ଇସ୍ଲାମାବାଦ: ପାକିସ୍ତାନ ଶିଖମାନଙ୍କୁ ଖଲିସ୍ତାନ ପ୍ରସଙ୍ଗରେ ପ୍ରବର୍ତ୍ତାଉଛି ବୋଲି ଭାରତର ଅଭିଯୋଗକୁ ଇସ୍ଲାମାବାଦ ଅସ୍ୱୀକାର କରିଛି । ପାକିସ୍ତାନ କହିଛି ଯେ ଏଭଳି ମିଛ ପ୍ରଚାର କରି ଭାରତ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି । ପାକିସ୍ତାନ ସମଗ୍ର ବିଶ୍ୱରୁ ହିନ୍ଦୁ ଓ ଶିଖ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରୁଛି ବୋଲି ପାକିସ୍ତାନର ବିଦେଶ ଅଫିସ କହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନର ରାଓ୍ଵଲପିଣ୍ଡି ଜିଲ୍ଲାରେ ଥିବା ଗୁରୁଦ୍ୱାରା ପଂଜା ସାହିବକୁ ବାର୍ଷିକ ବୈଶାଖୀ ମେଳ ପାଇଁ ପ୍ରାୟ ୧୮ଶହ ଭାରତୀୟ ଶିଖ ତୀର୍ଥଯାତ୍ରୀ ଯାଇଛନ୍ତି । କିନ୍ତୁ ଏହି ଭାରତୀୟ ନାଗରିକମାନଙ୍କୁ କନସୁଲାର ସେବା ପ୍ରଦାନ ପାଇଁ ଭାରତୀୟ ହାଇକମିଶନର ଅଧିକାରୀମାନଙ୍କୁ ପାକିସ୍ତାନ ଅନୁମତି ଦେଇନଥିଲା । ଭାରତୀୟ କନସୁଲାର ଟିମକୁ ଏପ୍ରିଲ ୧୨ ତାରିଖରେ ଯାତ୍ରୀମାନଙ୍କୁ ଭେଟିବାକୁ ଦିଆଯାଇନଥିଲା । ସେହିପରି ଏପ୍ରିଲ ୧୪ ବୈଶାଖି ଦିନ ମଧ୍ୟ ଗୁରୁଦ୍ୱାରା ପଂଜା ସାହିବକୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ତୀର୍ଥଯାତ୍ରୀଙ୍କୁ ଭେଟିବାକୁ ଗୁରୁଦ୍ୱାରକୁ ଯାଉଥିବା ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ବାଟରୁ ଫେରାଇ ଦିଆଯାଇଥିଲା । ଏହାକୁ ନେଇ ଭାରତ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପାଇଁ ଭାରତ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଥିବା ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କୁ ଡକାଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା ।