ଦାୟିତ୍ୱ ଗ୍ରହଣ କଲେ ନିତିନ ପଟେଲ, ଅର୍ଥ ବିଭାଗ ମିଳିବ

ନୂଆଦିଲ୍ଲୀ: ବିଜେପି ସଭାପତି ଅମିତ ଶାହଙ୍କ ହସ୍ତକ୍ଷେପ ପରେ ଗୁଜୁରାଟ ମନ୍ତ୍ରିମଣ୍ଡଳର ଅସନ୍ତୁଷ୍ଟ ନେତା ନିତିନ ପଟେଲ ଶେଷରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଅର୍ଥ ବିଭାଗ ଦିଆଯିବ ବୋଲି ଅମିତ ଶାହ ପ୍ରତିଶୃତି ଦେବାପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଶାନୁରୂପ ବିଭାଗ ନମିଳିବାରୁ ସେ ଗତକାଲି ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରିବା ସହ ଦାୟିତ୍ୱ ଗ୍ରହଣ କରିନଥିଲେ ।

ଗତ ଥର ଗୁଜୁରାଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ନିତିନଙ୍କ ପାଖରେ ଅର୍ଥ ଓ ସହରି ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା । କିନ୍ତୁ ଏଥର ତାଙ୍କୁ ସଡ଼କ ଓ ନିର୍ମାଣ, ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା,ନର୍ମଦା, କଲପସର ଆଦି ବିଭାଗ ଦିଆଯାଇଛି । ଅର୍ଥମନ୍ତ୍ରଣାଳୟକୁ ସୌରଭ ପଟେଲଙ୍କୁ ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ନିଜେ ସହରି ବିକାଶ ବିଭାଗ ରଖିଛନ୍ତି । କିନ୍ତୁ ଆଜି ଅମିତ ଶାହଙ୍କ ହସ୍ତକ୍ଷେପ ପରେ ସୌରଭ ପଟେଲ ଅର୍ଥ ବିଭାଗରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଓ ନିତିନଙ୍କୁ ଅର୍ଥ ବିଭାଗ ମିଳିବ ।

ଗତ କାଲି ସେ ମନମୁତାବକ ପଦ ନମିଳିବାରୁ ଅସନ୍ତୁଷ୍ଟ ଥିଲେ । ପଦ ପାଇଁ ନୁହେଁ ସମ୍ମାନ ପାଇଁ ଲଢୁଛି ବୋଲି ସେ କହିଥିଲେ । ଏହାପରେ ତାଙ୍କ ସମର୍ଥକ ଓ ପଟିଦାର ନେତାମାନେ ଗୁଜୁରାଟ ବନ୍ଦ ଡକରା ଦେଇଥିଲେ । ଏପରିକି ୯ ଜଣ ବିଧାକୟଙ୍କୁ ସାଙ୍ଗରେ ଆଣିଲେ ତାଙ୍କୁ କଂଗ୍ରେସ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ପଟିଦାର ନେତା ହାର୍ଦ୍ଦିକ ପଟେଲ ଅଫର ଦେଇଥିଲେ ।

ସମ୍ବନ୍ଧିତ ଖବର