ନୂଆଦିଲ୍ଲୀ : ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ ଦରରେ ସାଢ଼େ ତିନି ଟଙ୍କାରୁ ଚାରି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। କର୍ଣ୍ଣାଟକ ନିର୍ବାଚନ ଯୋଗୁଁ ଦର ବୃଦ୍ଧି କରିନଥିବାରୁ କଂପାନିଗୁଡ଼ିକର ବିପୁଳ କ୍ଷତି ହୋଇଛି। ତେଲ ବିକ୍ରି ଉପରେ ସେମାନଙ୍କର ଯେଉଁ ମାର୍ଜିନ୍ ରହିଥିଲା ତାହା ୩୧ ପଇସା ଭଳି ନିମ୍ନ ସ୍ତରକୁ ଖସିଆସିଛି। ପୂର୍ବଭଳି ମାର୍ଜିନ୍ ହାସଲ କରିବାକୁ ହେଲେ ତେଲ କଂପାନିଗୁଡ଼ିକୁ ଉଭୟ ପେଟ୍ରୋଲ୍ ଓ ଡିଜେଲ ଦରରେ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଆଣିବାକୁ ପଡ଼ିବ ବୋଲି ବ୍ରୋକରେଜ୍ ସଂସ୍ଥା କୋଟାକ୍ ଇନଷ୍ଟିଚ୍ୟୁସନାଲ୍ ଇକ୍ୱିଟିଜ୍ ପକ୍ଷରୁ କୁହାଯାଇଛି। କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ତେଲ କଂପାନିଗୁଡ଼ିକର ଲିଟର ପିଛା ବିକ୍ରି ଉପରେ ମାର୍ଜିନ୍ ପରିମାଣ ୨ ଟଙ୍କା ୭୦ ପଇସା ଭଳି ସ୍ତରରେ ରହୁଥିଲା। ଏହା ପରଠାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୮୦ ଡଲାର ଟପିଗଲାଣି। ଏହା ସହିତ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୬୮ ଟଙ୍କା ପର୍ଯ୍ୟନ୍ତ ଖସିଗଲାଣି। ଉଭୟ କାରଣ ଯୋଗୁଁ ଅଶୋଧିତ ତେଲ କିଣିବା ମହଙ୍ଗା ହୋଇଛି। କିନ୍ତୁ ଏହାର ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ ଦରରେ ପ୍ରତିଫଳିତ ହୋଇନଥିଲା। ଏବେ ତେଲ କଂପାନିଗୁଡ଼ିକ ଦ୍ରୁତ ଗତିରେ ଏହି ଦୁଇ ପ୍ରକାର ଇନ୍ଧନ ମୂଲ୍ୟ ବଢ଼ାଇପାରନ୍ତି ବୋଲି ଏହି ସଂସ୍ଥା କହିଛି।