୍ଧି କରିବ ଏବଂ ଦେଶବାସୀଙ୍କ ବିଶ୍ବାସକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର