ଧାରଣାରେ ବସିଥିବା ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ରବର ଗୁଳି ଚଳାଇଲା ପାକିସ୍ତାନ ପୁଲିସ

ଇସ୍‌ଲାମାବାଦ: ଶନିବାର ଦିନ ପାକିସ୍ତାନୀ ସେନା ଇସ୍‌ଲାମାବାଦରେ ଦଳେ ପ୍ରତିବାଦକାରୀଙ୍କ ଉପରେ ରବର ଗୁଳି ଏବଂ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। କେତେ ସପ୍ତାହ ହେବ ଏକ ଇସ୍‌ଲାମୀୟ ସଙ୍ଗଠନ ଧାରଣାରେ ବସିଥିବାରୁ ପାକିସ୍ତାନର ରାଜଧାନୀକୁ ଏକ ପ୍ରକାର ପଙ୍ଗୁ କରି ପକାଇଥିଲେ। ସେମାନଙ୍କୁ ସେଠାରୁ ଘଉଡ଼ାଇବାକୁ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ପ୍ରାୟ ୮, ୫୦୦ ପୁଲିସ କମାଣ୍ଡୋ ଏବଂ ପରାମିଲିଟାରି ଫୋର୍ସ ବଡ଼ି ଭୋର୍‌ରୁ ୨୦୦୦ ପ୍ରତିବାଦକାରୀଙ୍କୁ ଘଉଡ଼ାଇ ଦେଇଥିଲେ। ସେଥିପାଇଁ ସେମାନଙ୍କୁ ଆଖପାଖର ରାସ୍ତା ଏବଂ ବଜାର ବନ୍ଦ କରାଇବାକୁ ପଡ଼ିଥିଲା।

ରାସ୍ତାରେ ଅଟକି ରହିଥିବା ମାଲ୍‌ବାହୀ ଟ୍ରକ୍‌ ଉପରେ ଲୋକେ ଠିଆ ହୋଇ ପରିସ୍ଥିତି ଦେଖୁଥିବାର ଭିଡିଓ କେତେକ ନିଉଜ୍‌ ଚାନେଲ୍‌ରେ ପ୍ରସାରିତ ହୋଇଥିଲା।

Image Courtesy of TOI

ନଭେମ୍ବର ୬ ତାରିଖରୁ ‘ତେରିକ୍‌-ଇ-ଲାବାଇକ୍‌ ୟା ରସୁଲ ଆଲ୍ଲା ପାକିସ୍ତାନ’ ନାମକ ଗୋଟାଏ ଅଳ୍ପ ଜଣାଶୁଣା ସଙ୍ଗଠନ ତରଫରୁ ଧାରଣା ଦିଆ ଯାଇଥିଲା। ଦୈନିକ ହଜାର ହଜାର ଯାନବାହନ ଯିବା ଆସିବା କରୁଥିବା ରାଜପଥ ଉପରେ ସେମାନେ ଧାରଣା ଦେଇଥିବାରୁ ସେଠାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁ ଥିଲା। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ ରହିବା ଫଳରେ ଯାତ୍ରୀମାନେ ଭୀଷଣ ରାଗି ଯାଉଥିଲେ।

ପ୍ରତିବାଦକାରୀମାନେ ପାକିସ୍ତାନର ଆଇନମନ୍ତ୍ରୀ ଜାହିଦ ହମିଦଙ୍କ ଇସ୍ତଫା ଦାବି କରୁଥିଲେ। ନିର୍ବାଚିତ ପ୍ରାର୍ଥୀମାନଙ୍କର ତରବରିଆ ଶପଥ ଗ୍ରହଣ ଉପରେ ଅଣାଯାଇଥିବା ସଂଶୋଧନରେ ସେମାନେ ଅସନ୍ତୁଷ୍ଟ ଥିଲେ। ଏହା ଈଶ୍ୱରଙ୍କୁ ଅବମାନନା ବୋଲି ସେମାନେ ଦାବି କରୁଥିଲେ। ଦୀର୍ଘ ଦିନ ହେବ ଅବଦମିତ ହୋଇ ରହି ଆସିଥିବା ଏକ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ଅହମାଦୀମାନଙ୍କ ସୁବିଧା ନିମନ୍ତେ ଏହା କରାଯାଇଛି ବୋଲି ସେମାନେ ଅଭିଯୋଗ କରୁଥିଲେ।

କାର୍ଯ୍ୟାନୁଷ୍ଠାନ ଯୋଗୁଁ ପ୍ରତିବାଦକାରୀମାନେ ପୁଲିସ ଉପରକୁ ଢେଲା ପଥର ଫିଙ୍ଗିବାରୁ ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ସୃଷ୍ଟି ହୋଇଥିଲା।

ସୈନିକମାନେ ଧାରଣାସ୍ଥଳ ଖାଲି କରୁଥିବାବେଳେ ରସ୍ତାର ଦୁଇ ପଟୁ ଆସୁଥିବା ଅନେକ ଲୋକ ଅଟକି ରହିଥିଲେ। ଘଟଣାସ୍ଥଳରେ କେତୋଟି ଆମ୍ବ୍ୟୁଲାନ୍‌ସ୍‌ ବୁଲୁଥିଲେ ମଧ୍ୟ କେହି ଆହତ ହୋଇଛନ୍ତି କି, ନାହିଁ ସେ କଥା ଜଣାପଡ଼ି ନାହିଁ।

Image Courtesy of The Peninsula Qatar

ଧାରଣା ଯୋଗୁଁ ଆମ୍ୟୁଲାନ୍‌ସ୍‌ ଯାଇ ନ ପାରିବାରୁ ଜଣେ ୮ ବର୍ଷିୟ ପିଲାର ମୃତ୍ୟୁ ଘଟିଥିଲା ବୋଲି ଏ ସପ୍ତାହରେ ପାକିସ୍ତାନ ସୁପ୍ରିମ୍‌ କୋର୍ଟ କହିଥିଲା।

ଧାରଣା ଅତି ଛୋଟକାଟିଆ ହୋଇଥିଲେ ମଧ୍ୟ ଅଧିକାରୀମାନେ ପ୍ରତିବାଦକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁ ନ ଥିଲେ। କାରଣ ପ୍ରତିବାଦକାରୀମାନେ ସେମାନଙ୍କ ଦାବି ପାଇଁ ଜୀବନ ଦେବାକୁ ନିୟମ କରିଥିଲେ। ଏଥିଯୋଗୁଁ ହିଂସାକାଣ୍ଡ ଉପୁଜିବାର ସମ୍ଭାବନା ଥିଲା।
ସରକାର ଚୁପ୍‌ ରହିଥିବାରୁ ଅଦାଲତ୍‌, ଇସ୍‌ଲାମାବାଦ ଓ ରାଓ୍ଵଲ୍‌ପିଣ୍ଡିର ହଜାର ହଜାର ବାସିନ୍ଦା କ୍ଷୁବ୍ଧ ହୋଇଥିଲେ। ସୁପ୍ରିମ୍‌ କୋର୍ଟ ଏବଂ ଇସ୍‌ଲାମାବାଦ ହାଇକୋର୍ଟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସେମାନଙ୍କୁ ଆଇନ ଅବମାନନା ଅପରାଧରେ ଗିରଫ କରାଇବାକୁ ଧମକ ଦେଇଥିଲେ ଦୁଇ ଅଦାଲତ।

ସାଧାରଣ ଘଟଣାକୁ ସମାଧାନ ନ କରି ସରକାର ଏହାକୁ ବଢ଼ା ଚାଲି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସମୀକ୍ଷକ ଏବଂ ସମାଲୋଚକମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର