ଏନ୍‌ଆର୍‌ସି ପ୍ରସଙ୍ଗ: ମୁଣ୍ଡ ପୂରାଇଲା ବାଂଲାଦେଶ

ବଙ୍ଗଳା କହୁଥିବା ସବୁ ଲୋକ ବାଂଲାଦେଶୀ ନୁହନ୍ତି

ଢାକା: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି) ବିବାଦରେ ଏବେ ବାଂଲାଦେଶ ମୁଣ୍ଡ ପୂରାଇଛି । ଯେଉଁ ଲୋକ ବଙ୍ଗଳା କହୁଛନ୍ତି, ସେମାନେ ଯେ ବାଂଲାଦେଶୀ ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଭାରତ ଭଳି ଅନ୍ୟ ରାଷ୍ଟ୍ରରେ ମଧ୍ୟ ବଙ୍ଗଳା କହୁଥିବା ଲୋକ ବାସ କରୁଛନ୍ତି ବୋଲି ଆଜି ଏହି ପ୍ରସଙ୍ଗରେ ବାଂଲାଦେଶ ସରକାର କହିଛନ୍ତି। ବାଂଲାଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହସନୁଲ୍‌ ହକ୍‌ ଇନୁ କହିଛନ୍ତି, ଆସାମରେ ଏନ୍‌ଆର୍‌ସି ପ୍ରସଙ୍ଗ ଆଜିକାର ନୁହେଁ। ବର୍ଷ ବର୍ଷ ଧରି ଏହି ପ୍ରସଙ୍ଗ ଉପରେ ବିବାଦ ଲାଗିରହିଛି। କାହାରିକୁ ଏହା ଏବେ ଅଛପା ନାହିଁ। ସେହିଭଳି ବିଗତ ୪୮ ବର୍ଷ ଇତିହାସରେ ଭାରତର କୌଣସି ସରକାର ଏ ପ୍ରସଙ୍ଗକୁ ନେଇ ବାଂଲାଦେଶ ସରକାରଙ୍କ ସହିତ ଆଲୋଚନା ବି କରିନାହାନ୍ତି। ତେଣୁ ଆସାମର ଏନ୍‌ଆର୍‌ସି ତାଲିକାକୁ ନେଇ ଯେଉଁ ସମସ୍ୟା ଏବେ ଦେଖାଦେଇଛି ବା ଆଗକୁ ଦେଖାଦେବ, ତାହାର ମୁକାବିଲା କରିବା ମୋଦୀ ସରକାରଙ୍କ ଦାୟିତ୍ୱ। କିନ୍ତୁ ବାଂଲାଦେଶ ସହିତ ତାଲିକାର କୌଣସି ସାମଞ୍ଜସ୍ୟ ନାହିଁ ବୋଲି ବାଂଲାଦେଶୀ ମନ୍ତ୍ରୀ କହିଛନ୍ତି। ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ପଡ଼ିଥିବା ଅଧିକାଂଶ ଲୋକ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ଏବେ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଏମିତି କି ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ଏ ବାବଦରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି, ତାଲିକାରୁ ବାଦ୍‌ ପଡ଼ିଥିବା ୪୦ ଲକ୍ଷଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକ ନୁହନ୍ତି। ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ। ଅମିତ୍‌ଙ୍କ ଏଭଳି ଟିପ୍ପଣୀ ପରେ ବିରୋଧୀ ଦଳଗୁଡ଼ିକ ତାଙ୍କୁ ସମାଲୋଚନା ଆରମ୍ଭ କରିଛନ୍ତି। ଏମିତି କି ଦେଶରେ ଏହାକୁ ନେଇ ଗୃହଯୁଦ୍ଧ ପରିସ୍ଥିତି ଉପୁଜିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେତାବନୀ ଦେଇଛନ୍ତି। ତାଲିକାରୁ ବାଦ୍‌ ପଡ଼ିଥିବା ବେଆଇନ ନାଗରିକମାନଙ୍କୁ ବାଂଲାଦେଶ ଫେରାଇ ନେଇଯିବ କି ପ୍ରଶ୍ନର ଉତ୍ତରରେ ହସନୁଲ୍‌ ହକ୍‌ ଇନୁ କହିଛନ୍ତି, ‘‘ଆଦୌ ନୁହେଁ। ବର୍ତ୍ତମାନ ସୁଦ୍ଧା ଭାରତ ସରକାର ଏ ସମ୍ପର୍କରେ ପଦଟିଏ ବି କଥା ହୋଇନାହାନ୍ତି। ଆଉ ଯଦି ଏ ପ୍ରସଙ୍ଗରେ କଥା ହେବାକୁ ସରକାର ଚାହାନ୍ତି, ତେବେ ଆମେ ଏହାକୁ ପ୍ରତ୍ୟାଖ୍ୟାନ କରିଦେବୁ ବୋଲି ସେ କହିଛନ୍ତି।

ଏନ୍‌ଆର୍‌ସି ତାଲିକାରେ ନ ଥିବା ଲୋକ ମତଦାନ କରିପାରିବେ

ଗୌହାଟୀ: ଆସାମର ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି) ଚୂଡ଼ାନ୍ତ ଚିଠା ତାଲିକାରୁ ବାଦ୍‌ ପଡ଼ିଥିବା ୪୦ ଲକ୍ଷ ଲୋକ ମତଦାନ କରିପାରିବେ। ଭୋଟର୍‌ ତାଲିକାରେ ସେମାନଙ୍କ ନାମ ଯଦି ଥିବ ଏବଂ ଭୋଟ୍‌ ଦେବା ଲାଗି ଆବଶ୍ୟକ ପ୍ରମାଣପତ୍ର ଯଦି ସେମାନେ ବହନ କରିଥିବେ, ତା’ହେଲେ କେହି ସେମାନଙ୍କୁ ଭୋଟ୍‌ ଦେବାରୁ ବଞ୍ଚିତ କରିପାରିବେ ନାହିଁ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାଓ୍ଵତ୍‌ ଏଭଳି କହିଛନ୍ତି। ତାଙ୍କ କହିବାନୁଯାୟୀ ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ପଡ଼ିଥିବା ଲୋକମାନଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କ ପ୍ରତି କୌଣସି ଅନ୍ୟାୟ ହେବନାହିଁ। ଏମିତି କି ସେମାନଙ୍କୁ ଭୋଟ୍‌ ଦେବାରୁ କେହି ବି ରୋକିପାରିବେ ନାହିଁ। ତାଲିକାରେ ସ୍ଥାନ ମିଳୁ କି ନ ମିଳୁ ଯେଉଁମାନଙ୍କ ନାମ ଭୋଟର୍‌ ତାଲିକାରେ ରହିଥିବ ସେମାନେ ଭୋଟ୍‌ ଦେଇପାରିବେ। ତେବେ ଏଥିପାଇଁ ଆବଶ୍ୟକ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବଦଳି ନାହିଁ ବୋଲି ରାଓ୍ଵତ୍‌ ଦର୍ଶାଇଛନ୍ତି। ସେ ଆହୁରି କହିଛନ୍ତି ଯେ ଯେଉଁମାନେ ତାଲିକାରୁ ବାଦ୍‌ ପଡ଼ିଛନ୍ତି, ସେମାନେ ଭାରତୀୟ ନାଗରିକ କି ନୁହେଁ, ସେ ନେଇ କୌଣସି ସିଦ୍ଧାନ୍ତରେ ଏବେ ପହଞ୍ଚି ହେବନାହିଁ। କାରଣ ଏଥିପାଇଁ ସମୟ ଅଛି। ଉଲ୍ଲେଖଯୋଗ୍ୟ, ଏନ୍‌ଆର୍‌ସି ତାଲିକାରୁ ୪୦ ଲକ୍ଷ ବାଦ୍‌ ପଡ଼ିବା ପରେ ଏହାକୁ ନେଇ ଦେଶବ୍ୟାପୀ ରାଜନୀତି ସରଗରମ ହୋଇଉଠିଛି। ବିରୋଧୀମାନେ ଏହାକୁ ସରକାରଙ୍କ ଭୋଟ୍‌ ବ୍ୟାଙ୍କ ରାଜନୀତି ବୋଲି ଅଭିଯୋଗ କରି ସମାଲୋଚନା କରୁଛନ୍ତି। ରାଜନୈତିକ କାରଣରୁ ବିଜେପି ନେତୃତ୍ୱାଧୀନ ସରକାର ଏହି ଲୋକମାନଙ୍କୁ ଟର୍ଗେଟ୍‌ କରି ଏନ୍‌ଆର୍‌ସି ଚୂଡ଼ାନ୍ତ ଚିଠା ତାଲିକା ପ୍ରସ୍ତୁତ କରିଛି। ବିଶେଷକରି ୨୦୧୯ ସାଧାରଣ ନିର୍ବାଚନରେ ମାଇଲେଜ୍‌ ପାଇବା ପାଇଁ ସରକାର ଏଭଳି କରୁଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି।

ମମତାଙ୍କ ବିରୋଧରେ ଏତଲା
ଗୌହାଟୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବୁଧବାର ବିଜେପିର ଯୁବ ଶାଖା ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେଓ୍ଵାଇଏମ୍‌) ପକ୍ଷରୁ ଏକ ଏତଲା ଦିଆଯାଇଛି। ଆସାମର ଦିବ୍ରୁଗଡ଼ ଅନ୍ତର୍ଗତ ନହରକାଟିଆ ଥାନାରେ ଏହି ଏତଲା କରାଯାଇଥିବା ଜଣାପଡ଼ିଛି। ଆସାମର ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି) ଚୂଡ଼ାନ୍ତ ଚିଠା ତାଲିକା ଉପରେ ମମତା ଦେଇଥିବା ଟିପ୍ପଣୀକୁ ବିରୋଧ କରାଯାଇ ତାଙ୍କ ବିରୋଧରେ ଏହି ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ତେବେ ଏହି ଏତଲାକୁ ନହରକାଟିଆ ଥାନା ପକ୍ଷରୁ ଗୌହାଟୀସ୍ଥିତ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗତକାଲି ମମତା କହିଥିଲେ ନାଗରିକ ତାଲିକା ବାତିଲ ନହେଲେ ଦେଶରେ ଗୃହଯୁଦ୍ଧ ଓ ରକ୍ତପାତ ସୃଷ୍ଟି ହେବ।

ଆଡଭାନୀ, ସୋନିଆ, ରାହୁଲଙ୍କୁ ଭେଟିଲେ ମମତା
ନୂଆଦିଲ୍ଲୀ: ଏନ୍‌ଆର୍‌୍‌ସି ନେଇ ବିଜେପିକୁ ଲଗାତାର ୩ ଦିନ ଧରି ଘେରିବା ପରେ ଆଜି ମମତା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ୍‌ଭାନୀଙ୍କୁ ସଂସଦ ଭବନରେ ସାକ୍ଷାତ କରିଛନ୍ତି। ସାକ୍ଷାତ ବେଳେ ଆଡ୍‌ଭାନୀଙ୍କଠାରୁ ମମତା ଆଶୀର୍ବାଦ ଲୋଡ଼ିଥିବା ଜଣାଯାଇଛି। ଏହାପରେ ମମତା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି। ରାହୁଲ ଏବଂ ସୋନିଆଙ୍କ ସହ ସେ ୨୦୧୯ ନିର୍ବାଚନ ନେଇ ଆଲୋଚନା କରିଥିବା ଜଣାପଡ଼ିଛି । ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୌଜନ୍ୟମୂଳକ ଭାବେ ଆଡ୍‌ଭାନୀ, ରାହୁଲ ଓ ସୋନିଆଙ୍କୁ ସାକ୍ଷାତ କରିଛନ୍ତି। ମମତା ଆଡଭାନୀଙ୍କ ସହ ୨୦ ମିନିଟ୍‌ ପର୍ଯ୍ୟନ୍ତ କଥା ହୋଇଥିଲେ। ମମତା କହିଛନ୍ତି, ଆଡ୍‌ଭାନୀଙ୍କୁ ସେ ଦୀର୍ଘ ବର୍ଷ ହେଲା ଜାଣିଛନ୍ତି। ତେଣୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ସେ ତାଙ୍କୁ ସାକ୍ଷାତ କରିଥିବା ସ୍ପଷ୍ଟ କରିଛନ୍ତି।

ସଂସଦରେ ପୁଣି ହଟ୍ଟଗୋଳ
ନୂଆଦିଲ୍ଲୀ: ଆସାମର ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି)କୁ ନେଇ ଆଜି ବି ରାଜ୍ୟସଭାରେ ହଙ୍ଗାମା ହୋଇଥିଲା। କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଭଳି ବିରୋଧୀ ଦଳଗୁଡ଼ିକ ଗତକାଲି ଭଳି ଆଜି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ପରିସ୍ଥିତି ସୃଷ୍ଟି କରିଥିଲେ। ଫଳରେ ଗୃହ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ। ଗୃହ ଆରମ୍ଭରେ ବିଜେପି ସାଂସଦ ଅମିତ୍‌ ଶାହଙ୍କୁ ତାଙ୍କ ଗତକାଲିର ବିବୃତି ସାରିବାକୁ ଅଧ୍ୟକ୍ଷ ଅନୁମତି ଦେଇଥିଲେ। ଏହି ସମୟରେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ମଙ୍ଗଳବାର ଅମିତ୍‌ ଶାହ ଦେଇଥିବା କିଛି ବିବୃତିକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହାପରେ ଦଳର ଅନ୍ୟ ନେତାମାନେ ତାଙ୍କୁ ସମର୍ଥନ ଜଣାଇ ହୋହଲ୍ଲା କରିଥିଲେ। ଶର୍ମା ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ଏନ୍‌ଆର୍‌ସିକୁ ନେଇ ଗତକାଲି ବିତର୍କ ଚାଲିଥିଲା ବେଳେ ଅମିତ୍‌ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରର ସାହସିକତା ଉପରେ ପ୍ରଶ୍ନ ଉଠାଇଥିଲେ। ଏମିତି କି ରାଜୀବଙ୍କ ପରେ ଆସିଥିବା ପ୍ରଧାନମନ୍ତ୍ରୀମାନେ ମଧ୍ୟ ଏନ୍‌ଆର୍‌ସିକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନ ଥିଲେ। ଏଭଳି କହି ଶାହ ସମସ୍ତଙ୍କୁ ଅପମାନ କରିଛନ୍ତି ବୋଲି ଶର୍ମା ଦର୍ଶାଇଛନ୍ତି। ତେବେ ଗତକାଲିର ରେକର୍ଡକୁ ଦେଖିବା ପରେ ଏ ନେଇ ବିଚାର କରିବେ ବୋଲି ନାଇଡୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଅମିତ୍‌ ଶାହଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ଏହାପରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ତାଙ୍କୁ କିଛି କହିବାକୁ ଦେଇ ନ ଥିଲେ। ପରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଆସାମରେ ପ୍ରକାଶ ପାଇଥିବା ଏନ୍‌ଆର୍‌ସି ଚୂଡ଼ାନ୍ତ ଚିଠା ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିଛନ୍ତି। ସେମାନଙ୍କୁ ବେଆଇନ ନାଗରିକ ବୋଲି ଦର୍ଶାଯାଇଛି।

ସମ୍ବନ୍ଧିତ ଖବର