ଉତ୍ତର ପ୍ରଦେଶରେ ଆଜିଠାରୁ ପଲିଥିନ୍‌ ନିଷିଦ୍ଧ, ନିୟମ ଉଲଂଘନକାରୀଙ୍କୁ ୬ ମାସ ଜେଲ ଦଣ୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜୁଲାଇ ୧୫(ରବିବାର) ଠାରୁ ପଲିଥିନ ନିଷିଦ୍ଧ ଲାଗୁ ହୋଇଛି। ଲୋକ ସଂଖ୍ୟା ଦୃଷ୍ଟିରୁ ସର୍ବବୃହତ୍ତ ରାଜ୍ୟରେ ୫୦ ମାଇକ୍ରୋନ ପର୍ଯ୍ୟନ୍ତ ପତଳା ପଲିଥିନକୁ ଲୋକେ ଆଉ ବ୍ୟବହାର କରିବେ ନାହିଁ। ଉଲଂଘନକାରୀଙ୍କୁ ୬ ମାସ ଜେଲ ଦଣ୍ଡ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଲିଥିନ ବିରୋଧରେ ଚଢ଼ାଉ ଅଭିଯାନ ଆରମ୍ଭ ହୋଇ ଯାଇଛି। ଉତ୍ତର ପ୍ରଦେଶ ପଲିଥିନ ନିଷିଦ୍ଧ କରିବାରେ ହେଉଛି ୧୯ତମ ରାଜ୍ୟ।

ଲକ୍ଷ୍ନୌ ପ୍ରଶାସନ ହ୍ଵାଟସ୍‌ଅପ୍‌ ଜାରି କରି ଲୋକଙ୍କୁ ପଲିଥିନ ବିକ୍ରି କରିବା ଅଥବା ବ୍ୟବହାର କରିବା ନେଇ ଫଟୋ ପଠାଇବାକୁ ଅପିଲ କରିଛି। ଏଭଳି କରୁଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ ପ୍ଲାଷ୍ଟିକରୁ ତିଆରି କପ୍‌, ଗ୍ଲାସର ବ୍ୟବହାର ମଧ୍ୟ ନିଷିଦ୍ଧ ଲଗାଯାଇଛି।

ରାଜ୍ୟରେ ପଲିଥିନ ନିର୍ମାଣ, ବିକ୍ରି ମଧ୍ୟ ନିଷିଦ୍ଧ କରାଯାଇଛି। ପଲିଥିନ ଉତ୍ପାଦନକାରୀ କମ୍ପାନି ଓ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥି ପାଇଁ ବ୍ୟକ୍ତିଙ୍କୁ ଜରିମାନା ଓ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ୧୦ ହଜାରରୁ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ହୋଇପାରେ। ଏ ନେଇ ସରକାର ଚଢ଼ାଉ ଅଭିଯାନ କରିବେ। ଜିଲ୍ଲା ପ୍ରଶାସନ, ପୌରପାଳିକା ପ୍ରଶାସନ, ପୁଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନେଇ ଯୁଗ୍ମ ଟିମ୍‌ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର