ଇମ୍ରାନ ମାନିଲେ ‘ଯୁଦ୍ଧ ହେଲେ ହାରିବୁ, କଶ୍ମୀରକୁ ନେଇ କଥାବାର୍ତ୍ତା କରିବା ସ୍ଥିତି ଆଉ ନାହିଁ, ଯୁଦ୍ଧ ଏଡ଼ାଇବାକୁ ଜାତିସଂଘର ଦ୍ବାରସ୍ଥ ହୋଇଛୁ

ଇସ୍‌ଲାମାବାଦ : ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ଭାରତ ସରକାର ହଟାଇ ଦେବା ପରେ ବିଚଳିତ ପାକିସ୍ତାନ ତୁହାକୁ ତୁହା ଯୁଦ୍ଧ ଧମକ ଦେଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ଏକ ଟେଲିଭିଜନ ସାକ୍ଷାତକାରରେ ସ୍ବୀକାର କରିଛନ୍ତି ଯେ ଭାରତ ସହ ପାକିସ୍ତାନ ଯୁଦ୍ଧ ଜିତିପାରିବ ନାହିଁ। ଭାରତ ସହ ପାକିସ୍ତାନ ପାରମ୍ପରିକ ଯୁଦ୍ଧରେ ହାରିଗଲେ କେବଳ ପରମାଣୁ ଯୁଦ୍ଧ ହିଁ ବିକଳ୍ପ ହୋଇ ରହିଯିବ ବୋଲି ସେ କହିଛନ୍ତି। ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଯୁଦ୍ଧରେ ଉପନୀତ ହେଲେ ଭୟାନକ ପରିଣତି ହେବ ବୋଲି ସେ କହିଛନ୍ତି। ଭାରତ ଏବଂ ପାକିସ୍ତାନ ଏବେ ଆଉ କଥାବାର୍ତ୍ତା କରିବା ସ୍ଥିତିରେ ନଥିବାରୁ ଏଥିରେ ବିଶ୍ବ ସମୁଦାୟ ତୁରନ୍ତ ହସ୍ତକ୍ଷେପ କରିବା ଜରୁରୀ ଏବଂ ଏଥିପାଇଁ ଆମେ ଜାତିସଂଘର ଦ୍ବାରସ୍ଥ ହୋଇଛୁ ବୋଲି ଇମ୍ରାନ କହିଛନ୍ତି। ଜମ୍ମୁ କଶ୍ମୀରରେ ଦୀର୍ଘ ୬ ସପ୍ତାହ ଧରି ଲୋକଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ବନ୍ଧୁକ ମୁନରେ ଭାରତୀୟ ସେନା ସେଠାରେ ଲୋକଙ୍କୁ ଘରେ ରହିବା ପାଇଁ ବାଧ୍ୟ କରିଛି ବୋଲି ଇମ୍ରାନ କହିଛନ୍ତି। ଭାରତ କଶ୍ମୀରକୁ ଗଣମାଧ୍ୟମ ପ୍ରତିନିଧି ଏବଂ ମାନବାଧିକାର କର୍ମୀଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଇଥିବାରୁ ଏହାକୁ ଜାତିସଂଘ ଗମ୍ଭୀରତାର ସହ ନେବା ଉଚିତ ବୋଲି ସେ କହିଛନ୍ତି।

‘ପାକିସ୍ତାନ ପ୍ରଥମେ କଦାପି ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ। ମୁଁ ଜଣେ ଶାନ୍ତିକାମୀ ମଣିଷ ଏବଂ ସର୍ବଦା ଯୁଦ୍ଧ ବିପକ୍ଷରେ ରହିଛି । ତେବେ ପାରମ୍ପରିକ ଯୁଦ୍ଧରେ ପାକିସ୍ତାନ ହାରିଗଲେ ଆମେ ଆତ୍ମସମର୍ପଣ କରିବୁ ନାହିଁ ଏବଂ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଲଢ଼ିବୁ’ ବୋଲି ଇମ୍ରାନ କହିଛନ୍ତି। ଚୀନ୍‌ର ଉଇଘର ମୁସ୍‌ଲିମ୍‌ଙ୍କ ଉପରେ ଚୀନ୍‌ର ଅତ୍ୟାଚାର ଏବଂ ୫ ଲକ୍ଷରୁ ଅଧିକ ମୁସ୍‌ଲିମଙ୍କୁ ବନ୍ଦୀ କରି ରଖାଯିବା ସଂକ୍ରାନ୍ତ ଏକ ପ୍ରଶ୍ନର ଜବାବରେ ଇମ୍ରାନ କହିଥିଲେ ଯେ ପାକିସ୍ତାନ ନିଜ ସମସ୍ୟାରେ ଅତି ମାତ୍ରାରେ ବୁଡ଼ି ରହିଛି ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ମୋ ପାଖରେ ସମୟ ନାହିଁ।

ସମ୍ବନ୍ଧିତ ଖବର