ସେନାକୁ ମାତ୍ର ୫୦୧ ଟଙ୍କା ଦାନ କରି ସମାଲୋଚନାର ଶରବ୍ୟ ହେଲେ ପେଟିଏମ୍‌ ମୁଖ୍ୟ

ଆଜି ପୁଣି ଥରେ ଦାନ କଲେ ୨୧ ହଜାର ଟଙ୍କା

ନୂଆଦିଲ୍ଲୀ-ସେନାବାହିନୀକୁ ମାତ୍ର ୫୦୧ ଟଙ୍କା ଦାନ କରି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍ଟରରେ ସମାଲୋଚନାର ଶରବ୍ୟ ହୋଇଛନ୍ତି ପେଟିଏମ୍‌ ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା । ଗତ ଡିସେମ୍ବର ୧ ତାରିଖରେ ସେ ଆର୍ମଡ୍‌ ଫୋର୍ସେସ୍‌ ଫ୍ଲାଗ୍‌ ଡେ ଲାଗି ୫୦୦ ଟଙ୍କା ଦାନ କରି ସେହି ଦାନ ସଂପର୍କରେ ଟ୍ଵିଟ୍ଟରରେ ଲେଖିଥିଲେ । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ସେ ସେଥିରେ ଟ୍ୟାଗ୍‌ କରିଦେଇଥିଲେ । କିନ୍ତୁ ଏଥିପାଇଁ ତାଙ୍କୁ ଟ୍ଵିଟ୍ଟରରେ ବ୍ୟାପକ ସମାଲୋଚନାର ଶରବ୍ୟ ହେବାକୁ ପଡିଛି ।

ଏକ ବିଲିୟନ ଡଲାର କମ୍ପାନିର ସିଇଓ ସେନାବାହିନୀକୁ ମାତ୍ର ୫୦୧ ଟଙ୍କା ଦାନ କରିବା ବେଶ ଲଜ୍ୟାଜନକ ବୋଲି ଅନେକ ଟ୍ଵିଟ୍ଟର ବ୍ୟବହାରକାରୀ ମତ ଦେଇଛନ୍ତି । ଆଉ କେତେକ ଏହାକୁ ପ୍ରଚାର କରିବାର ଏକ ଭଲ ଉପାୟ ବୋଲି କହିଛନ୍ତି । ଏକ ବଡ଼ ପରିମାଣ ଦାନ କରିଥିଲେ ଏତେ ପ୍ରଚାର ମିଳିନଥାନ୍ତା ବୋଲି ଉକ୍ତ ଟ୍ଵିଟ୍ଟର ବ୍ୟବହାରକାରୀ କହିଛନ୍ତି । କେତେକ ଲେଖିଛନ୍ତି ଯେ ଗତ ବର୍ଷ ବିମୁଦ୍ରାୟନ ଯୋଗୁଁ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିବା ଏହ ଦାନ ଦେଇ ସେନାବାହିନୀକୁ ଅପମାନ ଦେଇଛନ୍ତି ।

ତେବେ ଚାରିଆଡୁ ସମାଲୋଚନାର ଶରବ୍ୟ ହେବା ପରେ ଶେଖର ଆଜି ଆଉ ଥରେ ଦାନ ଦେଇଛନ୍ତି । ଏଥର ସେ ୨୧ ହଜାର ଟଙ୍କା ସେନାବାହିନୀ ଫ୍ଲାଗ୍‌ ଡେକୁ ଦାନ କରିଛନ୍ତି । ତଥାପି ସମାଲୋଚନା ବନ୍ଦ ହୋଇନାହିଁ । ଏକ ବଡ଼ କମ୍ପାନିର ସିଇଓ ହୋଇ ମୋଟା ଦରମା ନଉଥିବା ବ୍ୟକ୍ତି ପ୍ରାୟ ୫-୬ ଲକ୍ଷ ଟଙ୍କା ଦାନ କରିବା ଉଚିତ ବୋଲି ଜଣେ ଟ୍ଵିଟ୍ଟରାଟି ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର